ସ୍ୱାସ୍ଥ୍ୟ

ହୃଦଘାତକୁ କିପରି ଏଡାଯାଇ ପାରିବ?

ଭୁବନେଶ୍ବର: ଆଜି ବିଶ୍ବ ହାର୍ଟ ଡେ ବା ହୃଦୟ ଦିବସ। ପ୍ରତିବର୍ଷ ୨୯ ସେପ୍ଟେମ୍ବରରେ ହାର୍ଟ ଡେ ପାଳନ ହୋଇଥାଏ। ସମ୍ପ୍ରତି ହୃଦ୍‌ଘାତ ଆଉ ବୟସ୍କଙ୍କ ପାଇଁ ସମସ୍ୟା ହୋଇ ରହିନାହିଁ। ବହୁ ସଂଖ୍ୟାରେ କମ ବୟସର ବ୍ୟକ୍ତିଙ୍କଠାରେ ଦେଖା ଦେବାରେ ଲାଗିଲାଣି ହୃଦ୍‌ଘାତ। ଯାହା ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ହୃଦୟ ରୋଗ ବିଶେଷଜ୍ଞମାନଙ୍କ ମତ, ଆମେ ଏକ ଗମ୍ଭୀର ସମୟ ଦେଇ ଗତିକରୁଛି, ଯେଉଁଥିରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଏହି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପାଇଁ ଏକାଧିକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏହାକୁ ଦୃଷ୍ଟିରେ ରଖି କମ ବୟସର ସମସ୍ତ ଲୋକଙ୍କ ହୃଦୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ ହୋଇ ପଡିଛି।

ହୃଦଘାତ ସମ୍ପର୍କରେ ପୁଣେର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡା ବିକାଶ ଅନୁରାଗ କୁହନ୍ତି, ଜୀବନ ଶୈଳୀ, ଖାଦ୍ୟରେ ଅନିୟମିତତା ହୃଦରୋଗ ଆଶଙ୍କା ବଢାଇ ଦେଇଛି। ତେଣୁ ଲୋକଙ୍କୁ ନିଜର ଖାଦ୍ୟ ପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି। ଆମେ ଦୈନିକ ଦିନଚର୍ଯ୍ୟାରେ ଏପରି କିଛି କାର୍ଯ୍ୟ କରୁ ଯାହା ମଧ୍ୟ ହୃଦୟ ପାଇଁ କ୍ଷାତକ ହୋଇପାରେ।

ହୃଦୟ ରୋଗଗୁଡିକୁ ନେଇ ଦେଖା ଦେଉଥିବା ସମସ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ପ୍ରତି ବର୍ଷ ସେପ୍ଟେମ୍ବର ୨୯କୁ ବିଶ୍ବ ହୃଦୟ ଦିବସ ଭାବେ ପାଳନ କରାଯାଇଆସୁଛି। ତେବେ ନିଜର ହୃଦୟକୁ ସୁସ୍ଥ ରଖିବାକୁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ ହେବାର ଆବଶ୍ୟକତା ରହିଛି।

ହୃଦୟ ସମ୍ବନ୍ଧିତ ରୋଗଠାରୁ ଦୂରେଇ ରହିବାକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଖାଦ୍ୟ। ଜଙ୍କ ଫୁଡ ବା ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଓ ପ୍ରୋସେସ୍ଡ ଫୁଡ ବା ପ୍ରକ୍ରିୟାକରଣ ହେଉଥିବା ଖାଦ୍ୟଠାରୁ ଦୂରେଇ ରହିବା ଦରକାର।  ଏହା ବଦଳରେ ଫଳ, ସବୁଜ ପନିପରିବା, ଡାଲି, ପ୍ରୋଟିନ ଯୁକ୍ତ ଖାଦ୍ୟ ଓ ନଟ୍ସକୁ ଆହାର ଭାବେ ନିୟମିତ ଗ୍ରହଣ କରିବା ଆବଶ୍ୟକ। ତୈଳଯୁକ୍ତ ଖାଦ୍ୟ, ଅଧିକ ଲୁଣିଆ ଖାଦ୍ୟଠାରୁ ଦୂରେଇ ରହିବା ଦରକାର, ଯାହା କୋଲେଷ୍ଟ୍ରଲ ଓ ରକ୍ତଚାପ ବଢାଇବାରେ ସହାୟକ ହୋଇଥାଏ।

