ଓଡ଼ିଶାରାଜନୀତି

ରାଜେନ୍ଦ୍ରଙ୍କ ନାମାଙ୍କନ ବିଜେଡିକୁ ଶକ୍ତ ଧକ୍କା

ଧାମନଗର: ଧାମନଗରରେ ବିଜେଡି ଭିତରେ ବିଦ୍ରୋହ ସ୍ପଷ୍ଟ ହୋଇସାରିଛି। ଦଳୀୟ ପ୍ରାର୍ଥୀଙ୍କୁ ମୈଦାନରେ ଟକ୍କର ଦେବେ ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ। ରାଜେନ୍ଦ୍ର ସ୍ୱାଧୀନ ଭାବେ ନାମାଙ୍କନ ଭରିବା ପରେ ଧାମନଗରକୁ ବିଜେଡି ହାତେଇବ କି ନା, ତାକୁ ନେଇ ଯେତିକି ଚର୍ଚ୍ଚା ନାହିଁ। ତାଠୁ ଅଧିକ ଚର୍ଚ୍ଚା ନବୀନଙ୍କ ଜାଦୁ ନା ରାଜୁଙ୍କ ରଣନୀତି, କେଉଁଟା ଅଧିକ କାଟୁ କରିବ ଧାମନଗରରେ।

ଧାମନଗର ଯୁଦ୍ଧ ପାଇଁ ତିନି ପ୍ରମୁଖ ଦଳର ଯୋଦ୍ଧା ମୈଦାନକୁ ଓହ୍ଲାଇଥିଲା ବେଳେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ଏଣ୍ଟ୍ରି ସବୁ ଗଣିତକୁ ଓଲଟପାଲଟ କରିବାର ଆଶଙ୍କାକୁ ବଢ଼ାଇଦେଇଛି। ବିଶେଷ କରି ଅତୀତର ଅନେକ ଉପନିର୍ବାଚନରେ କ୍ରମାଗତ ନବୀନଙ୍କ କରିସ୍ମା ଦେଖିବାକୁ ମିଳିଥିଲା ବେଳେ ଦଳୀୟ କନ୍ଦଳକୁ ପ୍ରଶମିତ କରିବାରେ ସଫଳ ହୋଇଥିଲେ ଦଳୀୟ ଥିଙ୍କଟ୍ୟାଙ୍କ। କିନ୍ତୁ ଧାମନଗରରେ ଫେଲ୍ ମାରିଗଲେ। ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ମନାଇବାରେ ସବୁ ପ୍ରୟାସ ବିଫଳ ସାଙ୍ଗକୁ ରାଜୁ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ବିଜେଡିର ଅନ୍ତର୍କନ୍ଦଳ ପଦାରେ ପଡିଛି। ବିଜେଡିର ବୃହତ ବ୍ୟବଧାନରେ ଜିତିବାର ପରିକଳ୍ପନାକୁ କେଉଁଠି ନା କେଉଁଠି ଧକ୍କା ଲାଗିଛି। ରାଜେନ୍ଦ୍ର ବି ସମର୍ଥକଙ୍କ ଗହଣରେ ବିଶାଳ ପଟୁଆରରେ ଆସି ନାମାଙ୍କନ ଭରିଛନ୍ତି। ରାଜୁ ଭାଇଙ୍କୁ ଭୋଟ୍ ନାହିଁ ତ ବିଜେଡିକୁ ଭୋଟ ନାହିଁ ବୋଲି ସମର୍ଥକ ନାରାବାଜି କରିଥିଲେ। କୁଚକ୍ରୀ ଗୋଷ୍ଠୀ ହାରିବେ ଓ ସେ ଜିତିବେ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ରାଜୁ। ଲୋକଙ୍କ ସହ ନିରନ୍ତର ସମ୍ପର୍କରେ ଅଛି। ଲୋକେ ନିଶ୍ଚିତ ଗ୍ରହଣ କରିବେ ବୋଲି ସେ ଆଶାବାଦୀ।

ସେପଟେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସ ହଜାର ହଜାର ସମର୍ଥକ ଓ ତୁଙ୍ଗ ନେତାଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି। ଧାମନଗରରେ ନବୀନ, ମହିଳା ସଶକ୍ତିକରଣ ଓ ସର୍ବୋପରି ଧାମନଗରବାସୀଙ୍କର ବିଜୟ ହେବ ବୋଲି କହିଛନ୍ତି ଅବନ୍ତୀ। ରାଜେନ୍ଦ୍ରଙ୍କ ବିଦ୍ରୋହୀ ଭୂମିକା କୌଣସି ଫରକ ପକାଇବନି ବୋଲି ଦଳୀୟ ନେତା କହିଛନ୍ତି। ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିଛନ୍ତି, ସେ ବିପୁଳ ଭୋଟରେ ବିଜୟୀ ହେବେ। ଏଥର ଧାମନଗରରେ ବିଜେଡିର ବୃହତ୍ ବିଜୟ ଥୟ।

ତିନି ପ୍ରମୁଖ ଦଳ ଧାମନଗର ଆସନ ହାତେଇବାକୁ ପଣ କରିବା ସହ ଧାମନଗରବାସୀ ସେମାନଙ୍କୁ ଭରସା କରିବେ ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି। କିନ୍ତୁ ରାଜେନ୍ଦ୍ର ଦାସ ଯେ ଧାମନଗର ଫାଇଟରେ ସବୁଠୁ ବଡ଼ ଫ୍ୟାକ୍ଟର ସାଜିବେ, ଏ କଥା ଜଳଜଳ କରି ଦିଶୁଛି।

ଭଦ୍ରକରୁ ସତ୍ୟବ୍ରତ ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button