ଆମେରିକାର ଏକଚାଟିଆ ନୀତିକୁ ଆଉ ବରଦାସ୍ତ କରିବନି ୟୁରୋପ । ନାଟୋରେ ଆମେରିକାର କ୍ଷମତାକୁ ସଂକୁଚିତ କରାଯିବ । ଏହାର ସାମରିକ ପାଣ୍ଠି ପ୍ରଦାନକୁ ବି କମାଇ ଦିଆଯିବ । ୟୁରୋପୀୟ ଦେଶଗୁଡ଼ିକ ଏଥିପାଇଁ ୫-୧୦ ବର୍ଷର ଯୋଜନା ବନାଉଥିବା ସୂତ୍ରରୁ ଜଣାପଡ଼ିଛି । ରିପୋର୍ଟ ମୁତାବକ, ସାମରିକ ମେଣ୍ଟ ‘ନାଟୋ (ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ)’ରେ ଆମେରିକାର ଯେଉଁ ସ୍ଥାନ ରହିଛି, ତାହାକୁ ବଦଳାଯିବ । ଏହାଠାରୁ ଆଉ ସେତିକି ଅସ୍ତ୍ରଶସ୍ତ୍ର କିମ୍ବା ପାଣ୍ଠି ନିଆଯିବ ନାହିଁ ।
ୟୁରୋପୀୟ ଦେଶ ଓ କାନାଡା ସହାୟତାରେ ନାଟୋର ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ୩୦% ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଫଳରେ ଆମେରିକା ଯଦି ନିଜ ଆଡୁ ନାଟୋରୁ ଓହରିଯାଏ, ତେବେ କୌଣସି ଫରକ ପଡ଼ିବ ନାହିଁ । ୟୁରୋପକୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଚଳିତବର୍ଷ ଜାନୁଆରୀରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ୍ ନାଟୋରୁ ଓହରିଯିବାକୁ ବାରମ୍ବାର ଧମକ ଦେଉଛନ୍ତି ।
ନାଟୋରେ ଆମେରିକା ଅତ୍ୟଧିକ ପାଣ୍ଠି ଯୋଗାଉଛି । ଏହାଦ୍ୱାରା ଦେଶର ଅର୍ଥନୀତି ଉପରେ କୁପ୍ରଭାବ ପଡୁଥିବା ସେ ଦର୍ଶାଉଛନ୍ତି । ଏହି କ୍ରମରେ ଆମେରିକା ୟୁକ୍ରେନ୍କୁ ସାମରିକ ଓ ଗୁଇନ୍ଦା ସମର୍ଥନ ବନ୍ଦ କରିସାରିଲାଣି । ଏବେ ନାଟୋ ସଦସ୍ୟତା ଛାଡ଼ିବାକୁ ଆମେରିକା ଚାହୁଁଛି । ରିପୋର୍ଟ ଅନୁସାରେ, ନାଟୋର ‘ପରିଚାଳନା’ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଛି । ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ ଓ ନର୍ଡିକ ରାଷ୍ଟ୍ର (ଡେନ୍ମାର୍କ, ଫିନଲାଣ୍ଡ, ଆଇସଲାଣ୍ଡ ଓ ନରୱେ) ନାଟୋର ପରିଚାଳନା ସ୍ଥାନାନ୍ତର ଲାଗି ଟ୍ରମ୍ପ୍ଙ୍କୁ ଏକ ପ୍ରସ୍ତାବ ଦେଇପାରନ୍ତି । ଏହି ସ୍ଥାନାନ୍ତରଣ ଲାଗି ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now