୨୪ ପାଇଁ ୧୪୪ ଆସନ ଉପରେ ଆଖି

Spread the love

ଭୁବନେଶ୍ବର: ୨୪କୁ ନେଇ ସବୁ ରାଜନୈତିକ ଦଳ ପ୍ରସ୍ତୁତ କଲେଣି ବ୍ଲୁ ପ୍ରିଣ୍ଟ । ଏହାରି ଭିତରେ ଦୁର୍ବଳ ଆସନରେ ନିଜକୁ ସବଳ କରିବାକୁ ଅଣ୍ଟା ଭିଡିଛି ବିଜେପି। ଏଥିଲାଗି କ୍ଲଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି। ସେପଟେ ଏଭଳି ପ୍ରସ୍ତୁତିର କୌଣସି ଫରକ ଓଡ଼ିଶାରେ ପଡ଼ିବନି ବୋଲି ବିଜେଡି ଦମ୍ଭୋକ୍ତି ବାଢିଥିଲା ବେଳେ କଂଗ୍ରେସ କହିଛି, ଏହା କେବଳ ଭାରତ ଯୋଡ଼ଯାତ୍ରାର ସଫଳତାର ଭୟରେ କାଉଣ୍ଟର କରିବାର ଏକ ପ୍ରୟାସ ମାତ୍ର।

ହାରିଥିବା ଆସନ ତଥା ଅପେକ୍ଷାକୃତ ଦୁର୍ବଳ ଆସନରେ ନିଜକୁ ସଜାଡିବ ଓ ସବଳ ହେବ ବିଜେପି। ୧୪୪ ଆସନକୁ ଟାର୍ଗେଟ କରିଛି ପଦ୍ମ କ୍ୟାମ୍ପ୍। ୨୪ ଯୁଦ୍ଧରେ ଜିତି ପ୍ରଧାନମନ୍ତ୍ରୀ ଭାବେ ହ୍ୟାଟ୍ରିକ କରିବେ ମୋଦି। ଏଥିଲାଗି ପ୍ରସ୍ତୁତ କ୍ଲଷ୍ଟର ପ୍ଲାନରେ ଓଡ଼ିଶାର ରହିଛି ୧୩ ସଂସଦୀୟ କ୍ଷେତ୍ର। ୨୧ ଲୋକସଭା ସିଟ୍‌ରୁ ଗତ ନିର୍ବାଚନରେ ବିଜେପି ୮ଟିରେ ବିଜୟୀ ହୋଇଥିଲା । ଅବଶିଷ୍ଟ ୧୩ ଆସନକୁ ଦଖଲ ପାଇଁ ବିଜେପି ପ୍ରସ୍ତୁତ କରିଛି ବିଗ୍‌ ପ୍ଲାନ। ଏହାରି ଭିତରେ ଏ ସବୁ କ୍ଷେତ୍ରକୁ କେନ୍ଦ୍ରମନ୍ତ୍ରୀଙ୍କ ଘନଘନ ଗସ୍ତ ପୂର୍ବାଭାସ ଦେଇସାରିଛି। ମୋ ବୁଥ୍ ସବୁଠୁ ମଝଭୁତ ବୁଥ୍ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି।

ସେପଟେ ବିଜେଡି ବି ୨୪ ପାଇଁ ସମରସଜ୍ଜା ଆରମ୍ଭ କଲାଣି । ଦଳ ଜୁମ୍ୱୋ ଟିମ ଗଠନ କରିବା ସହ ସବୁ ଜିଲ୍ଲାରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି କରି ତୃଣମୂଳ ସ୍ତରରେ ଦଳକୁ ସଶକ୍ତ କରିବାରେ ଲାଗି ପଡିଛି। ଦୁର୍ବଳ ସ୍ଥିତିରେ ଥିବା ଆସନରେ ଦଳ ବରିଷ୍ଠଙ୍କୁ ଲଗାଇଦେଇଛି। ୨୪ରେ ନବୀନଙ୍କୁ ପୁଣି ଜନମତ ଭରସା କରିବ ବୋଲି ଦୃଢ଼ୋକ୍ତି ଦେଖାଇଛି। ସେପଟେ ବିଜେପିର ଏଭଳି ରଣନୀତି କେବଳ ଭାରତ ଯୋଡ଼ ଯାତ୍ରାର ସଫଳତାରେ ଭୟଭୀତ ହେବାର ପ୍ରତିଫଳନ ବୋଲି କଂଗ୍ରେସ କହିଛି।

ଦୁର୍ବଳ ଥିବା ଗଡ଼ରେ ନିଜକୁ ସଜାଡିବାକୁ ସମସ୍ତେ ପ୍ରସ୍ତୁତିରେ ମାତିଗଲେଣି। ଦେଖିବାର କଥା, ୨୪ ମିଶନ ଲାଗି ଏ ସବୁ ପ୍ରସ୍ତୁତି ଜନମତକୁ ପ୍ରଭାବିତ କରିପାରୁଛି କି ନାହିଁ।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *