ପାରାଦୀପ ବନ୍ଦରରେ ପ୍ରଥମଥର ପାଇଁ ଲାଗିଲା Capesize ଜାହାଜ
ଓଡ଼ିଶାର ସାମୁଦ୍ରିକ ଯାତ୍ରାରେ ନୂଆ ଅଧ୍ୟାୟ। ପାରାଦୀପରେ ପ୍ରଥମ Western Dock-1ରେ ଲାଗିଲା Capesize ଜାହାଜ, ମୁଖ୍ୟମନ୍ତ୍ରୀ କହିଲେ- ବଢ଼ୁଛି ଓଡ଼ିଶାର ସାମୁଦ୍ରିକ ଶକ୍ତି।
ଭୁବନେଶ୍ୱର: ଓଡ଼ିଶାର ସାମୁଦ୍ରିକ ଯାତ୍ରାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ପାରାଦୀପ ବନ୍ଦରରେ ପ୍ରଥମଥର ୱେଣ୍ଟର୍ଣ୍ଣ ଡକରେ (Western Dock-1) ଲାଗିଲା ୧୬.୫ ମିଟର ଡ୍ରାଫ୍ଟର ବିଶାଳ Capesize ଜାହାଜ । ପ୍ରଥମଥର ପାଇଁ ୧୬.୫ ମିଟର ଡ୍ରାଫ୍ଟ ଥିବା ଏକ ବିଶାଳ Capesize ଜାହାଜ Western Dock-1ରେ ସଫଳତାର ସହ ଲାଗିଛି । ଏହି ସଫଳତା ପାରାଦୀପ ବନ୍ଦରର ଗଭୀର ଡ୍ରାଫ୍ଟ ଜାହାଜ ପରିଚାଳନା କ୍ଷମତାରେ ଏକ ବଡ଼ ଅଗ୍ରଗତି ବୋଲି ବିବେଚନା କରାଯାଉଛି।
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆରେ 'X'ରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କଳିଙ୍ଗର ଐତିହାସିକ ସାମୁଦ୍ରିକ ପରମ୍ପରାଠାରୁ ଆଧୁନିକ ବିଶ୍ୱ ବାଣିଜ୍ୟ ପର୍ଯ୍ୟନ୍ତ ଓଡ଼ିଶା ନିଜର ସାମୁଦ୍ରିକ ଦିଗନ୍ତକୁ ଲଗାତାର ବିସ୍ତାର କରୁଛି। Capesize ଜାହାଜ ବର୍ଥ କରିବାର ଏହି ସଫଳତା ଦ୍ୱାରା ପାରାଦୀପ ବନ୍ଦରରେ ବୃହତ୍ ଓ ଗଭୀର ଡ୍ରାଫ୍ଟ ଜାହାଜ ପରିଚାଳନାର କ୍ଷମତା ଆହୁରି ବଢ଼ିବ। ଏହା ସହିତ ଓଡ଼ିଶାର ବାଣିଜ୍ୟିକ ସଂଯୋଗ ମଜବୁତ ହେବା ସହ ଶିଳ୍ପ ବିକାଶ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। Capesize ହେଉଛି ସମୁଦ୍ରରେ ଚାଲୁଥିବା ଅତି ବଡ଼ ମାଲବାହୀ ଜାହାଜ । ମୁଖ୍ୟମନ୍ତ୍ରୀ ମାଝୀ ତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସହଯୋଗକୁ ଉଲ୍ଲେଖ କରିଛନ୍ତି। ଏହା ଓଡ଼ିଶାକୁ ଭାରତର ଏକ ପ୍ରମୁଖ ସାମୁଦ୍ରିକ ଗେଟୱେ ଭାବେ ଆହୁରି ସୁଦୃଢ଼ କରୁଥିବା ସେ କହିଛନ୍ତି। କଳିଙ୍ଗର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାରୁ ପାରାଦୀପର ଆଧୁନିକ ସାମୁଦ୍ରିକ ଶକ୍ତି ପର୍ଯ୍ୟନ୍ତ ଓଡ଼ିଶାର ସାମୁଦ୍ରିକ ଯାତ୍ରା ଆଗକୁ ବଢ଼ୁଛି। ଅଧିକ କ୍ଷମତା, ମଜବୁତ ସଂଯୋଗ ଓ ନୂଆ ଶିଳ୍ପ ସୁଯୋଗ ସହ ରାଜ୍ୟ ନିଜର ସାମୁଦ୍ରିକ ଭୂମିକାକୁ ଆହୁରି ବ୍ୟାପକ କରୁଛି।
