ବିଶ୍ଵ ପରିବେଶ ଦିବସରେ ପଲିଥିନ ମୁକ୍ତ ସହରର ଶପଥ ନେଲେ ଛାତ୍ରଛାତ୍ରୀ

Spread the love

ବଲାଙ୍ଗିର : ବଲାଙ୍ଗିର ଗାନ୍ଧି ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧି ଭବନ ଠାରେ ବିଶ୍ଵ ପରିବେଶ ଦିବସ ଆୟୋଜିତ ହୋଇଯାଇଛି । ସହରର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପରିବେଶକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପରିବେଶକୁ ସୁଧାରିବାକୁ ଯାଇ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ କରି କିପରି ଯୋଗଦାନ କରିବା ସହିତ ସହରକୁ ପଲିଥିନ ମୁକ୍ତ କରି ସହରର ପରିବେଶକୁ ସୁସ୍ଥ କରାଯାଇ ପାରିବ ସେ ଉପରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଭା ପ୍ରାରମ୍ଭରେ ବାହାନାଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଗାନ୍ଧୀ ଭବନରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଥିଲା ।

ଏହି ଆଲୋଚନାଚକ୍ରରେ ବରିଷ୍ଠ ଆଇନଜିବୀ ରତନ ମହାରଣା, ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର, ଗାନ୍ଧୀ ସ୍ମୃତି କମିଟିର ଉପଦେଷ୍ଟା ମନୋରଞ୍ଜନ ପୁରୋହିତ, ପୂର୍ବତନ ଶିକ୍ଷାବିତ ମଧୂସୁଦନ ନାଏକ, ଗବେଷିକା ସୀମାରାଣୀ ରଥ, ନିରୋଜ ମିଶ୍ର, ସାମ୍ବାଦିକ ବିଭୁ କଲ୍ୟାଣ ଗଡତିଆ, ମାହେଶ୍ଵରି ସଂଗଠନର ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ, କୁଲିତା ସମାଜର ରିଙ୍କୁ ସାହୁ, ବଜରଙ୍ଗ ଦଳର କାହ୍ନା ଶତପଥି ଉପସ୍ଥିତ ରହି ନିଜସ୍ଵ ମତାମତ ଦେଇଥିବା ବେଳେ କବି ଅର୍ଜୁନ ସାହୁ ପରିବେଶ ସୁରକ୍ଷା ଉପରେ ଏକ କବିତା ପାଠ କରିଥିଲେ । ଶେଷରେ କମିଟି ତରଫରୁ ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ କରାଯାଇଥିଲା ଓ ଛାତ୍ରଛାତ୍ରୀ ମାନେ ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ପ୍ରଶାନ୍ତ ମହାକୁର ସ୍ଵାଗତ ଭାଷଣ ଓ ବିରେନ୍ଦ୍ର ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *