ବିନା ସେଲିବ୍ରେସନରେ ବେଙ୍ଗାଲୁରୁର ବିଜୟ ମୁକୁଟ!
ଡିଫେଣ୍ଡିଂ ଚାମ୍ପିଅନ ଆରସିବି ପାଇଁ ଆଇପିଏଲ ଫାଇନାଲ ବେଙ୍ଗାଲୁରୁରେ କରିବାର ଥିଲା। ନଚେତ କୌଣସି ନ୍ୟୁଟ୍ରାଲ ଭେନ୍ୟୁ ଯେମିତିକି ରାୟପୁରରେ ହେବାର ଥିଲା।

ଆଇପିଏଲ ମହାସମରରେ ପୁଣି ବାଜି ମାରିଲା ଆରସିବି। କ୍ରମାଗତ ଦ୍ୱିତୀୟ ଥର ଚାମ୍ପିଅନ ସାଜିଲା। ଗଲା ଥର ଟ୍ରଫି ଜିତି ଦୀର୍ଘ ୧୮ ବର୍ଷର ପ୍ରତୀକ୍ଷାର ଅବସାନ ଘଟାଇଥିଲା। ଆଉ ଏଥର ଗୁଜୁରାଟ ଟାଇଟନ୍ସକୁ ହରାଇ ଚାମ୍ପିଅନ ଧ୍ୱଜା ପୁଣି ଉଡ଼ାଇଲା। ହେଲେ ଏହି ବଡ଼ ବିଜୟର ସ୍ୱାଦ ଚାଖିଲା ସିନା ଟିମ୍। କିନ୍ତୁ ତାକୁ ସେଲିବ୍ରେସନ କରିବାକୁ ଆରସିବି ଫ୍ୟାନ୍ ପାଇଲେନି ସୁଯୋଗ। କାରଣ ଗଲା ଥର ଆରସିବି ଚାମ୍ପିଅନ ହେବା ପରେ ବେଙ୍ଗାଲୁରୁରେ ହୋଇଥିବା ବିଜୟ ଉତ୍ସବ ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଏବଂ ସହରର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ପ୍ରଶଂସକ ଏକତ୍ରିତ ହୋଇଥିଲେ। କିନ୍ତୁ ଅତ୍ୟଧିକ ଭିଡ଼ ଯୋଗୁଁ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ। ଘଟଣା ପରେ ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଏବଂ ଆୟୋଜନରେ ତ୍ରୁଟି ନେଇ ପ୍ରଶ୍ନ ଉଠିଥିଲା। ଏହି ଦୁଃଖଦ ଘଟଣା ପରେ ଆରସିବିର ବିଜୟ ଉତ୍ସବ ଅଧାରୁ ବନ୍ଦ କରାଯାଇଥିଲା। ଅନେକ ପ୍ରଶଂସକ ଅନୁଭବ କରିଥିଲେ ଯେ ସେମାନେ ନିଜ ପ୍ରିୟ ଦଳର ଐତିହାସିକ ବିଜୟକୁ ସୁରକ୍ଷିତ ଓ ସ୍ୱଚ୍ଛନ୍ଦ ଭାବେ ପାଳନ କରିବାର ସୁଯୋଗରୁ ବଞ୍ଚିତ ହୋଇଥିଲେ। ଏଭଳି ଘଟଣା ପଛର କାରଣ ଓ ଦାୟିତ୍ୱରେ ଅବହେଳା ଲାଗି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅନେକ ପଦକ୍ଷେପ ନିଆଯାଇଥିଲା। ଏଥର ଆଇପିଏଲ୍ ୨୦୨୬ ରେ ଆରସିବି ପୁଣିଥରେ ଚାମ୍ପିୟନ୍ ହେବା ପରେ ଅଧିନାୟକ ରଜତ ପଟିଦାର ସେହି ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ପ୍ରଶଂସକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ସେମାନଙ୍କୁ ଆରସିବି ପରିବାରର ଅଂଶ ବୋଲି କହିଥିଲେ। ୨୦୨୬ ଆଇପିଏଲ୍ ଫାଇନାଲ୍ ବେଙ୍ଗାଲୁରୁ ବଦଳରେ ଅହମଦାବାଦରେ ହେବାକୁ ନେଇ ଘୋଷିତ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆରସିବି ଖେଳୁଥିବା ଫାଇନାଲ୍ ମ୍ୟାଚ୍ ବେଙ୍ଗାଲୁରୁରେ ହେବା ଉଚିତ୍ ଥିଲା ବୋଲି କହିଛନ୍ତି ଡିକେ ଶିବକୁମାର। ଆଇପିଏଲର ଫାଇନାଲ ଭେନ୍ୟୁକୁ ସିଫ୍ଟ କରିବା ପଛରେ ରାଜନୀତି ହୋଇଛି। ଏହା ଆରସିବି ଫ୍ୟାନସଙ୍କ ପାଇଁ ଅନ୍ୟାୟ। ତେବେ କାହିଁକି ଫାଇନାଲ ଭେନ୍ୟୁକୁ ସିଫ୍ଟ କରାଗଲା। ୨୦୨୫ରେ ବି ଆଇପିଏଲ ଫାଇନାଲ ଅହମଦାବାଦକୁ ସିଫ୍ଟ ହୋଇଥିଲା। ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ବି ସମାନ ଆରୋପ ଲଦିଥିଲେ। ଡିଫେଣ୍ଡିଂ ଚାମ୍ପିଅନ ଆରସିବି ପାଇଁ ଆଇପିଏଲ ଫାଇନାଲ ବେଙ୍ଗାଲୁରୁରେ କରିବାର ଥିଲା। ନଚେତ କୌଣସି ନ୍ୟୁଟ୍ରାଲ ଭେନ୍ୟୁ ଯେମିତିକି ରାୟପୁରରେ ହେବାର ଥିଲା। ଫାଇନାଲ ପୂର୍ବରୁ ପିଚ୍ ରିଗିଂର ଅଭିଯୋଗ ଆଣିଥିଲେ ସୁରେଶ ରୈନା। ଗୁଜରାଟ ହୋମ ଗ୍ରାଉଣ୍ଡରେ ଗୁଜରାଟ ଟାଇଟନ୍ସ ହାରିଗଲା। ତେବେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଯିଏ କଂଗ୍ରେସ ସାଂସଦ, ସେ ବି କାହିଁକି ମୌନ ରହିଲେ। ତାକୁ ନେଇ ସୋସିଆଲ ମିଡିଆରେ ରାଜୀବଙ୍କ ବିରୁଦ୍ଧରେ କଂଗ୍ରେସ ଆକ୍ସନ ନେଉ ବୋଲି ଦାବି ହେଲାଣି। କାଉଣ୍ଟରରେ ପୂର୍ବତନ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ତଥା ବିଜେପି ନେତା ଅନୁରାଗ ଠାକୁର କହିଛନ୍ତି, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯେଭଳି ସୁନ୍ଦର, ସୁରକ୍ଷିତ ଆୟୋଜନ ହୋଇଥିଲା, ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା। ସେପଟେ କୁର୍ଣ୍ଣୁଲରେ ବିଜୟ ସେଲିବ୍ରେସନ ବେଳେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଲୋକେ। ଆରସିବି ଜିତିବା ପରେ ବେଙ୍ଗାଲୁରୁରେ ଯେମିତି ଦ୍ୱିତୀୟ ଦିପାବଳୀ ପାଳିଛନ୍ତି ଲୋକେ। ହେଲେ ଭେନ୍ୟୁ ସିଫ୍ଟ ନେଇ ବିବାଦ ଓ ରାଜନୀତି ଏବେ ବି ଜାରି ରହିଛି। ସେପଟେ ବେଙ୍ଗାଲୁରୁରେ ଆଜି କୌଣସି ବିଜୟ ପ୍ୟାରେଡ୍ ହେବନି ବୋଲି ଫ୍ରାଞ୍ଚାଇଜ ନିଷ୍ପତ୍ତି ନେଇଛି। କାରଣ ଗୋଟିଏ ପଟେ ଶିବକୁମାରଙ୍କ ଶପଥ ସମାରୋହ ଅଛି। ଆଜି ଲୋକଭବନରେ ଅପରାହ୍ନରେ ଶପଥ ନେଇଥାଆନ୍ତେ ଶିବକୁମାର। ଚିନ୍ନାସ୍ୱାମୀ ଷ୍ଟାଡିଅମ ନିକଟରେ ଅଛି ଲୋକଭବନ। ହେଲେ ଶପଥ ସମାରୋହ ଜୁନ୍ ୩କୁ ଘୁଞ୍ଚିଛି। ଶପଥ ସମାରୋହରେ ପ୍ରବଳ ଭିଡ଼ ହେବ। ବହୁ ଭିଭିଆଇପି ସାମିଲ ହେବାକୁ ଥିବାରୁ ପୁଲିସ ବି ସୁରକ୍ଷା ବ୍ୟବସ୍ଥାରେ ରହିବ। ସେଥିଲାଗି ଅନ୍ୟତମ ହାଇଭୋଲଟେଜ କାର୍ଯ୍ୟକ୍ରମକୁ ଅନୁମତି ଦେବା ମୁସ୍କିଲ।
