ହିମାଚଳରେ କେଉଁ ଦଳର କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ?

Spread the love

() ଏଥର ହିମାଚଳପ୍ରଦେଶରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଲଢୁଥିଲା ନିର୍ବାଚନ। କିନ୍ତୁ ୨୦୧୭ରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କୁହାଯାଉଥିବା ପ୍ରେମ କୁମାର ଧୁମାଲ୍ ସୁଜନପୁରରୁ ହାରିଯାଇଥିଲେ। ଆଉ କ୍ଷମତାକୁ ଆସିବା ପରେ ଜୟରାମ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇଥିଲା ବିଜେପି। ବିଶେଷକରି ମଣ୍ଡି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ହେବାରେ ପ୍ରଥମ ସୌଭାଗ୍ୟ ଅର୍ଜନ କରିଥିଲେ ଠାକୁର।

ହିମାଚଳପ୍ରଦେଶରେ ମୁଖ୍ୟମନ୍ତ୍ରୀ ଅଛନ୍ତି ଜୟରାମ ଠାକୁର। ମଣ୍ଡି ଜିଲ୍ଲାର ସେରାଜ୍ ନିର୍ବାଚନମଣ୍ଡଳୀରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ଏଥର। ମଣ୍ଡି ଜିଲ୍ଲାରୁ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ବସିଥିଲେ ଚୌକିରେ ଠାକୁର। ଏମିତିରେ ୨୦୧୭ରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କୁହାଯାଉଥିବା ପ୍ରେମ କୁମାର ଧୁମାଲ୍ ହାରିଯିବା ପରେ ଭାଗ୍ୟ ଫିଟିଥିଲା ଜୟରାମ ରମେଶଙ୍କର। ଧୁମାଲଙ୍କୁ କଂଗ୍ରେସର ରାଜିନ୍ଦର ରାଣା ହରାଇଥିଲେ। ବିଜେପି ରାଜ୍ୟ ସଭାପତି ସତପାଲ୍ ସିଂ ବି ଶୋଚନୀୟ ପରାଜୟ ବରଣ କରିଥିଲେ। ସିରାଜରୁ ପାଞ୍ଚ ପାଞ୍ଚ ଥରର ବିଧାୟକ ହୋଇଛନ୍ତି ଜୟରାମ। ଆଉ ହିମାଚଳପ୍ରଦେଶର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷ କାଳ ଶାସନଭାର ସମ୍ଭାଳିଛନ୍ତି। ଏଥର ଯଦି ବିଜେପି ପୁଣି କ୍ଷମତାକୁ ଆସେ, ତାହେଲେ ଜୟରାମ ଠାକୁରଙ୍କ ଉପରେ ପୁଣି ଭରସା କରିବ କି ନା ଦଳ, ତା ଉପରେ ସମସ୍ତଙ୍କ ନଜର ରହିଛି।

୨୦୧୭ରେ ହିମାଚଳପ୍ରଦେଶର କଂଗ୍ରେସ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂ ଅର୍କି ଆସନରୁ ଯଦି ୬ ଥର ଜିତିବାର ଗୌରବ ହାସଲ କରିଥିଲେ। କିନ୍ତୁ କଂଗ୍ରେସ କ୍ଷମତାକୁ ନ ଆସିବା ପଛରେ ଦଳୀୟ ନେତୃତ୍ୱଙ୍କ ନିର୍ବାଚନ ପ୍ରଚାରରେ ସେତେଟା ସହଯୋଗ ମିଳିନଥିବାକୁ ନେଇ ଦାୟୀ ବି କରିଥିଲେ। ନିଜେ ଏକୁଟିଆ ପ୍ରଚାରର ମଙ୍ଗ ଧରିଥିଲେ ଓ ନିଜ ବଳରେ ଯେତେଦୂର ସମ୍ଭବ କରିପାରିଲି ବୋଲି କହିଥିଲେ। ବୀରଭଦ୍ର ସିଂଙ୍କର ପୁଅ ବିକ୍ରମାଦିତ୍ୟ ସିଂ ବି ସିମଲା ରୁରାଲରୁ ପ୍ରଥମ ଥର ଗଲା ନିର୍ବାଚନରେ ଜିତି ବିଧାନସଭାକୁ ଯାଇଥିଲେ। କଂଗ୍ରେସ ଏଥର କାହାକୁ ନିର୍ଦ୍ଦିଷ୍ଟ ଭାବରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ମୈଦାନକୁ ଓହ୍ଲାଇନି। ଅନେକ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବିଦାର କଂଗ୍ରେସର ଦୁର୍ବଳତା ନୁହେଁ, ବରଂ ଏହାର ସବଳତା ବୋଲି ସିମଲାରେ କହିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। କାରଣ ପ୍ରଧାନମନ୍ତ୍ରୀ ପ୍ରଚାର ବେଳେ କହିଥିଲେ, ପ୍ରାର୍ଥୀଙ୍କୁ ଦେଖନି। ମୋତେ ଭୋଟ ଦିଅ। ଆଉ ମୋଦିଙ୍କ ଏହି ମନ୍ତବ୍ୟ ହିଁ ବିଜେପିର ହତାଶାଭାବକୁ ଦର୍ଶାଉଛି।

୬୮ଟି ଆସନରୁ ବିଜେପି ଏକାକୀ ୪୪ ଆସନ ହାତେଇଥିଲା। କଂଗ୍ରେସ ୨୧ଟି ଆସନରେ ହାମୁଡ଼େଇ ପଡ଼ିଥିଲା।

ବ୍ୟୁରୋ ଇନପୁଟ୍ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

ଭିଜୁଆଲ ବାଇଟ ଡାଉନଲୋଡ ହେବ।

Leave a Reply

Your email address will not be published. Required fields are marked *