
() କଂଗ୍ରେସକୁ ଲେଉଟାଣି ଖବର ଉପରେ ପୂର୍ଣ୍ଣଛେଦ ପକାଇଲେ ଆଜାଦ୍। ସେପଟେ ଭାରତ ଯୋଡ଼ ଯାତ୍ରାରେ ସାମିଲ ହେବାକୁ ସମସ୍ତଙ୍କ ଲାଗି ଦ୍ୱାର ଖୋଲା କହି ବିଜେପିକୁ ନିଜର ଗୁରୁ ବୋଲି କହି କଟାକ୍ଷ ଫିଙ୍ଗିଛନ୍ତି ରାହୁଲ। ଭାରତ ଯୋଡ଼ଯାତ୍ରା ଆରମ୍ଭରୁ ସାଧାରଣ ଲାଗୁଥିଲେ ବି ଏହାର ଗୁରୁତ୍ୱ ବଢ଼ାଇଦେଇଛି ବିଜେପି ଓ ଆରଏସଏସ। ସେପଟେ ବିଜେପି ବି ଏହାର କଡ଼ା ଜବାବ ଦେବାକୁ ଭୁଲିନି।
କଂଗ୍ରେସ ସହ ୫୨ ବର୍ଷର ସମ୍ପର୍କ ଛିନ୍ନ କରି ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଠନ କରିଥିବା ଗୁଲାମନବୀ ଆଜାଦ ନିଜର ଘର ବାହୁଡ଼ା ଖବରକୁ ଭିତ୍ତିହୀନ ଓ ଗୁଜବ ବୋଲି କହିଛନ୍ତି। ନୂଆ କରି ଗଠନ କରିଥିବା ଦଳର ନେତା ଓ କର୍ମୀଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ପାଇଁ ଏସବୁ ମିଛ ଖବରକୁ ପ୍ରକାଶ କରାଯାଉଛି ବୋଲି କହିଛନ୍ତି ଆଜାଦ୍। ରାହୁଲଙ୍କ ଭାରତ ଯୋଡ଼ଯାତ୍ରାରେ ସାମିଲ ହେବାକୁ ଆମନ୍ତ୍ରଣ ସହ ହାଇକମାଣ୍ଡ ଓ ଆଜାଦଙ୍କ ଭିତରେ ଦୂରତା ହଟାଇବାକୁ ଅମ୍ୱିକା ସୋନୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଖବର ଚର୍ଚ୍ଚା ହୋଇଥିଲା।
ସେପଟେ ରାହୁଲ କହିଛନ୍ତି, ଭାରତ ଯୋଡ଼ ଯାତ୍ରାର ଦ୍ୱାର ସମସ୍ତଙ୍କ ଲାଗି ଖୋଲା। ଯିଏ ପ୍ରେମର ହିନ୍ଦୁସ୍ତାନ ଚାହୁଁଛି, ସେ ସମସ୍ତଙ୍କୁ ନିମନ୍ତ୍ରଣ କହି ଅଖିଳେଶ ଓ ମାୟାବତୀଙ୍କ ସମଭାବକୁ ଦର୍ଶାଇଛନ୍ତି ରାହୁଲ। ଏହା ସହ ବିଜେପି ଆରଏସଏସ କିଭଳି ତାଙ୍କର ଭାରତ ଯୋଡ଼ ଯାତ୍ରାର ଗୁରୁତ୍ୱ ବଢାଇଦେଲେ, ସେ କଥାର ବି ଅବତାରଣା କରିଛନ୍ତି। ଏପରିକି ବିଜେପି ତାଙ୍କର ଗୁରୁ ବୋଲି କହିଛନ୍ତି ରାହୁଲ। କାରଣ ଯାତ୍ରା ବେଳେ କଅଣ କରିବାକୁ ହେବ, କଅଣ ନୁହେଁ, ଏ ଦିଗରେ କ୍ରମାଗତ ପରାମର୍ଶ ଦେଇଆସୁଛି ବିଜେପି। କେତେବେଳେ ଟି-ସାର୍ଟ ତ କେତେବେଳେ ଦାଢ଼ି ପୁଣି କେତେବେଳେ ଆଉ କିଛି। ଏହା ସହ ବିରୋଧୀଙ୍କ ଭିତରେ ସମନ୍ୱୟର ଅଭାବକୁ ଦୂର କରିବା ସହ ବିକଳ୍ପ ଭିଜନ ନେଇ ଲୋକଙ୍କ ପାଖକୁ ଯିବାକୁ ହେବ ବୋଲି କହିଛନ୍ତି ରାହୁଲ।
ସେପଟେ ୨୪ ନିର୍ବାଚନରେ ବିରୋଧୀ ଦଳ ପକ୍ଷରୁ ରାହୁଲ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବେ ବୋଲି ନିଆଁ ଚେଙ୍କିଛନ୍ତି କମଲନାଥ। ଏହାକୁ ନେଇ ବିଜେପି କଟାକ୍ଷ କରିଛି। ରାହୁଲଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ମମତା, ଅଖିଳେଶ, କେସିଆର, ନୀତିଶ, ମାୟାବତୀ ଓ କେଜରିଓ୍ୱାଲ ରାଜି ହେବେ ତ ବୋଲି ପଚାରିଛି ବିଜେପି। କଂଗ୍ରେସର ଭାରତ ଯୋଡ଼ ଯାତ୍ରାର ଅସଲ ଉଦେଶ୍ୟ ସତ୍ତା ସହ ଯୋଡ଼ ଯାତ୍ରା ଅଟେ। ସେଥିଲାଗି ତ ଏହି ଯାତ୍ରା କେବଳ ରାହୁଲଙ୍କୁ ରି-ଲଞ୍ଚ୍ ଓ ରି-ପ୍ୟାକେଜିଂ ଲାଗି ଉଦ୍ଦିଷ୍ଟ।
ଭାରତ ଯୋଡ଼ ଯାତ୍ରାକୁ ନେଇ ବିବାଦ କି ରାଜନୀତି ଥମୁନି। ଏହି ଯାତ୍ରା ଆଳରେ ଦଳ ବାହୁଡ଼ା ଫର୍ମୁଲାର ଖବର କେବେ ଆସୁଛି ତ ପୁଣି କେବେ ରାହୁଲଙ୍କୁ ରି-ଲଞ୍ଚର ଆରୋପ ଲଦୁଛନ୍ତି ବିରୋଧୀ। କିନ୍ତୁ ଏହା ବି ସତ, ଏହି ଯାତ୍ରାର ପ୍ରଭାବ କେଉଁଠି ନା କେଉଁଠି ଅନୁଭୂତ ହୋଇଛି ଜନମାନସରେ। ଅବଶ୍ୟ ଜନମତରେ ପ୍ରତିଫଳିତ ହେବ କି ନାହଁ, ତାହା ଅଲଗା କଥା।
ପ୍ରଦୀପ ନାୟକ