ଓଡ଼ିଶାଜାତୀୟ

ଆନ୍ଦୋଳନରତ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ କର: ସୁପ୍ରିମକୋର୍ଟ

() ଓକିଲ ସଂଘର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ। ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଓକିଲଙ୍କ ଆନ୍ଦୋଳନ ନେଇ ଦୃଢ ଆଭିମୁଖ୍ୟ ଦେଖାଇଛନ୍ତି ସର୍ବୋଚ୍ଚ କୋର୍ଟ। କୋର୍ଟ ବଏକଟ କରିଥିବା ଓଡ଼ିଶା ଆଇନଜୀବୀଙ୍କର ଲାଇସେନ୍ସ ରଦ୍ଦ କରିବା ସହ  ବାର୍ ଆସୋସିଏସନର କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ଆକ୍ସନ ଲାଗି ନିର୍ଦେଶ ଦେଇଛନ୍ତି ବାର୍ କାଉନସିଲ ଅଫ ଇଣ୍ଡିଆକୁ। ସେପଟେ ସର୍ବୋଚ୍ଚ ଅଦାଲତଙ୍କ ଏଭଳି ନିର୍ଦ୍ଦେଶ ଆଇନଜୀବୀଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି କହି ପ୍ରତିବାଦ କରିଛନ୍ତି ଆଇନଜୀବୀ।

ଶତ ପ୍ରତିଶତ କୋର୍ଟ ଚାଲିବ। କୌଣସି ପରିସ୍ଥିତିରେ ବର୍ଜନ କି ଆନ୍ଦୋଳନରେ ଏହା ଯେଭଳି ବ୍ୟାଘତ ନ ହୁଏ। ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ସନ୍ଦର୍ଭରେ କେବଳ ଏମିତି କଡ଼ା ଭାଷାରେ ଶୁଣାଇନାହାନ୍ତି ସର୍ବୋଚ୍ଚ ଅଦାଲତ। ଏହା ସହ ଆନ୍ଦୋଳନରତ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ କର। ଆଉ ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବାର୍ କାଉନସିଲ ଅଫ ଇଣ୍ଡିଆକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ସମ୍ୱଲପୁରରେ ହୋଇଥିବା ଓକିଲ ଆନ୍ଦୋଳନ ପରିପ୍ରେକ୍ଷୀରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଜଷ୍ଟିସ ସଞ୍ଜୟ କିଶାନ କୌଲ ଓ ଅଭୟ ଏସ.ଓକାଙ୍କ ଖଣ୍ଡପୀଠ।

ଜିଲ୍ଲା ଓକିଲ ସଂଘର ଯେଉଁ ଓକିଲ ଏହି ଆନ୍ଦୋଳନରେ ସାମିଲ୍ ହୋଇଥିଲେ, ସେମାନଙ୍କ ବିରୁଦ୍ଧରେ ଆକ୍ସନ ନିଅ। ଏଭଳି ଆଦର୍ଶ ବୃତ୍ତିରେ ଥିବା ଆଇନଜୀବୀ ଯଦି ଏମିତି ମାତିବେ, ତାହେଲେ ଦୁର୍ଭାଗ୍ୟଜନକ। ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସେପଟେ ଏହାକୁ ନେଇ ଆଇନଜୀବୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ନ୍ୟାଯ୍ୟ  ଦାବି ନେଇ ଆନ୍ଦୋଳନ କରିବା ସମସ୍ତଙ୍କର ଅଧିକାର। ସୁପ୍ରିମକୋର୍ଟ ଓକିଲଙ୍କୁ ଲାଇସେନ୍ସ ଦେଇନାହାନ୍ତି। ରାଜ୍ୟରେ ପ୍ରାୟ ୫୦ ହଜାର ଓକିଲ ଏଭଳି ନିର୍ଦେଶକୁ ବିରୋଧ କରି ଆବଶ୍ୟକ ହେଲେ ଆନ୍ଦୋଳନକୁ ଓହ୍ଲାଇବେ।

