ରାଜନୀତି

ଭୋଟ ହାତେଇବା ପାଇଁ ଟଙ୍କା ବାଣ୍ଟୁଛି ବିଜେଡି, ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର : ବିଜୁ ଜନତା ଦଳ ନିର୍ବାଚନ ବୈତରଣୀପାର ହେବା ପାଇଁ ଏସ୍ଏଚଜି ମା’ମାନଙ୍କୁ ଅସ୍ତ୍ର କରିଛି । ସିଆରପିମାନେ ମିଶନଶକ୍ତି ମା’ମାନଙ୍କୁ ଏକଜୁଟ୍ କରି ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର କୋତପୁର ଗାଁରେ ସିଆରପି ସୁକାନ୍ତି ଜେନା ମିଶନଶକ୍ତିର ମା’ମାନଙ୍କୁ କୋଟପୁର ଗାଁର ସରସ୍ୱତୀ ଶିଶୁ ମନ୍ଦିରରେ ବୈଠକ କରିଥିଲେ । ଏହି ବୈଠକରେ ଶାସକ ଦଳ କିଭଳି ଜିତିବ ସେ ନେଇ ରଣନୀତି ପ୍ରସ୍ତୁତ କରିବା ସହ ସେମାନଙ୍କୁ ଖାଦ୍ୟ ପୁଡିଆ ଓ ୫ଶହ ଟଙ୍କା ବାଣ୍ଟିଥିବା ରାଜ୍ୟ ବିଜେପି ଅଭିଯୋଗ କରିଛି । ଏନେଇ ସୋମବାର ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

୧୫ନଂ ଜୁନ୍ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୯ତାରିଖ ଦିନ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ଭୋଟକୁ ଶାସକ ଦଳ ନିଜ ସପକ୍ଷରେ ନେବା ପାଇଁ ଦଳୀର ବିଧାୟକ, ବ୍ଲକ ଚେୟାରମ୍ୟାନ, କର୍ମୀ, ସରପଞ୍ଚଙ୍କ ସହ କିଛି ସରକାରୀ କଳ ଅନୈତିକ କାର୍ଯ୍ୟ ନିୟୋଜିତ ହୋଇଛନ୍ତି । ମିଶନଶକ୍ତି ମା’ମାନଙ୍କର ବୈଠକ କରି ସେମାନଙ୍କୁ ଖାଦ୍ୟ ପୁଡିଆ ଓ ୫୦୦ଟଙ୍କା ଦେଉଛନ୍ତି । ଏନେଇ ବିଜେପି ଧର୍ମଶାଳା ବିଡିଓ ଓ ବ୍ଲକ ଅଧିକାରୀ ଦୃଷ୍ଟି ଆକର୍ଷଣ କରିଥିଲେ ବି ଏଯାଏଁ କିଛି ସୁଫଳ ମିଳିନାହିଁ ।

ନିର୍ବାଚନରେ ଜିତିବା ପାଇଁ ବିଜୁ ଜନତା ଦଳ ଟଙ୍କା ବାଣ୍ଟୁଥିବାବେଳେ ପ୍ରଶାସନ ନୀରବଦ୍ରଷ୍ଟା । ସିଆରପି ସୁକାନ୍ତି ଜେନା ଟଙ୍କା ବାଣ୍ଟିବା ଫଟୋ ଓ ଭିଡିଓ ଭାରତୀୟ ଜନତା ପାର୍ଟି ପାଖରେ ରହିଛି । ଶ୍ରୀମତୀ ଜେନାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି କରିଛି ବିଜେପି । ଧର୍ମଶାଳା ବ୍ଲକରେ ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ସମ୍ପୃକ୍ତ ସିଆରପି, ଶିକ୍ଷକମାନଙ୍କୁ ତୁରନ୍ତ ବହିଷ୍କାର କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି ଦାବି କରିଛି । ଭାରତୀୟ ଜନତା ପାର୍ଟି ଉତ୍ତେଜନତାପୂର୍ଣ୍ଣ ବୁଥ୍ ଗୁଡିକ ଚିହ୍ନଟ କରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ଓବିସିମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button