ରାଜ୍ୟରେ ବଢୁଛି ରାଗିଂ ମାମଲା

() ଦିନକୁ ଦିନ ବଢିବାରେ ଲାଗିଛି ରାଗିଂ ଅଭିଯୋଗ । ଛାତ୍ରଛାତ୍ରୀ ଙ୍କୁ ଆରମ୍ଭ ହୋଇ ଅଧ୍ୟାପକ ଙ୍କ ପର୍ଯ୍ୟନ୍ତ ବ୍ୟାପିଛି l ଅଧିକାଂଶ ଛାତ୍ରୀ ଏହାର ଶିକାର ହେଉଥିବା ବେଳେ, ଏଥିପାଇଁ କାହାର ଜୀବନ ଯାଉଛି ତ କିଏ ପାଠପଢା ବନ୍ଦ କରୁଛି l ତେବେ ଏହାକୁ ରୋକିବା ରେ ସରକାର ବିଫଳ ହେଉଥିବା ବେଳେ, ଏହା ଆଗାମୀ ଦିନରେ ଭୟଙ୍କର ହୋଇପାରେ l

ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ। ସନ୍ଦେହଘେରରେ ଅଧ୍ୟାପକ!  ଅସୁରକ୍ଷିତ ଛାତ୍ରୀ। ଲମ୍ବୁଛି ଅଭିଯୋଗ ତାଲିକା। କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ଶିକ୍ଷାବିତ୍। ରାଜଧାନୀ ଭୁବନେଶ୍ବର ଠାରୁ ଆରମ୍ଭ କରି ନିମାପଡ଼ା ଏବଂ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ ଶିକ୍ଷାନୁଷ୍ଠାନରେ ରାଗିଂ ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି। ରାଗିଂ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ଏହା ଗୋଟିଏରୁ ଆଉଗୋଟେ ଶିକ୍ଷାନୁଷ୍ଠାନକୁ ଡେଇଁବାରେ ଲାଗିଛି। ଏପରିକି ରାଗିଂ ପାଇଁ ଜୀବନ ମଧ୍ୟ ଯାଉଛି। ଗୋଟେପଟେ ରାଗିଂ ରୋକିବା ବର୍ତ୍ତମାନର ବଡ଼ ଆହ୍ବାନ ହୋଇଥିବାବେଳେ ଅନ୍ୟପଟେ କେତେକ ଅଧ୍ୟାପକଙ୍କ ପାଇଁ ଗୁରୁ-ଶିଷ୍ୟା‌ ସମ୍ପର୍କ କଳଙ୍କିତ ହେଲାଣି।

ଗତ କିଛି ମାସ ମଧ୍ୟରେ ବହୁ ମହାବିଦ୍ୟାଳୟରୁ ଅଧ୍ୟାପକଙ୍କ ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆସିବାରେ ଲାଗିଛି। କିଏ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଛି ତ ଆଉ କିଏ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛି। ଅଧ୍ୟାପକଙ୍କ ଏଭଳି କାରନାମା ବିରୋଧରେ କିଛି ଛାତ୍ରୀ ସାମ୍ନାକୁ ଆସି ପ୍ରତିବାଦ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାବେଳେ ଆଉକିଛି ଘଟଣା ଚାପି ହୋଇ ରହିଯାଉଛି। ଏହି ଘଟଣାକୁ ଗୁରୁତ୍ବର ସହ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିକ୍ଷାବିତ୍ ଓ ଅଭିଭାବକ ମହଲରେ ଦାବି ଉଠିଛି ।

ରାଜ୍ୟର ପ୍ରମୁଖ ତଥା ଜଣାଶୁଣା ସରକାରୀ କଲେଜ ଅଧ୍ୟାପକଙ୍କ ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଉଛି। ହେଲେ କୌଣସି ଘଟଣାରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏଭଳି ଘଟଣା ବୃଦ୍ଧି ପାଉଛି। ନିକଟରେ କଟକ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଯୁକ୍ତ ତିନିର ଦ୍ବିତୀୟ ବର୍ଷର ଜଣେ ଛାତ୍ରୀ ‌ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। ହେଲେ ଏହି ଘଟଣା କୁ ନେଇ ଛାତ୍ରୀ ଜଣଙ୍କ ଉଚ ଶିକ୍ଷା ବିଭାଗକୁ ଏ ବାବଦରେ ଚିଠି ଲେଖି ଅବଗତ କରାଇଥିଲେ।

