ସିଲେକ୍ସନ ପରୀକ୍ଷାରେ ଭିନେଶ ଫୋଗଟ
ବିଚାରପତି କହିଛନ୍ତି, ଭିନେଶ ଦେଶ ପାଇଁ ଗୌରବ ଆଣିଛନ୍ତି। ସେଥିଲାଗି ଏହି ପର୍ଯ୍ୟାୟରେ ତାଙ୍କୁ ଫେରାଇଦେବା ଉଚିତ ହେବନି।

ଭିନେଶଙ୍କୁ ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ..
ଭିନେଶ ଫୋଗଟଙ୍କୁ ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ। କୁସ୍ତି ଖେଳାଳୀ ଭିନେଶଙ୍କୁ ୨୦୨୬ ଏସିଆନ ଗେମ୍ସ ପାଇଁ ଚୟନ ପରୀକ୍ଷାରେ ଅଂଶଗ୍ରହଣ ଲାଗି ଶୁକ୍ରବାର ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆଜି ଓ କାଲି ଦୁଇ ଦିନ ହେଉଛି ଚୟନ ପରୀକ୍ଷା। ଦିଲ୍ଲୀ ହାଇକୋର୍ଟଙ୍କ ରାୟରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି, ମାମଲାର ବ୍ୟାପକ ଆଇନଗତ ପ୍ରଶ୍ନକୁ ପରେ ବିଚାର କରାଯିବ। କିନ୍ତୁ ଏବେ ଭିନେଶଙ୍କୁ ଖେଳିବାରୁ ବଞ୍ଚିତ କରିବା ଉଚିତ ନୁହେଁ। ବିଚାରପତି କହିଛନ୍ତି, ଭିନେଶ ଦେଶ ପାଇଁ ଗୌରବ ଆଣିଛନ୍ତି। ସେଥିଲାଗି ଏହି ପର୍ଯ୍ୟାୟରେ ତାଙ୍କୁ ଫେରାଇଦେବା ଉଚିତ ହେବନି। ଭିନେଶ ଜଣେ ଖ୍ୟାତାନାମା ଭାରତୀୟ ମହିଳା କୁସ୍ତିଯୋଦ୍ଧା। ସେ କମନଓ୍ୱେଲଥ ଗେମ୍ସରେ ୩ଥର ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏସିଆନ ଗେମ୍ସରେ ବି ଚାମ୍ପିଅନ ସାଜିଲେ। ୨୦୨୪ ପାରିସ୍ ଅଲମ୍ପିକ୍ସ ପରେ ସେ ଅବସର ଘୋଷଣା କରିଥିଲେ। ହେଲେ ପରେ ପୁଣି ପ୍ରତିଯୋଗିତାମୂଳକ କୁସ୍ତିକୁ ଫେରିଥିଲେ। ତେବେ ଏସିଆନ ଗେମ୍ସ ଚଯନ ପରୀକ୍ଷାରେ ସିନା ଅଂଶଗ୍ରହଣ କରିଛନ୍ତି। ହେଲେ ମୂଳ ବିବାଦ ଉପରେ ଅନ୍ତିମ ରାୟ ଦେଇନାହାନ୍ତି ସୁପ୍ରିମକୋର୍ଟ। ଭିନେଶ ଫୋଗଟଙ୍କ ବିରୋଧରେ WFI ର ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ (WFI) ଭିନେଶ ଫୋଗଟଙ୍କୁ ୨୦୨୬ ଏସିଆନ୍ ଗେମ୍ସ ଚୟନ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଥିବା ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା। WFI ଆବେଦନରେ କହିଛି ଯେ, ହାଇକୋର୍ଟଙ୍କ ଆଦେଶ ଫେଡେରେସନର ଚୟନ ନୀତି ଓ ଯୋଗ୍ୟତା ନିୟମରେ ହସ୍ତକ୍ଷେପ କରୁଛି। ହେଲେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଭିନେଶ ଫୋଗାଟଙ୍କ ଏସିଆନ୍ ଗେମ୍ସ ଚୟନ ପରୀକ୍ଷାରେ ଅଂଶଗ୍ରହଣ ଉପରେ କୌଣସି ରୋକ ଲଗାଇବାକୁ ଅସ୍ୱୀକାର କରିଥିଲେ। ୨୦୨୫ ଶେଷଭାଗରେ ପୁଣିଥରେ ପ୍ରତିଯୋଗିତାମୂଳକ କୁସ୍ତିକୁ ଫେରିଥିବା ଭିନେଶ ଫୋଗାଟ ଏସିଆନ୍ ଗେମ୍ସ-୨୦୨୬ ଚୟନ ଟ୍ରାଏଲରେ ଭାଗ ନେବାକୁ ଅନୁମତି ଚାହିଁଥିଲେ। କିନ୍ତୁ WFI ନିଜର ଚୟନ ନୀତି ଆଧାରରେ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା। ଦିଲ୍ଲୀ ହାଇକୋର୍ଟ କହିଥିଲେ, ମାତୃତ୍ୱ ଅବକାଶ ଓ ଅସ୍ଥାୟୀ ଅବସର କାରଣରୁ ତାଙ୍କର ଅନୁପସ୍ଥିତିକୁ ଆଧାର କରି ଚୟନରୁ ବଞ୍ଚିତ କରିବା ଯୁକ୍ତିସଙ୍ଗତ ନୁହେଁ। ତେଣୁ ଅଦାଲତ ତାଙ୍କୁ ଟ୍ରାଏଲରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଥିଲେ। ତେବେ WFI କାହିଁକି ସୁପ୍ରିମକୋର୍ଟ ଗଲା। WFI ଯୁକ୍ତି ଦେଇଥିଲା ଯେ କ୍ରୀଡ଼ା ଚୟନ ପ୍ରକ୍ରିୟା ଓ ଯୋଗ୍ୟତା ନିର୍ଦ୍ଧାରଣ କ୍ରୀଡ଼ା ସଂଘର ଅଧିକାର କ୍ଷେତ୍ର ମଧ୍ୟରେ ପଡ଼େ ଏବଂ ଏଥିରେ ଅଦାଲତଙ୍କ ହସ୍ତକ୍ଷେପ ସୀମିତ ହେବା ଉଚିତ। ଏହି କାରଣରୁ ହାଇକୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଲାଗୁ କରିବାକୁ WFI ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ସୁପ୍ରିମକୋର୍ଟର ଜଷ୍ଟିସ ପି.ଏସ୍. ନରସିଂହା ଓ ଜଷ୍ଟିସ ଆଲୋକ ଆରାଧେଙ୍କ ଖଣ୍ଡପୀଠ WFI ର ଆବେଦନ ଉପରେ ତୁରନ୍ତ ସ୍ଥଗିତାଦେଶ ଦେବାକୁ ମନା କରିଦେଇଥିଲେ। ଭିନେଶଙ୍କ ଓଜନ ବର୍ଗକୁ ନେଇ ବି ବିବାଦ ତେଜିଥିଲା। ଆରମ୍ଭରେ WFI ବିନେଶଙ୍କୁ କେବଳ ୫୦ କିଲୋଗ୍ରାମ ବର୍ଗରେ ଟ୍ରାଏଲ ଖେଳିବାକୁ ଅନୁମତି ଦେଇଥିଲା। ପରେ ସଂଘ ନିଜ ନିଷ୍ପତ୍ତି ବଦଳାଇ ତାଙ୍କୁ ୫୩ କିଲୋଗ୍ରାମ ବର୍ଗରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ପ୍ରଦାନ କରିଛି।