ନଭେମ୍ୱର ୧୪ରେ ଆନ୍ଦୋଳନରତ ଆଇନଜୀବୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଥିଲେ ସୁପ୍ରିମକୋର୍ଟ। ଲୋକଙ୍କୁ ଅସୁବିଧାରେ ପକାଇ ନ୍ୟାୟିକ ବ୍ୟବସ୍ଥାକୁ ଠପ୍ କରୁଥିବା ଆଇନଜୀବୀଙ୍କ ଉଦେଶ୍ୟରେ ଆକ୍ସନ ହେବ ବୋଲି ସତର୍କ ବି କରାଇଦେଇଥିଲେ। ଏହାକୁ କୌଣସିମତେ ବରଦାସ୍ତ କରାଯିବନି। ଏଭଳି ଚେତେଇ ଦେଇଥିବା ସତ୍ତ୍ୱେ ବି ରାଜ୍ୟରେ ବିଭିନ୍ନ ଓକିଲ ସଂଘ କୋର୍ଟ ବର୍ଜନ କଲେ। ପ୍ରାୟ ୨୦ ଜିଲ୍ଲାରେ ଅକ୍ଟୋବର ମାସରୁ ଜାରି ଆନ୍ଦୋଳନ ଲାଗି ୩୨୧୬ ଘଣ୍ଟାର ଜୁଡିସିଆଲ ଓ୍ୱାର୍କିଂ ସମୟ ଅପଚୟ ହୋଇଛି।

କେବଳ ଏତିକି ନୁହେଁ,  ଖୋର୍ଦ୍ଧାରେ ଆନ୍ଦୋଳନରତ ଆଇନଜୀବୀ ଗଲା ଶୁକ୍ରବାର ମହକିଲ, ଜୁଡିସିଆଲ ଅଫିସର ଓ ଅନ୍ୟ ଓକିଲଙ୍କୁ କୋର୍ଟ ଭିତରକୁ ପୁରାଇଦେଇନଥିଲେ। ସେଥିଲାଗି ଜୁଡ଼ିସିଆଲ ଅଫିସର, କୋର୍ଟ କର୍ମଚାରୀ ଓ ମହକିଲଙ୍କ ସୁରକ୍ଷା ଲୋଡ଼ି ସୁପ୍ରିମକୋର୍ଟକୁ ଚିଠି ଲେଖିଥିଲେ ଜିଲ୍ଲା ଜଜ୍। ସମ୍ୱଲପୁର, ବଡ଼ମ୍ୱା ଆଦି ଓକିଲ ସଂଘ ବି ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲା ବୋଲି ଜାଣିବାକୁ ପାଇଛନ୍ତି ସର୍ବୋଚ୍ଚ ଅଦାଲତ। କେବଳ ଏତିକି ନୁହେଁ, ବାର୍ ଆସୋସିଏସନରେ ଅନେକ ଏମିତି ପଶିଯାଇଛନ୍ତି, ଯେଉଁମାନଙ୍କର  ଏହି ବୃତ୍ତି ସହ ଲେନଦେନ ନାହିଁ।

ଶେଷ ଶୁଣାଣୀ ବେଳେ କୋର୍ଟ ଜାଣିବାକୁ ପାଇଥିଲେ କି, ବାର୍ କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଏଭଳି ମେମ୍ୱର ଓ  କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ନିଲମ୍ୱନ ନିର୍ଦେଶନାମା ଜାରି କରିଥିଲେ। ଓଡ଼ିଶାର ୫ଟି ଜିଲ୍ଲାର ଆଇନଜୀବୀ ସଂଘ ତା ସତ୍ତ୍ୱେ ବି ଆନ୍ଦୋଳନକୁ ପ୍ରବର୍ତ୍ତାଇଥିଲେ। ଯଦି ନଭେମ୍ୱର ୧୬ରୁ ଆଇନଜୀବୀ କାମରେ ଯୋଗ ନ ଦିଅନ୍ତି, ତେବେ ବାର୍ କାଉନସିଲ ସମାନ୍ତରାଳ ଆକ୍ସନ ଅଧିକରୁ ଅଧିକ ସଦସ୍ୟଙ୍କ ବିରୁଦ୍ଧରେ ନେବାକୁ ଚେତେଇ ବି ଦେଇଥିଲେ କୋର୍ଟ। ୨୦୨୦ରେ ବି ଆଇନଜୀବୀ ଆନ୍ଦୋଳନ ପରିପ୍ରେକ୍ଷୀରେ ଅନୁରୂପ ଆକ୍ସନ ନେବାକୁ ଜଷ୍ଟିସ କୌଲ୍ ବାର୍ କାଉନସିଲକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ୱଲପୁରରୁ ସରୋଜ ସେଠ୍, ଭୁବନେଶ୍ୱରରୁ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button