ନାଲକୋରେ ଚାକିରି ଦେବା ନାଁରେ ଠକେଇ, ଯୁବକ ଗିରଫ
ଚାକିରି ପ୍ରଲୋଭନ ଦେଖାଇ ୬୦ରୁ ଅଧିକ ଯୁବକଙ୍କୁ ଠକେଇ, ଅଭିଯୁକ୍ତ ଗିରଫ । ନିଜକୁ ଦାମନଯୋଡି ନାଲକୋର କର୍ମଚାରୀ ପରିଚୟ ଦେଇ ଚାକିରି କରାଇଦେବାକୁ କହି ନେଉଥିଲେ ଟଙ୍କା ।

କୋରାପୁଟ: ନାଲକୋରେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ୬୦ରୁ ଅଧିକ ଯୁବକଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦଶମନ୍ତପୁର ଥାନା ଅନ୍ତର୍ଗତ କୋଟରାମ୍ବୋ ଗ୍ରାମର ୨୫ ବର୍ଷୀୟ ସୁବାଷ ମୁଦୁଲି। ପୋଲିସ ସୂଚନା ଅନୁଯାୟୀ, କୋରାପୁଟ ଟାଉନ୍ ଥାନାରେ ସୁନ୍ଦୁରୁ ସିରିକା ଅଭିଯୋଗ କରିଥିଲେ ଯେ, ସୁବାଷ ନିଜକୁ ଦାମନଯୋଡି ନାଲକୋର କର୍ମଚାରୀ ପରିଚୟ ଦେଇ ଚାକିରି କରାଇଦେବାକୁ କହି ଟଙ୍କା ନେଇଥିଲେ। ସୁନ୍ଦୁରୁ ସିରିକାଙ୍କଠାରୁ ୧୪ ହଜାର, ଲାଣ୍ଡୁ ସିରିକାଙ୍କଠାରୁ ୮ ହଜାର, ଜଗନ୍ନାଥ ସାନ୍ତାଙ୍କଠାରୁ ୧୦ ହଜାର, ଉଦୟ ସାନ୍ତାଙ୍କଠାରୁ ୫ ହଜାର, ରାଜେନ୍ଦ୍ର ମହାନନ୍ଦିଆଙ୍କଠାରୁ ୩ ହଜାର ଏବଂ ପିତର ସାନ୍ତାଙ୍କଠାରୁ ୬୬ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଚାକିରି ନମିଳିବା ପରେ ଯୁବକମାନେ ଫୋନ୍ କରିଥିଲେ ମଧ୍ୟ ଅଭିଯୁକ୍ତ ଉତ୍ତର ଦେଉନଥିଲେ। ତଦନ୍ତରୁ ଜଣାପଡିଛି ଯେ, ସୁବାଷ ୨୦୨୧ରେ ଏକ ବିଦ୍ୟାଳୟରେ ସୁରକ୍ଷାକର୍ମୀ ଭାବେ କାମ କରିଥିଲେ। ପରେ ରାୟଗଡା ଓ ଦାମନଯୋଡି ନାଲକୋ ସମେତ ଟିକିରି ପ୍ଲାଣ୍ଟରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଯୁବକଙ୍କୁ ଠକୁଥିବା ପୋଲିସ କହିଛି। ପୋଲିସର ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ୬୦ରୁ ଅଧିକ ଲୋକଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଜଣାପଡିଛି। କୋରାପୁଟ ଟାଉନ୍ ଥାନାରେ ମାମଲା ରୁଜୁ କରାଯାଇ ତାଙ୍କ ନିକଟରୁ ଗୋଟିଏ ମୋବାଇଲ୍ ଫୋନ୍ ଓ ଏଟିଏମ୍ କାର୍ଡ ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
