ନବରଙ୍ଗପୁର: ଚାଉଳ ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା

ନବରଙ୍ଗପୁର: ଅବ୍ୟବସ୍ଥାରେ ସରକାରୀ ଯୋଜନା। କିଛି ଦୁର୍ନୀତିମୂଳକ ବାବୁଙ୍କ ପାଇଁ ସରକାରଙ୍କ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ପଞ୍ଚାୟତ ପିଇଓଙ୍କ ଜାଲ ଦସ୍ତଖତରେ ଗରିବ ହିତାଧିକାରୀଙ୍କ ଚାଉଳ ହଡପ ହେଉଥିବା ଅଭିଯୋଗ ହୋଇଛି ନବରଙ୍ଗପୁର ଜିଲ୍ଲା ଅମଳାଭଟ୍ଟା ପଂଚାୟତରେ।  

ସରକାର ଗରିବ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ନବରଙ୍ଗପୁର ଜିଲ୍ଲା ଅମଳାଭଟ୍ଟା ପଞ୍ଚାୟତରେ ମଧ୍ୟ ଏହା କାର୍ଯ୍ୟକାରୀ ହେଉଛି। ତେବେ ଗତ ୩ ମାସରେ ପ୍ରାୟ ୧ ହଜାରରୁ ଅଧିକ କୁଇଣ୍ଟାଲ ଚାଉଳ ହିତାଧିକାରୀ ପାଇପାରିନଥିବା ଅଭିଯୋଗ ହୋଇଛି। କିନ୍ତୁ ପଂଚାୟତ ତରଫରୁ ସରକାରୀ ଗୋଦାମରୁ ଗତ ମେ ମାସ ୧୨ ତାରିଖରୁ ଜୁନ ମାସ ୨୩ ତାରିଖ ମଧ୍ୟରେ ୧୦୫୪.୩୭ କୁଇଣ୍ଟାଲ ଚାଉଳ ଉଠାଯାଇଛି। ହେଲେ ତାହା ହିତାଧିକାରୀଙ୍କୁ ଦିଆଯାଇନାହିଁ । ଚାଉଳ ନପାଇ ଲୋକେ ସରପଞ୍ଚ ଏବଂ ପଞ୍ଚାୟତ ପିଇଓଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଉଭୟ ସରପଞ୍ଚ ଏବଂ ପିଇଓ ତେନ୍ତୁଳିଖୁଣ୍ଟି ବିଡ଼ିଓଙ୍କ ନିକଟରେ ଏହାକୁ ନେଇ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

ତଦନ୍ତ କରିବାକୁ ଯାଇଥିବା ବିଡ଼ିଓ ଏବଂ ଅନ୍ୟାନ୍ୟ କର୍ମଚାରୀ ପଂଚାୟତର ଚାଉଳ ଗୋଦାମ ଯାଇ ଯାଞ୍ଚ କରିଥିଲେ। ତେବେ ସେଠାରେ ୧୯୧ କୁଇଣ୍ଟାଲ ଚାଉଳ ଥିବା ଜଣାପଡିଥିବା ବେଳେ ବାକି ଚାଉଳ ନଥିଲା । ଏହାପରେ ଏଥିରେ ସଂପୃକ୍ତ ଥିବା ଯୋଗାଣ ସହାୟକଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଛି। ଅମଳାଭଟ୍ଟା ପଂଚାୟତରେ ୧ହଜାରେ ୫୦୧ ଜଣ ଚାଉଳ କାର୍ଡଧାରୀ ଅଛନ୍ତି। ଗତ ମେ, ଜୁନ, ଏବଂ ଜୁଲାଇ ମାସର ଫ୍ରି ଚାଉଳ ବାବଦକୁ ଆସିଥିବା ପ୍ରାୟ ୮୬୬  କୁଇଣ୍ଟାଲ ଚାଉଳ ହଡପ କରିଥିବା ତଦନ୍ତରୁ ଜଣାପଡିଛି । ସେଭଳି ଜୁଲାଇ ମାସର ଟଙ୍କିକିଆ ଚାଉଳ ମଧ୍ୟ ଅନେକ ହିତାଧିକାରୀଙ୍କୁ ମିଳିନାହିଁ।

ଯୋଗାଣ ସହାୟକ ସରକାରୀ ଚାଉଳ ଗୋଦାମରୁ ପଞ୍ଚାୟତକୁ ଆଣିବା ପାଇଁ ପିଇଓଙ୍କ ଜାଲ ଦସ୍ତଖତ କରିବା ସହ ସିଲ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତ ପିଇଓ ହରେକୃଷ୍ଣ ବିଶୋଇ । ତେବେ ଘଟଣା ସମ୍ପର୍କରେ ଆମେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ  ବିଡ଼ିଓଙ୍କ ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଗରିବଙ୍କ ପାଇଁ ସରକାର କରିଥିବା ଯୋଜନା କିଛି ସରକାରୀ ବାବୁଙ୍କ ପାଇଁ ବାଟବଣା ହୋଇଛି। ତେବେ ଦେଖିବାକୁ ବାକି ରହିଲା କେବେ ଏହି ଚାଉଳ ସମସ୍ୟାର ସମାଧାନ ହେଉଛି।

ନବରଙ୍ଗପୁରରୁ ରବି ପଟ୍ଟନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *