ବନ୍ଦ ହୋଇଥିବା କେସ ରିଓପନ ହୋଇଥିଲା; ସଂଘର୍ଷ ୧୪ ବର୍ଷର ଥିଲା, ନ୍ୟାୟ ଏମିତି ମିଳିଲା!

Spread the love

ସଂଘର୍ଷ ୧୪ ବର୍ଷର । ପ୍ରତିଟି ମୁହୁର୍ତ୍ତ ଥିଲା ଯନ୍ତ୍ରଣା ଦାୟକ । ଏସିଡ ଆଟାକର ଶିକାର ହେବା ପରେ ନିଜ ପ୍ରତି ହୋଇଥିବା ବର୍ବର କାଣ୍ଡର ନ୍ୟାୟ ଦାବିରେ ସ୍ଥାନୀୟ ପୁଲିସ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ନେହୁରା ହୋଇଥିଲେ ପିଡିତା । କେତେବେଳେ ପୁଲିସ କର୍ଣ୍ଣପାତ କରିନଥିଲା ତ ଆଉ କେତେବେଳେ ଅଣଦେଖା କରିଥିଲା ପ୍ରଶାସନ । ଏପରି କି ଅଭିଯୁକ୍ତଙ୍କୁ ଧରିବା ବଦଳରେ ସେହି ନାମରେ କେହି ବ୍ୟକ୍ତି ନଥିବା ଦର୍ଶାଇ ଫାଇଲ ବନ୍ଦ କରିଦେଇଥିଲା ଜଗତସିଂପୁର ପୁଲିସ ।

ପ୍ରଶାସନିକ ସ୍ତରରେ ବାରମ୍ୱାର ଗୁହାରୀ ହେବା ପରେ ଶେଷରେ ୨୦୧୭ ମସିହାରେ ରି-ଓପେନ ହେଲା ଏସିଡ ପିଡିତା ପ୍ରମୋଦିନୀ ରାଉଳଙ୍କ ଫାଇଲ । ବନ୍ଧା ହେଲେ ଏହି ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟ । ଆଜି ଏହି ମାମଲାରେ ଚୁଡାନ୍ତ ରାୟ ଶୁଣାଇଛନ୍ତି  ଜଗତସିଂହପୁର ଏଏସଜେ ମହିଳା କୋର୍ଟ । ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉଭୟଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଆର୍ଥିକ ଜରିମାନା କରାଯାଇଛି । ଜରିମାନା ଅନାଦେୟ ହେଲେ ଆଉ ୯ ମାସ ଜେଲ ଦଣ୍ଡ ଭୋଗିବେ ଦୁଇ ଅଭିଯୁକ୍ତ ।

ମାମଲାର ବିଚାର କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଏଏସଜେ ମହିଳା କୋର୍ଟ । ସେପଟେ କୋର୍ଟଙ୍କ ରାୟଙ୍କୁ ସମ୍ମାନ ଜଣାଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡାଦେଶରେ ସନ୍ତୁଷ୍ଟ ନୁହନ୍ତି ପିଡିତାଙ୍କ ପରିବାର ।

ପୁରା ଘଟଣାକୁ ଜାଣିବା: ସେଦିନ ଥିଲା ୨୦୦୯ ମସିହା, ଏପ୍ରିଲ ୧୮ ତାରିଖ । ସବୁ ଦିନ ଭଳି ସେହି ଦିନ ମଧ୍ୟ ପ୍ରମୋଦିନୀ ନିଜ ଭାଇଙ୍କ ସହ ସାଇକେଲରେ ଜଣେ ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ । ଫେରିବା ବାଟରେ ତିର୍ତ୍ତୋଲ ଥାନା କନକପୁର ଗ୍ରାମ ନିକଟରେ ଦୁଇ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟ, ପିଡିତାଙ୍କୁ ଅଟକାଇ ପ୍ରେମ ନିବେଦନ କରିଥିଲେ । ହେଲେ ଅଭିଯୁକ୍ତଙ୍କ ପ୍ରସ୍ତାବକୁ ପିଡିତା ପ୍ରମୋଦିନୀ ପ୍ରତ୍ୟାଖ୍ୟାନ କରିଥିଲେ ।

ଏକତରଫା ପ୍ରେମରେ ବିଫଳ ହେବା ପରେ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ, ସହଯୋଗୀ ଅନୀଲ ଦଳସିଂରାୟଙ୍କ ମିଶି ପ୍ରମୋଦିନୀଙ୍କ ଉପରେ ଏସିଡ ମାଡ କରିଥିଲେ । ଏଥରେ ପ୍ରମୋଦିନୀଙ୍କ ମୁହଁ, କାନ ଆଖିର ପ୍ରାୟ ୮୦ ଭାଗ ଜଳିଯାଇଥିଲା । ଦୀର୍ଘ ୪ ବର୍ଷ ଧରି ହସ୍ପିଟାଲ ବେଡରେ ନିଜ ଜୀବନ ସହ ସଂଗ୍ରମ କରିଥିଲେ ପ୍ରମୋଦିନୀ । ଏହାରି ଭିତରେ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ମାମଲା ଦାୟର କରାଯାଇଥିଲା । ହେଲେ ଅଭିଯୁକ୍ତଙ୍କ ଲାପତା ଦର୍ଶାଇ ତିର୍ତ୍ତୋଲ ପୁଲିସ ଫାଇଲକୁ ବନ୍ଦ କରିଦେଇଥିଲେ । ତଥାପି ହାରି ନଥିଲେ ପ୍ରମୋଦିନୀ ।

ନ୍ୟାୟ ପାଇଁ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ବାରମ୍ୱାର ଗୁହାରୀ କରିଥିଲେ । ଆଉ ୨୦୧୭ ମସିହାରେ କେସ  ରିଓପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏହା ପରେ ଆଇନର ପଞ୍ଝାରେ ପଡିଥିଲେ ଦୁଇ ଅଭିଯୁକ୍ତ ।

ବିଳମ୍ୱିତ ନ୍ୟାୟ ପ୍ରକ୍ରୀୟା ଏବଂ ଦୁଷ୍ଟାନ୍ତମୂଳକ ଦଣ୍ଡ ବିଧାନ ନହେବା ଯୋଗୁଁ ଅଭିଯୁକ୍ତ, ଅପରାଧ ଘଟାଇ ବେଧଡକ ବୁଲୁଛନ୍ତି । ଏଠି ପ୍ରଶ୍ନ ଏସିଡ ଆଟାକରେ ପିଡିତାଙ୍କ ଯେଉଁ ଅପୂରଣୀୟ କ୍ଷତି ଘଟିଛି, ତାହାର କ୍ଷତି ଭରଣା କରିବ କିଏ ।

Leave a Reply

Your email address will not be published. Required fields are marked *