ଲଖନାରେ ବନ୍ଦ ପଡ଼ିଛି ଟସର ସୁତା ୟୁନିଟ୍, ଚିନ୍ତାରେ ଚାଷୀ
ତାଲା ଝୁଲୁଛି ଲଖନା ଟସର ସୁତା ୟୁନିଟରେ । ଦିନେ ଶ୍ରମିକଙ୍କୁ ମିଳୁଥିଲା ରୋଜଗାର, ଚାଷୀଙ୍କୁ ମିଳୁଥିଲା ପ୍ରୋତ୍ସାହନ। ଏବେ ଗେଟ୍ ରେ ତାଲା, ପରିସରରେ ଅନାବନା ଗଛ ଓ ନଷ୍ଟ ହେଉଛି ମେସିନ୍।
ନୂଆପଡା: ଦିନ ଥିଲା, ଟସର ଚାଷକୁ ନେଇ ନୂଆପଡା ଜିଲ୍ଲାର ଚାଷୀଙ୍କ ମଧ୍ୟରେ ଥିଲା ବେଶ୍ ଉତ୍ସାହ। ଟସର କୋଷା ଉତ୍ପାଦନ କରି ଚାଷୀ ଭଲ ଦି ପଇସା ରୋଜଗାର କରୁଥିବା ବେଳେ, ଲଖନାରେ ଥିବା ଟସର ସୁତା ୟୁନିଟ୍ ସ୍ଥାନୀୟ ଶ୍ରମିକଙ୍କୁ ମଧ୍ୟ ରୋଜଗାର ଯୋଗାଇ ଆସୁଥିଲା। କିନ୍ତୁ ଏବେ ସେହି ୟୁନିଟ୍ରେ ଦୀର୍ଘ ବର୍ଷ ହେଲା ତାଲା ଝୁଲୁଛି। ୟୁନିଟ୍ ପରିସର ଅନାବନା ଗଛରେ ଭର୍ତ୍ତି ହୋଇ ଭୂତକୋଠି ପାଲଟିଥିବା ବେଳେ ମେସିନଗୁଡିକ ମଧ୍ୟ ଖତ ଖାଉଛି। ଏହାକୁ ନେଇ ଚାଷୀ ଓ ଶ୍ରମିକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ। ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନାରେ ଅଶୀ ଦଶକରେ ଟସର ସୁତା ୟୁନିଟ୍ ଆରମ୍ଭ ହୋଇଥିଲା। ଏହି ୟୁନିଟ୍ ଚାଲୁଥିବା ସମୟରେ ଲଖନା ଓ ଆଖପାଖ ଅଞ୍ଚଳର ଅନେକ ଶ୍ରମିକ ଏଠାରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା ଏହି ସୁତା ୟୁନିଟ୍। ହେଲେ ବର୍ଷ ବର୍ଷ ଧରି ୟୁନିଟ୍ ବନ୍ଦ ରହିବା ଯୋଗୁଁ ଏବେ ଏହାର ଗେଟ୍ ସାମ୍ନାରେ ତାଲା ଝୁଲୁଛି। ୟୁନିଟ୍ ଭିତରେ ଅନାବନା ଗଛ ମାଡିଯାଇଥିବା ବେଳେ ମୂଲ୍ୟବାନ ମେସିନଗୁଡିକ ଅଚଳ ହୋଇ ନଷ୍ଟ ହେବାକୁ ବସିଛି। ଲଖନା ସୁତା ୟୁନିଟ୍ ବନ୍ଦ ହେବାର ପ୍ରଭାବ କେବଳ ଶ୍ରମିକଙ୍କ ଉପରେ ପଡିନାହିଁ, ଏହାର ସିଧାସଳଖ ପ୍ରଭାବ ଜିଲ୍ଲାର ଟସର ଚାଷୀଙ୍କ ଉପରେ ମଧ୍ୟ ପଡିଛି। ଟସର ଚାଷୀଙ୍କୁ ସୁବିଧା ଓ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଅଞ୍ଚଳରେ ସମବାୟ ସମିତି ଗଠନ କରାଯାଇଥିଲା। ନୂଆପଡା ଜିଲ୍ଲାର ନାଗପଡା, ରଜନା, ଅଗ୍ରେନ ଓ ଝଗ୍ରାହୀ ପଞ୍ଚାୟତକୁ ନେଇ ବାପୁଜୀ କୋଅପରେଟିଭ ସମିତି ଗଠନ ହୋଇଥିଲା। ଏଥିରେ ୨୪୦ ଜଣ ଚାଷୀ ପଞ୍ଜିକୃତ ହୋଇ ପ୍ରାୟ ୧୦୦ ହେକ୍ଟର ଜମିରେ ଟସର ଚାଷ କରୁଥିଲେ। ସେହିପରି ଲଖନାରେ ଜୟଲକ୍ଷ୍ମୀ କୋଅପରେଟିଭ ସମିତି ଗଠନ କରାଯାଇଥିଲା। ଏଠାରେ ୨୪୨ ଜଣ ଚାଷୀ ପଞ୍ଜିକୃତ ହୋଇ ପ୍ରାୟ ୧୫୦ ହେକ୍ଟର ଚାଷଜମିରେ ଟସର ଚାଷ କରୁଥିଲେ। ଏହା ସହିତ ଲଖନାରେ ସୁତା ୟୁନିଟ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇଥିଲା।
