ଶ୍ୱେତପତ୍ରକୁ ନେଇ ବିରୋଧୀଙ୍କ ତୀର୍ଯ୍ୟକ ତୀର

() ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଥମିବାର ନାମ ନେଉନି। ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀ ଏହି ପ୍ରସଙ୍ଗରେ ସରକାରକୁ ଘାଇଲା କଲାଣି। ଏହାରି ମଧ୍ୟରେ ଆଜି ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ବେଳେ ପୁଲିସର ଦକ୍ଷତାକୁ ରାଜନୈତିକ ଚାପ କେମିତି କମାଇସାରିଲାଣି, ସେ କଥାର ଅବତାରଣା କରି ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ ଦଳ। ସର୍ବୋପରି ହାଇପ୍ରୋଫାଇଲ ନବ ଦାସ ହତ୍ୟାକାଣ୍ଡର ଗୁମର ଏ ଯାଏ ଖୋଲିନପାରିବାର କଥାକୁ ଉଖାରିଛନ୍ତି। ଆଉ ଶାସକ ଦଳ କହିଛି, ଅପରାଧ ହାରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ଅଛି। ଓଡ଼ିଶାବାସୀ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

ଗୃହ ବିଭାଗର ଶ୍ୱେତପତ୍ରକୁ ନେଇ ବିରୋଧୀଙ୍କ ତୀର୍ଯ୍ୟକ ତୀର। ଦୁଷ୍କର୍ମ କମିଛି। କିନ୍ତୁ ଧର୍ତ୍ତବ୍ୟ ଅପରାଧ ବଢ଼ିଛି ବୋଲି ଶ୍ୱେତପତ୍ର ଦର୍ଶାଇଛି। ରାଜ୍ୟରେ ଆଇନଶୃଙ୍ଖଳା ୨୦୨୨ରେ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଗୃହ ବିଭାଗ ତଥ୍ୟ ଥୋଇଥିଲା ବେଳେ ବିରୋଧୀ କିନ୍ତୁ ଗୋଟିଏ ଗୋଟିଏ ଘଟଣାର ନଜିର ଦେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ଲକ୍ଷେ ଜନସଂଖ୍ୟାରେ ଓଡ଼ିଶାରେ ୧୩୦ ଜଣ ପୁଲିସ କର୍ମଚାରୀ ଥିଲା ବେଳେ ଜାତୀୟ ହାରରେ ଏହା ରହିଛି ୧୫୬। ଛତିଶଗଡ଼ରେ ୨୨୧, ଦିଲ୍ଲୀରେ ୪୧୦ ଓ ନାଗାଲାଣ୍ଡରେ  ଲକ୍ଷେ ଲୋକଙ୍କ ଲାଗି ୧୩ଶହ ପୁଲିସ କର୍ମଚାରୀ ନିୟୋଜିତ ଥିବା ତୁଳନାତ୍ମକ ତଥ୍ୟ ଥୋଇଥିଲେ ବିରୋଧୀ। ପୁଲିସ ଶୃଙ୍ଖଳିତ ନୁହେଁ କି ସଂସ୍କାର ବି ଦେଖାଯାଉନି ବିଭାଗରେ। ଭିଜିଲାନ୍ସରେ ବର୍ଷ ବର୍ଷ ଧରି ମାମଲା ଗଡ଼ୁଛି। ନବ ଦାସ ହତ୍ୟାକାଣ୍ଡରେ ଗୋପାଳକୁ ପାଗଳ କରିବାକୁ ବ୍ୟାକୁଳ ସରକାର। ଷଡ଼ଯନ୍ତ୍ରର ପାର୍ଟକୁ ଛୁଇଁବାକୁ ଚାହୁଁନାହାନ୍ତି ସରକାର। ରାଜନୈତିକ ଉଦ୍ଦେଶ୍ୟରେ ପୁଲିସ କାମ କରୁଥିବାରୁ ପୁଲିସର ଦକ୍ଷତା କମିବାରେ ଲାଗୁଛି। ପୁଲିସକୁ ଅଣପୁଲିସ କାମର ଦାୟିତ୍ୱ ଦିଆଯାଉଛି। ଓଡ଼ିଶାରେ ପୁଲିସ ରାଜ୍ ଚାଲିଛି। ଏନସିଆରବି ତଥ୍ୟ ଅନୁସାରେ ଦଣ୍ଡବିଧାନ ହାର ୫.୭ ରହିଛି। କିନ୍ତୁ ସରକାର ବାହାସ୍ଫୋଟ ମାରୁଛନ୍ତି, ଦଣ୍ଡବିଧାନ ହାର ଭଲ ଅଛି। ସରକାରଙ୍କ ତଳୁ ଉପର ଯାଏ ଦୁର୍ନୀତି ଚରିଗଲାଣି। ଜିରୋ ଟଲେରାନ୍ସ ହାସ୍ୟାସ୍ପଦ।

ସେପଟେ ଶାସକ ଦଳ କହିଛି, ଅପରାଧ ବଢ଼ିନି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି। ସେଥିଲାଗି ଓଡ଼ିଶାବାସୀ ରାଜ୍ୟ ସରକାରଙ୍କ ଉପରେ ଆସ୍ଥାପ୍ରକଟ କରୁଛନ୍ତି। ନିଜ ଦଳର ସ୍ଥିତି ଜାହିର ପାଇଁ ଉଭୟ ବିରୋଧୀ ଦଳ ଆଇନଶୃଙ୍ଖଳା କଥା ଉଠାଉଛନ୍ତି।

ନବ ଦାସ ହତ୍ୟାକାଣ୍ଡରେ ଏ ଯାଏ କ୍ରାଇମବ୍ରାଞ୍ଚ ଗୁମର ଖୋଲିପାରିଲାନି। ତଦନ୍ତର କୌଣସି ଦିଗକୁ ଛଡ଼ାଯାଉନି ବୋଲି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ବିରୋଧୀଙ୍କୁ ଥଣ୍ଡା କରିଦେବା ବଦଳରେ ଅଧିକ ସନ୍ଦେହୀ କରିଦେଇଛି।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *