ବନ୍ୟା ସରିଲା, ଦୁର୍ଦ୍ଦଶା ସରିଲାନି: ୬ ଦିନ ପରେ ବି ପ୍ରଶାସନର ଦେଖା ନାହିଁ
ସାରସକଣା ବ୍ଲକ ଧବଣି ଗ୍ରାମରେ ବନ୍ୟା ପରର ଦୁର୍ଦ୍ଦଶା। ଖୋଲା ଆକାଶ ତଳେ ଅସହାୟ ପରିବାର, ଘର ହରାଇଥିବା ପରିବାର କେବେ ପାଇବ ସରକାରୀ ସହାୟତା- ଏବେ ଏହାକୁ ନେଇ ଅପେକ୍ଷା।
ସାରସକଣା: ବନ୍ୟା ପାଣି କମିଛି, ହେଲେ ଦୁର୍ଦ୍ଦଶା କମିନାହିଁ। ବନ୍ୟା ପରବର୍ତ୍ତୀ ସଙ୍କଟ ଏବେ ବି ଲୋକଙ୍କ ପିଛା ଛାଡ଼ିନଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉମାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଧବଣି ଗ୍ରାମରେ ଜଣେ ପରିବାର ଘର ହରାଇ ଅସହାୟ ଅବସ୍ଥାରେ ଦିନ କାଟୁଥିବା ଅଭିଯୋଗ ହୋଇଛି। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ପରିବାରର ଘର ଭାଙ୍ଗିପଡ଼ିଥିବା ବେଳେ ଏବେ ମୁଣ୍ଡ ଗୁଞ୍ଜିବାକୁ ସୁରକ୍ଷିତ ସ୍ଥାନ ନାହିଁ। ବନ୍ୟା ଓ ବର୍ଷାର ଦୁଇଟି ବିପଦ ସହିବା ପରେ ପରିବାର ଏବେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛି।
ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ଘର ଭାଙ୍ଗିପଡ଼ିବାର ୬ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କେହି ଘଟଣାସ୍ଥଳକୁ ଆସି ପରିସ୍ଥିତି ଅନୁଧ୍ୟାନ କରିନାହାନ୍ତି। ଫଳରେ ଖୋଲା ଆକାଶ ତଳେ ବିତୁଛି ଜୀବନ। ୬ ଦିନ ଧରି ଜଣେ ଅସହାୟ ପରିବାର ସହାୟତା ଅପେକ୍ଷାରେ ରହିବା ଘଟଣା ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ବନ୍ୟା ପାଣି କମିଗଲାଣି, ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ହେଲେ ଘର ହରାଇଥିବା ଏହି ପରିବାରର ଦୁଃଖ ଏବେ ବି ଦୂର ହୋଇନାହିଁ। ତେଣୁ ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ପରିବାରର ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