ଖାଦ୍ୟ: ଖାଦ୍ୟ ବ୍ୟତୀତ ହୃଦ ସମ୍ବନ୍ଧୀୟ ରୋଗରୁ ନିୟମିତ  ବ୍ୟାୟାମ ସହାୟକ ହୋଇଥାଏ। ଏହାକୁ କୌଣସି ବି ବୟସ ବର୍ଗ ଅନୁପାଳନ କରିବା ଦରକାର। ପ୍ରତିଦିନ ଅନ୍ୟୁନ ୩୦ ମିନିଟ ପର୍ଯ୍ୟନ୍ତ ଯୋଗ ଓ ବ୍ୟାୟାମ କରିବା ଆବଶ୍ୟକ। ହାଲକା ହୃଦୟ ବ୍ୟାୟାମ ଓ ଷ୍ଟ୍ରେଚିଂ ଦ୍ବାରା ହୃଦୟକୁ ସୁସ୍ଥ ରଖାଯାଇ ପାରେ। ଏହା ବ୍ୟତୀତ ହୃଦ ରୋଗୀମାନଙ୍କ ମଧ୍ୟରେ ଗମ୍ଭୀର ସମସ୍ୟା କାରଣରୁ ହେଉଥିବା ମେଦବୃଦ୍ଧି, ମଧୁମେହ, ଉଚ୍ଚ ରକ୍ତଚାପ ପରି ସମସ୍ୟା କମ କରିଥାଏ ଯୋଗ ଓ ବ୍ୟାୟାମ।

ଧୂମ୍ରପାନ/ନିଶା ଓ ଚାପ: ହୃଦଘାତ ସମସ୍ୟା ବୃଦ୍ଧିର ଅନ୍ୟ ଏକ କାରଣ ହେଉଛି ଧୂମ୍ରପାନ। ସିଗାରେଟରୁ ବାହାରୁଥିବା ଧୂଆ ହୃଦୟର ମାଂଶପେଶୀକୁ କ୍ଷତି ପହଞ୍ଚାଇଥାଏ। ତେଣୁ ହୃଦଘାତଜନିତ ସମସ୍ୟାରୁ ଦୂରେଇ ରହିବାକୁ ହେଲେ ମଦ୍ୟପାନ, ଧୂମ୍ରପାନ ପରି ନିଶା ଦ୍ରବ୍ୟଠାରୁ ଦୂରେଇ ରହିବା ଦରକାର। ଏହା ବ୍ୟତୀତ ଚିନ୍ତା ମଧ୍ୟ ହୃଦୟ ରୋଗର ଏକ ବଡ କାରଣ। ତେଣୁ ଚିନ୍ତା, ମାନସିକ ଚାପଠାରୁ ଦୂରେଇ ରହିବାକୁ ହେବ। ଏହି କ୍ଷେତ୍ରରେ ମେଡିଟେସନ ସହାୟକ ହୋଇଥାଏ।

ନିଦ୍ରା: ନିଦ ମଧ୍ୟ ହୃଦୟ ସମ୍ବନ୍ଧୀୟ ରୋଗର ଆଉ ଏକ କାରଣ। ନିଦ୍ରାଭାବ ହୃଦୟକୁ ଦୁର୍ବଳ କରିଥାଏ। ମସ୍ତିଷ୍କର ସର୍କାଡିୟନ୍ ରିମ୍ ନିୟନ୍ତ୍ରଣ ପାଇଁ ଭଲ ଓ ପର୍ଯ୍ୟାପ୍ତ ନିଦର ଆବଶ୍ୟକତା ରହିଛି।  ତେଣୁ ସୁସ୍ଥ ହୃଦୟ ପାଇଁ ପ୍ରତ୍ୟେହ ପର୍ଯ୍ୟାପ୍ତ ଶୋଇବା ଦରକାର। ଗବେଷଣାରୁ ମିଳିଛି, ଯେଉଁ ଲୋକଙ୍କୁ ରାତିରେ ଠିକ ନିଦ ନ ହୁଏ ସେମାନଙ୍କଠାରେ ଗୁରୁତର ହୃଦରୋଗ ହେବାର ଆଶଙ୍କା ଅଧିକ ରହିଛି। 

Related Articles

Leave a Reply

Your email address will not be published.

Back to top button