ବର୍ତ୍ତମାନ ସ୍ଥିତି କିନ୍ତୁ ଭିନ୍ନ। ପ୍ରୋତ୍ସାହନ ଓ ସୁବିଧାର ଅଭାବରୁ ଟସର ଚାଷ କରିବାକୁ ଚାଷୀମାନେ ଆଉ ଆଗ୍ରହ ଦେଖାଉନାହାନ୍ତି। ଅଗ୍ରେନ ସମିତିର ୨୪୦ ଜଣ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ଏବେ ମାତ୍ର ୧୫ ଜଣ ଟସର ଚାଷ କରୁଥିବା ବେଳେ ଲଖନା ସମିତିର ୨୪୨ ଜଣ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଚାଷୀ ଟସର ଚାଷ କରୁଛନ୍ତି। ଫଳରେ ଏକଦା ଅଞ୍ଚଳର ଚାଷୀଙ୍କ ପାଇଁ ଭଲ ଆୟର ମାଧ୍ୟମ ଥିବା ଟସର ଚାଷ ଏବେ ଧୀରେ ଧୀରେ କମିବାରେ ଲାଗିଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ଲଖନା ସମିତିରେ ଜଣେ ସମ୍ପାଦକ ନିଯୁକ୍ତ ହୋଇଥିଲେ। ସେ ଟସର ଚାଷ ଓ ଚାଷୀଙ୍କ ବିକାଶ ଦିଗରେ କାମ କରୁଥିଲେ। ତେବେ ତାଙ୍କ ଅବସର ପରେ ଅଗସ୍ତି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ସମ୍ପାଦକ ଭାବେ ନିଯୁକ୍ତ କରାଯାଇ ଭବାନୀପାଟଣା ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ସମିତିର ସ୍ଥାନୀୟ କାର୍ଯ୍ୟକଳାପ ଓ ଚାଷୀଙ୍କ ସହ ନିୟମିତ ଯୋଗାଯୋଗର ଅଭାବ ଯୋଗୁଁ ଟସର ଚାଷର ବିକାଶ ବାଧାପ୍ରାପ୍ତ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଟସର ଚାଷୀ ଓ ଶ୍ରମିକଙ୍କ ରୋଜଗାର ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ହେଲେ ଲଖନା ଟସର ସୁତା ୟୁନିଟକୁ ପୁନଃ କାର୍ଯ୍ୟକ୍ଷମ କରିବା ଜରୁରୀ ବୋଲି ଦାବି ହୋଇଛି। ଏକଦା ଯେଉଁ ୟୁନିଟ୍ ଚାଷୀଙ୍କ ଉତ୍ପାଦିତ ଟସର କୋଷାକୁ ବଜାର ଓ ଶ୍ରମିକଙ୍କୁ ରୋଜଗାର ଦେଉଥିଲା, ଆଜି ସେହି ୟୁନିଟ୍ ତାଲା ପଡି ଅବହେଳିତ ଅବସ୍ଥାରେ ପଡିରହିଛି। ତେଣୁ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ୟୁନିଟକୁ ପୁନଃ ଚାଲୁ କରିବା ସହ ଟସର ଚାଷୀ ଓ ଶ୍ରମିକଙ୍କ ରୋଜଗାରର ଦ୍ୱାର ଖୋଲିବାକୁ ଦାବି ହେଉଛି।
