କାଗଜ କଲମରେ ବିକାଶ, ଅଧପନ୍ତରିଆ ପ୍ରକଳ୍ପ
ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକରେ ୫୬୧ଟି ପ୍ରକଳ୍ପ ପାଇଁ ମଞ୍ଜୁର ୧୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା। କିନ୍ତୁ ଏଯାଏଁ ସମ୍ପୂର୍ଣ୍ଣ ହୋଇଛି ମାତ୍ର ୯୪ଟି ପ୍ରକଳ୍ପ। ତିନୋଟି ପଞ୍ଚାୟତରେ ଗୋଟିଏ ବି ପ୍ରକଳ୍ପ ଶେଷ ହୋଇନଥିବା ବେଳେ ଏହାକୁ ନେଇ ଉଠିଛି ପ୍ରଶ୍ନ।
ଭଦ୍ରକ/ଭଣ୍ଡାରିପୋଖରୀ: କାଗଜ କଲମରେ କୋଟି କୋଟି ଟଙ୍କାର ଯୋଜନା, ହେଲେ ସରଜମିନରେ ବିକାଶର ଗତି ଧୀମା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକରେ ୫୬୧ଟି ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଛି ୧୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା। କିନ୍ତୁ ଏଯାଏଁ ସମ୍ପୂର୍ଣ୍ଣ ହୋଇଛି ମାତ୍ର ୯୪ଟି ପ୍ରକଳ୍ପ। ଖର୍ଚ୍ଚ ହୋଇପାରିନାହିଁ ୧୫ କୋଟିରୁ ଅଧିକ ଟଙ୍କା। ତିନୋଟି ପଞ୍ଚାୟତରେ ଗୋଟିଏ ବି ପ୍ରକଳ୍ପ ଶେଷ ହୋଇନଥିବା ବେଳେ ଏହାକୁ ନେଇ ଉଠିଛି ପ୍ରଶ୍ନ। ଭଣ୍ଡାରିପୋଖରୀ ବ୍ଲକର ୨୩ଟି ପଞ୍ଚାୟତରେ ଗ୍ରାମୀଣ ବିକାଶ ପାଇଁ ମୋଟ ୧୮ କୋଟି ୧୭ ଲକ୍ଷ ୭୩ ହଜାର ୬୫୦ ଟଙ୍କା ମଞ୍ଜୁର ହୋଇଥିଲା। ଏହି ଅର୍ଥରେ ୫୬୧ଟି ପ୍ରକଳ୍ପ ହେବାର ଥିଲା। କିନ୍ତୁ ସରକାରୀ ରିପୋର୍ଟ ଅନୁଯାୟୀ, ଏଯାଏଁ ମାତ୍ର ୨ କୋଟି ୪୨ ଲକ୍ଷ ୫୪ ହଜାର ୭୯୫ ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ୍ ୧୫ କୋଟି ୭୫ ଲକ୍ଷ ୧୮ ହଜାର ୮୫୫ ଟଙ୍କା ଏବେ ବି ଖର୍ଚ୍ଚ ହୋଇପାରିନାହିଁ।
ସବୁଠାରୁ ଚିନ୍ତାଜନକ ଚିତ୍ର ଦେଖିବାକୁ ମିଳିଛି ବାଲିପୋଖରୀ, ବୟାବନପୁର ଓ ସୋଳମପୁର ପଞ୍ଚାୟତରେ। ବାଲିପୋଖରୀରେ ୩୩ଟି ପ୍ରକଳ୍ପରୁ ୧୨ଟି କାର୍ଯ୍ୟାଧୀନ ଥିବା ବେଳେ ଗୋଟିଏ ବି ସମ୍ପୂର୍ଣ୍ଣ ହୋଇନାହିଁ। ବୟାବନପୁରରେ ୧୪ଟି ପ୍ରକଳ୍ପରୁ ମାତ୍ର ୪ଟି କାମ ଚାଲିଛି। ସେହିପରି ସୋଳମପୁର ପଞ୍ଚାୟତର ସ୍ଥିତି ଆହୁରି ଚିନ୍ତାଜନକ। ୨୩ଟି ପ୍ରକଳ୍ପ ପାଇଁ ୭୧ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଏଯାଏଁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ। ଅର୍ଥାତ୍ ଖର୍ଚ୍ଚ ଖାତାରେ ରହିଛି ବଡ଼ ଶୂନ। ଅନ୍ୟପଟେ, ରହଣିଆ ପଞ୍ଚାୟତରେ ସର୍ବାଧିକ ୪୫ଟି ପ୍ରକଳ୍ପ ମଞ୍ଜୁର ହୋଇଥିବା ବେଳେ ମାତ୍ର ୧୧ଟି ସମ୍ପୂର୍ଣ୍ଣ ହୋଇଛି। ଝୁଟୁଣା ପଞ୍ଚାୟତରେ ସବୁଠାରୁ କମ୍ ୧୧ଟି ପ୍ରକଳ୍ପ ମଞ୍ଜୁର ହୋଇଥିବା ବେଳେ ସେଥିରୁ ମାତ୍ର ଗୋଟିଏ ପ୍ରକଳ୍ପ ଶେଷ ହୋଇଛି। କୋଟି କୋଟି ଟଙ୍କାର ଅନୁଦାନ ମଞ୍ଜୁର ହେଉଛି, ହେଲେ ପ୍ରକଳ୍ପ କାମ ଆଗେଉନଥିବାରୁ ଏହାର ସୁଫଳ ପାଇପାରୁନାହାନ୍ତି ଲୋକେ। ଅସମ୍ପୂର୍ଣ୍ଣ ପ୍ରକଳ୍ପ ଓ ଅବ୍ୟବହୃତ ଅର୍ଥକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିଛି।
ଗ୍ରାମୀଣ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି। ହେଲେ ଭଣ୍ଡାରିପୋଖରୀ ବ୍ଲକରେ ୧୫ କୋଟି ୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇନପାରିବା ନିଶ୍ଚିତ ଭାବେ ପ୍ରଶାସନିକ କାର୍ଯ୍ୟଶୈଳୀ ଉପରେ ବଡ଼ ପ୍ରଶ୍ନଚିହ୍ନ। ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ କେବେ ଶେଷ ହେବ ଏବଂ ମଞ୍ଜୁର ଅର୍ଥ କେବେ ସଠିକ୍ ଭାବେ ବିନିଯୋଗ ହେବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।
