ମର୍ଡର ପାଇଁ ୧୫ଲକ୍ଷ ସୁପାରୀ
ପ୍ରଥମେ ଏହାକୁ ସଡ଼କ ଦୁର୍ଘଟଣା ବୋଲି ଧରାଯାଇଥିଲେ ସୁଦ୍ଧା ପୁଲିସ ତଦନ୍ତରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାମ୍ନାକୁ ଆସିଛି।

୧୫ଲକ୍ଷ ସୁପାରୀ- ଓକିଲକୁ ମାରିଦେଲେ ନେତା!
ସେ ଶିକ୍ଷାବିତ୍। କଂଗ୍ରେସ ନେତା। ହେଲେ ମର୍ଡର କରିବାକୁ ୧୫ଲକ୍ଷ ଟଙ୍କା ଦେଇଥିଲେ ସୁପାରୀ। ଜଣେ ଆଇନଜୀବିଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ କରିଥିଲେ ମସୁଧା। ଓକିଲ ଖାଜା ମଇଜୁଦ୍ଦିନ ମର୍ଡର ମାମଲାରେ ଶେଷରେ ବନ୍ଧା ହେଲେ। ଗିରଫ ଅଭିଯୁକ୍ତଙ୍କ ଭିତରେ କଂଗ୍ରେସ ନେତା ମୁଜାହିଦ୍ ଆଲମ ଖାନ ଅଛନ୍ତି। ତେଲେଙ୍ଗାନା ପିସିସିର ଉପସଭାପତି ଥିଲେ ମୁଜାହିଦ୍। ହାଇଦ୍ରାବାଦର ବରିଷ୍ଠ ଆଇନଜୀବୀ ଖାଜା ମୋଇଜୁଦ୍ଦିନଙ୍କ ହତ୍ୟା ମାମଲା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ଏହାକୁ ସଡ଼କ ଦୁର୍ଘଟଣା ବୋଲି ଧରାଯାଇଥିଲେ ସୁଦ୍ଧା ପୁଲିସ ତଦନ୍ତରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାମ୍ନାକୁ ଆସିଛି। ୨୦୨୬ ମଇ ୨୩ ତାରିଖ। ହାଇଦ୍ରାବାଦର ଶାନ୍ତିନଗର ଅଞ୍ଚଳରେ ନିଜ ବାସଭବନ ସମ୍ମୁଖରେ ମୋଇଜୁଦ୍ଦିନଙ୍କୁ ଏକ ଏସୟୁଭି ଗାଡ଼ି ଧକ୍କା ଦେଇଥିଲା। ଭୋର୍ ସାଢ଼େ ୫ଟା। ରେଗୁଲାର ସୁଇମିଂ ସେସନ ସାଗି ପାର୍କିଂରେ ଛିଡ଼ା ହୋଇଥିବା କାର ପାଖକୁ ଯାଉଥିଲେ ମୋଇଜୁଦ୍ଦିନ। ଆଉ ଏତିକିବେଳେ ଦ୍ରୁତ ଗତିରେ ଆସି ସ୍କର୍ପିଓ ପିଟିଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ସଦସ୍ୟମାନେ ଏହାକୁ ସାଧାରଣ ଦୁର୍ଘଟଣା ନୁହେଁ ବୋଲି ଅଭିଯୋଗ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ମୋଇଜୁଦ୍ଦିନ ୱାକଫ୍ ସମ୍ପତ୍ତି ସମ୍ୱନ୍ଧୀୟ ଅନେକ ସମ୍ୱେଦନଶୀଳ ମାମଲାର ଆଇନଗତ ଲଢ଼େଇ କରୁଥିଲେ ଏବଂ ସେହି କାରଣରୁ ତାଙ୍କୁ ଟାର୍ଗେଟ କରାଯାଇଥାଇପାରେ। ତଦନ୍ତ ପରେ ପୁଲିସ ଏହା କଣ୍ଟ୍ରାକ୍ଚ କିଲିଂ ବୋଲି କହିଛି। ଏହି ମାମଲାରେ ଶିକ୍ଷାବିତ୍ ମେହବୁବ ଆଲମ ଖାନ, ତାଙ୍କ ପୁଅ ମୁଜାହିଦ ଆଲମ ଖାନ ଏବଂ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସିସିଟିଭି ଫୁଟେଜ୍, ଯାନବାହନର ତଥ୍ୟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପୁଲିସ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି। ୨ଲକ୍ଷ ଟଙ୍କାରେ ଏହି ସ୍କର୍ପିଓ କିଣାଯାଇଥିଲା। ଜାନୁଆରୀ ମାସରୁ ମୋଇଜୁଦ୍ଦିନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଉପଯୁକ୍ତ ସମୟକୁ କେବଳ ଥିଲା ଅପେକ୍ଷା। ଦୁର୍ଘଟଣା ଘଟାଇବା ପରେ ଗାଡ଼ିର ବିଭିନ୍ନ ପାର୍ଟକୁ ଖଣ୍ଡ ଖଣ୍ଡ କରି କବାଡ଼ିଆକୁ ଦିଆଯାଇଥିଲା। ପିସିସି ଶୃଙ୍ଖଳା କମିଟି ମୁଜାହିଦ ଆଳମ ଖାନଙ୍କୁ ଦଳରୁ ବହିଷ୍କାର କରିଛି। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ବାର ଆସୋସିଏସନ ମଧ୍ୟ ଗଭୀର ଚିନ୍ତା ପ୍ରକାଶ କରିଛି। ନିରପେକ୍ଷ ଓ ଶୀଘ୍ର ତଦନ୍ତ ଦାବି କରିଥିଲା।
