କାହିଁକି ୨ଘଣ୍ଟା ଅଟକାଇଲା ପୁଲିସ ?

ସମ୍ଭଲ ଯାଇପାରିଲେନି ରାହୁଲ ଓ ପ୍ରିୟଙ୍କା। ଗାଜିପୁର ସୀମାରେ ୨ ଘଣ୍ଟା ପୁଲିସ ଅଟକାଇଦେଲା। ବାଧ୍ୟ ହୋଇ ଫେରିଗଲେ ରାହୁଲ। କିନ୍ତୁ ଡିସେମ୍ୱର ୬ରେ ସମ୍ଭଲ ଯିବେ ବୋଲି କହିଛନ୍ତି ରାହୁଲ। ୟୁପିର ସମ୍ଭଲ ହିଂସା ପରେ ବୁଧବାର ପୀଡ଼ିତ ପରିବାରକୁ ଭେଟିବାକୁ ବାହାରିଥିବା ରାହୁଲ ଓ ପ୍ରିୟଙ୍କାଙ୍କୁ ପୁଲିସ ଛାଡ଼ିଲାନି। ରାହୁଲ କହିଛନ୍ତି, ବିରୋଧୀ ଦଳ ନେତା ଭାବେ ହିଂସା ପ୍ରପୀଡ଼ିତ ସମ୍ଭଲକୁ ଯିବା ତାଙ୍କର ଅଧିକାର ଅଛି। ସେ ଏକାକୀ ଯିବାକୁ ବି ପ୍ରସ୍ତୁତ। ପୁଲିସ ସାଙ୍ଗରେ ନେଇକି ବି ଯାଉ। କିନ୍ତୁ କୌଣସି କଥାରେ ପୁଲିସ ରାଜି ହେଉନି। ଏଭଳି ଚରିତ୍ର ସମ୍ୱିଧାନ ବିରୋଧୀ। କଂଗ୍ରେସ ନିରନ୍ତର ଲଢ଼ିବ।

ପ୍ରିୟଙ୍କା କହିଛନ୍ତି, ରାହୁଲ ବିରୋଧୀ ଦଳ ନେତା ଭାବେ ତାଙ୍କର ସ୍ୱତନ୍ତ୍ର ସାମ୍ୱିଧାନିକ ଅଧିକାର ରହିଛି। ଏମିତି ଅଟକାଇବା ଅସାମ୍ୱିଧାନିକ। ୟୁପିରେ ସ୍ଥିତି ବିଗିଡ଼ିଛି। ଆଇନଶୃଙ୍ଖଳା ପରିସ୍ଥିତି ସାମାନ୍ୟ ଥିଲେ ପୁଲିସ କାହିଁକି ତା ହେଲେ ଅଟକାଉଛି। ଅଖିଳେଶ କହିଛନ୍ତି, ପୁଲିସ ଓ ପ୍ରଶାସନ ବିଜେପି ସରକାର ଚାପରେ ପଡ଼ି କୌଣସି ନେତାଙ୍କୁ ସମ୍ଭଲ ଯିବାକୁ ଦେଉନି। ସରକାର କଅଣ ଲୁଚାଇବାକୁ ଚାହୁଁଛନ୍ତି। ମଙ୍ଗଳବାର ବି ସଂସଦରେ ଏଭଳି ହିଂସା କେମିତି ପୂର୍ବ ପ୍ରାୟୋଜିତ ଥିଲା, ତାହାର ଅବତାରଣା କରିଥିଲେ ଅଖିଳେଶ। ୟୁପି ବିଧାନସଭା ଉପ-ନିର୍ବାଚନ ନଭେମ୍ୱର ୧୩ରେ ଥିଲା। କିନ୍ତୁ ଏହାକୁ ଜାଣିଶୁଣି ୨୦କୁ ଘୁଞ୍ଚାଇ ଦିଆଯାଇଥିଲା। ଆଉ ସାହି ଜାମା ମସଜିଦ ବିରୁଦ୍ଧରେ ନଭେମ୍ୱର ୧୯ରେ ସିଭିଲ ଜଜ୍ ସିନିୟର ଡିଭିଜନଙ୍କ ଅଦାଲତରେ ପିଟିସନ ପକାଯାଇଥିଲା। କୋର୍ଟ କିନ୍ତୁ ପ୍ରତିପକ୍ଷକୁ ନ ଶୁଣି ସର୍ଭେ ଲାଗି ଆଦେଶ ଦେଇଦେଲେ। ଆଉ ନିର୍ଦେଶର ତୁରନ୍ତ ଦୁଇ ଘଣ୍ଟା ଭିତରେ ସର୍ଭେ ଟିମ ପୁଲିସ ବଳ ସହ ପହଞ୍ଚିଗଲା। ବିଜେପି କହିଛି, ରାହୁଲଙ୍କ ପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି।  ପ୍ରଧାନମନ୍ତ୍ରୀଙ୍କ ଭଳି ଏଭଳି କଡ଼ା ସୁରକ୍ଷା ବଳୟରେ ଯିଏ ଥାଆନ୍ତି, ସେମାନଙ୍କ ଗସ୍ତ ପୂର୍ବରୁ ଆଗୁଆ ସୂଚନା ଦେଇଯିବାକୁ ପଡ଼େ। ଇଣ୍ଡିଆ ଗଠବନ୍ଧନ ସଂଖ୍ୟାଲଘୁ ଭୋଟ ତୁଷ୍ଟୀକରଣ ନାଁରେ ହୀନ ରାଜନୀତି କରୁଛି। ଏଥିରେ କୌଣସି ସମବେଦନା ନାହିଁ।

ମୁରାଦାବାଦ ଜେଲରେ ସମ୍ଭଲ ହିଂସାର ଅଭିଯୁକ୍ତଙ୍କୁ ସପା ନେତାଙ୍କ ଏକ ପ୍ରତିନିଧି ଦଳ ଭେଟିବା ମାମଲାରେ ଜେଲର ଓ ଡେପୁଟି ଜେଲରଙ୍କୁ ନିଲମ୍ୱିତ କରିଦିଆଯାଇଛି। ଜେଲ ମାନୁଆଲର ଅନୁପାଳନ ହୋଇନି ବୋଲି ଦର୍ଶାଯାଇଛି। ଏହି ହିଂସା ପଛରେ ବିଦେଶୀ ପାଣ୍ଠିର ଆଶଙ୍କା କରାଯାଉଛି। ହିଂସାକାଣ୍ଡ ପରେ ଯାଞ୍ଚରେ ଘଟଣାସ୍ଥଳରୁ ପାକିସ୍ତାନ ଓ ଆମେରିକାର ଖୋକା ମିଳିବା ପରେ ବିଦେଶୀ କନେକ୍ସନର ଆଶଙ୍କା ବଢ଼ିଛି।

ସମ୍ଭଲ ହିଂସା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହାକୁ ନେଇ ସଡ଼କରୁ ସଂସଦ ହୁଲସ୍ତୁଲ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *