ସମ୍ପତ୍ତି ପାଇଁ ପୁରା ପରିବାରକୁ ମର୍ଡର
ଲୁଟ ସୁନାଗହଣା ବଣ୍ଟାକୁ ନେଇ ଅଭିଷେକ ଓ ସନି ଭିତରେ ବିବାଦ ହୋଇଥିଲା। ଆଉ ଏଥିରେ ରାଗି ଅଭିଷେକକୁ ମର୍ଡର କରିଦେଲା ସନି। ଆଉ ମାରିବା ପରେ ଘର କାନ୍ଥରେ ଲେଖିଦେଲା, ବଣ୍ଟି ବବଲି ଓ ବୋହୁ ମାରିଦେଲେ।

ସମ୍ପତ୍ତି ଲୋଭରେ ପରିବାରକୁ ମାରିଦେଲା- ଶେଷରେ ନିଜେ ବି ମଲା
ପରିବାରର ୪ ଜଣଙ୍କୁ ହତ୍ୟା। ସଙ୍ଗମନଗରୀ ପ୍ରୟାଗରାଜର ସାଉଥମଲାକା ଏରିଆରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା ଘଟଣା ହଇଚଇ ସୃଷ୍ଟି କରିଥିଲା। ତେବେ ସମସ୍ତେ ହତଚକିତ ସେତେବେଳେ ହେଲେ, ଯେତେବେଳେ ଜାଣିଲେ ଯେ, ହତ୍ୟାକାରୀ ଆଉ କେହି ନୁହେଁ। କରଜରେ ବୁଡ଼ିଥିବା ପୁଅ ଅଭିଷେକ ଓ ତାଙ୍କ ସାଥୀ ଥିଲେ। ଘଟଣା ଥିଲା କିଛି ଏମିତି। ୟପିର ସାଉଥମଲାକା ଏରିଆରେ ମଙ୍ଗଳବାର ଘରର ମାଲିକ ବୀରେନ୍ଦ୍ର ବୈଶ୍ୟଙ୍କ ଘରର ତାଲା ଭାଙ୍ଗି ୩ଜଣଙ୍କ ଶବ ଜବତ କରିଥିଲା। ୭୦ ବର୍ଷୀୟ ବୀରେନ୍ଦ୍ର ବୈଶ୍ୟ, ତାଙ୍କ ପତ୍ନୀ ୬୫ ବର୍ଷୀୟା ଅନୀତା ଓ ୪୫ ବର୍ଷୀୟା ଝିଅ ମିନାକ୍ଷୀଙ୍କ ଶବ ଜବତ ହୋଇଥିଲା। ସେ ସମୟରେ ତାଙ୍କର ୪୦ ବର୍ଷର ପୁଅ ଅଭିଷେକ ବୈଶ୍ୟ ନିଖୋଜ ଥିଲେ। ସଂଧ୍ୟାରେ ଘର ପରିସରରେ ଥିବା ଦୋକାନରେ ପୁଅ ଅଭିଷେକର ଶବ ବି ଜବତ ହୋଇଥିଲା। ଏହି ଜଘନ୍ୟ ହତ୍ୟାକାଣ୍ଡରେ ଆଉ କେହି ଅଭିଯୁକ୍ତ ନଥିଲେ। ବରଂ ଅଭିଷେକ ବୈଶ୍ୟ ହିଁ ଥିଲା। ଯିଏ ନିଜ ଦୋକାନର ସାଙ୍ଗ ସନି ଗୁପ୍ତା ସହ ମିଶି ଏଭଳି ନାରକୀୟ କାଣ୍ଡ ଘଟାଇଛି। ସନୀ ଗୁପ୍ତା ମୁଟ୍ଟିଗଞ୍ଜ ବାସିନ୍ଦା। ସେ ବୀରେନ୍ଦ୍ରଙ୍କ ଘରେ ହିଁ ଦୋକାନ କରିଥିଲା। ସେପଟେ ଅଭିଷେକ ବଡ଼ କରଜରେ ବୁଡ଼ିଥିଲା। ଅଭିଷେକକୁ ସମ୍ପତ୍ତିରୁ ବେଦଖଲ କରିଦେଇଥିଲେ ବୀରେନ୍ଦ୍ର। ଏହାକୁ ନେଇ ପ୍ରାୟ ଘରେ ଝଗଡ଼ା ହେଉଥିଲା। ମେ ୩୧ରେ ଅଭିଷେକ ଓ ସନି ମିଶିକି ମଦ ପିଇଥିଲେ ଓ ପୁରା ପରିବାରକୁ ଖତମ କରି ଟଙ୍କା, ସୁନାଗହଣା ଲୁଟର ପ୍ଲାନ୍ କରିଥିଲେ। ପୁଲିସ ଜେରାରେ ଅଭିଯୁକ୍ତ ସନି କହିଛି, ମେ ୩୧ରେ ଯେତେବେଳେ ସଂଧ୍ୟାରେ ମିନାକ୍ଷୀ ଦୋକାନ ଖୋଲିବାକୁ ତଳକୁ ଓହ୍ଲାଉଥିଲେ, ସେତେବେଳେ ତାଙ୍କୁ ହତ୍ୟା କରାଗଲା। ହତ୍ୟା କରି ଶବକୁ ଉପରକୁ ନେଇଯାଇଥିଲେ। ଘରେ ଶୋଇଥିବା ବୀରେନ୍ଦ୍ର ଓ ତାଙ୍କ ପତ୍ନୀ ଅନୀତାଙ୍କ ମୁଣ୍ଡକୁ ଲୁହା ପାଇପରେ ପିଟି ହତ୍ୟା କରିଦେଲେ। ହତ୍ୟାକରିବା ପରେ ଦୁହେଁ ଆଲମିରାରୁ ଟଙ୍କା, ସୁନାଗହଣା ନେଇ ତଳକୁ ଓହ୍ଲାଇଥିଲେ। ହେଲେ ଲୁଟ ସୁନାଗହଣା ବଣ୍ଟାକୁ ନେଇ ଅଭିଷେକ ଓ ସନି ଭିତରେ ବିବାଦ ହୋଇଥିଲା। ଆଉ ଏଥିରେ ରାଗି ଅଭିଷେକକୁ ମର୍ଡର କରିଦେଲା ସନି। ଆଉ ମାରିବା ପରେ ଘର କାନ୍ଥରେ ଲେଖିଦେଲା, ବଣ୍ଟି ବବଲି ଓ ବୋହୁ ମାରିଦେଲେ। ଏ ସବୁ ଷଡ଼ଯନ୍ତ୍ର ପୁଲିସକୁ ବିଭ୍ରାନ୍ତ କରିବାକୁ ଲେଖିଥିଲା ସନି। କାରଣ ହତ୍ୟା ସାନ ପୁଅ ବୋହୂ କରିଛନ୍ତି ବୋଲି ପୁଲିସ ଜାଣି ସେ ଦିଗରେ ତଦନ୍ତକୁ ବଢ଼ାଇବ। ବୀରେନ୍ଦ୍ରଙ୍କ ସାନ ପୁଅ ଜେଲରେ ଅଛି। ହେଲେ ପୁଲିସ ଶେଷରେ ଅସଲ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି। ରବିବାର ହତ୍ୟାକାଣ୍ଡ ଘଟିଥିଲା। କିନ୍ତୁ ମଙ୍ଗଳବାର ଘରୁ ଦୁର୍ଗନ୍ଧ ଆସିବାରୁ ସମସ୍ତଙ୍କୁ ଜଣା ପଡ଼ିଥିଲା। ଏ ମାମଲାରେ ଫାଣ୍ଡି ଇନଚାର୍ଜଙ୍କ ସହ ଦୁଇ ପୁଲିସ କର୍ମୀଙ୍କୁ ସସପେଣ୍ଡ କରାଯାଇଛି। ସିସିଟିଭି ଫୁଟେଜରୁ ରହସ୍ୟ ଖୋଲିଥିଲା। ମୃତ ବୀରେନ୍ଦ୍ରଙ୍କ କପଡ଼ା ଓ ଜୋତା ପିନ୍ଧି ଘରୁ ବାହାରିଥିଲା ସନି। ଲୋକଙ୍କୁ ଏ କିଏ ବୋଲି ଦେଖାଇବାରୁ ଲୋକେ ସନିକୁ ଚିହ୍ନଟ କରିଥିଲେ। ପୁଲିସ ସନିକୁ ମାଟିୟାରା କ୍ଷେତ୍ରସ୍ଥିତ ତା ଘରୁ ତାକୁ ଗିରଫ କରିଛି।