ଏହି ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି କିଛି ଦିନ ତଳେ ଓୟୁଏଟି ଅଧୀନ ବେସିକ୍ ସାଇନ୍ସ କଲେଜର ଛାତ୍ରୀଙ୍କୁ ରାତିଅଧିଆ ମେସେଜ୍ ଦେଇ ଜଣେ ସହାୟକ ପ୍ରଫେସର ଅଡ଼ୁଆରେ ପଡ଼ିଥିଲେ। ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀଙ୍କୁ ସମ୍ପୃକ୍ତ ସହାୟକ ପ୍ରଫେସର କିଛି ଅସିଳ ମେ‌ସେଜ୍ ପଠାଇଥିଲେ। ତେବେ ଏହାର ତଦନ୍ତ ପରେ ଦିଆଯାଇଥିବା ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଥିଲା। ପରେ ଉକ୍ତ ଅଧ୍ୟାପକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ତଦନ୍ତ କମିଟି ରିପୋର୍ଟ ଆଧାରରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଗତ ୯ ତାରିଖରେ ନିଲମ୍ବିତ କରିଥିଲେ।

ଏହି ଘଟଣାର କିଛି ଦିନ ପୂର୍ବେ ନହରକଣ୍ଟାସ୍ଥିତ ଜୟଦେବ କଲେଜର ଜଣେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। କଲେଜର ଯୁକ୍ତ ତିନି ବିଜ୍ଞାନ ଛାତ୍ରୀ ମାସ ମାସ ଧରି ଅଧ୍ୟାପକଙ୍କ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଥିଲେ। କର୍ତ୍ତୃପକ୍ଷ ଘଟଣା ଚାପିବାକୁ ଉଦ୍ୟମ କରିବା ପ‌େ‌ର ଛାତ୍ରୀଜଣକ ଉଚ୍ଚଶିକ୍ଷା ବିଭାଗର ଦ୍ବାରସ୍ଥ ହୋଇଥିଲେ। ଉଚ୍ଚଶିକ୍ଷା ବିଭାଗ ଅଧିକାରୀ ଘଟଣାରେ ହସ୍ତକ୍ଷେପ କରିବା ସହ ଯଥାଶୀଘ୍ର ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ।

ଚଳିତବର୍ଷ ଜାନୁଆରୀ ମାସରେ ବିଜୁ ପଟ୍ଟନାୟକ କଲେଜର ଜଣେ ଛାତ୍ରୀଙ୍କୁ ଅଧ୍ୟାପକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ କଲେଜରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀ କଲେଜ ମୁଖ୍ୟ ଫାଟକ ବନ୍ଦ କରିବା ସହ ରାସ୍ତାରୋକ ମଧ୍ୟ କରିଥିଲେ। ଗତ ଏପ୍ରିଲ ମାସରେ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ବିରୋଧରେ ସମାନ ଅଭିଯୋଗ ଆସିଥିଲା। ଏପରିକି ୨୦୨୨ ମସିହାରେ ଅନେକ ଅଭିଯୋଗ ଆସିଲାଣି । ଆଉ ଅନେକ ମାମଲା ମଧ୍ୟ ଲୁଚି ଯିବା ସହ ଚପାଇ ଦିଆଯାଉଛି। ଫଳରେ ଛାତ୍ରଛାତ୍ରୀ ନିଜ ସୁରକ୍ଷା କୁ ନେଇ ଭୟଭୀତ ହୋଇଛନ୍ତି । ସେପଟେ ଯେଉଁ କମିଟି ଗଠନ ହୋଇଛି ତାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛି ଛାତ୍ର ସଂଗଠନ l

ସିମ୍ପୁଲ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *