ଅମୃତ ସ୍ନାନରୁ ଅଘଟଣ ଯାଏଁ- ସଂସଦରୁ ସୁପ୍ରିମକୋର୍ଟରେ ସ୍ୱର

ପ୍ରୟାଗରାଜ ସଙ୍ଗମରେ ଚାଲିଥିବା ମହାକୁମ୍ଭରେ ତୃତୀୟ ଅମୃତ ସ୍ନାନରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିନି। ତୀର୍ଥଯାତ୍ରୀଙ୍କୁ ସୁରୁଖୁରୁରେ ସ୍ନାନ କରାଇବା ଓ ସୁରକ୍ଷିତ ଅନୁଭୂତି ସୁନିଶ୍ଚିତ କରିବାକୁ ସରକାର ସବୁ ଶକ୍ତି ଖଟାଇଦେଇଥିଲେ। ତୃତୀୟ ତଥା ଅମୃତ ସ୍ନାନ ବସନ୍ତ ପଞ୍ଚମୀ ଅର୍ଥାତ ରବିବାର ସକାଳ ୯ଟା ୧୪ରୁ ଆରମ୍ଭ ହୋଇ ସୋମବାର ସକାଳ ୬ଟା ୫୨ ଯାଏ ଚାଲିଥିଲା। କୁମ୍ଭମେଳା ପ୍ରଶାସନ ଆଖଡ଼ା ଗୁଡ଼ିକୁ ସୋମବାର ଅମୃତ ସ୍ନାନ କରିବାକୁ ନିର୍ଧାରିତ ସମୟ ଦେଇଥିଲା। ପାରମ୍ପରିକ ସାଜସଜ୍ଜା ସହ ସନ୍ଥ ଓ ନାଗା ସନ୍ୟାସୀ ଅମୃତ ସ୍ନାନ କରିଛନ୍ତି। କିଏ ରଥ, ହାତୀ ତ କିଏ ଓଟ ଓ ଘୋଡ଼ାରେ ସଙ୍ଗମ ତଟରେ ପହଞ୍ଚିଥିଲେ। ଅମୃତ ସ୍ନାନ ସରିବା ପରେ ବିଭିନ୍ନ ଆଖଡ଼ାର ସନ୍ଥ ଓ ନାଗା ସନ୍ୟାସୀ ନିଜ ନିଜ କ୍ଷେତ୍ରକୁ ବାହୁଡ଼ିବାରେ ଲାଗିଛନ୍ତି। ୬ ବର୍ଷ ପରେ ୨୦୩୧ରେ ପୁଣି ପ୍ରୟାଗରାଜରେ କୁମ୍ଭମେଳା ଆସିବ।  ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ରବୀନ୍ଦ୍ର ପୁରୀ କହିଛନ୍ତି, ଅନ୍ତିମ ଅମୃତ ସ୍ନାନ ପରେ ବାରାଣସୀ ଫେରିଯିବେ। ୪୦ ମିନିଟ୍ ସମୟ ମିଳିଥିଲା। ଶ୍ରଦ୍ଧାଳୁ ବି ଆଉ ସଙ୍ଗମ ଘାଟରେ ଅନାବଶକୀୟ ଭିଡ଼ କରନ୍ତୁନି ବୋଲି ଅପିଲ୍ କରାଯାଇଛି। ଫେବୃଆରୀ ୧୨ରେ ମାଘ ପୂର୍ଣ୍ଣିମାରେ ଓ ଶେଷ ମହାସ୍ନାନ ଫେବୃଆରୀ ୨୬ ମହାଶିବରାତ୍ରୀରେ ଅନୁଷ୍ଠିତ ହେବ।

ଆଖଡ଼ାରୁ ସନ୍ଥମାନେ ଫେରିବା ସତ୍ତ୍ୱେ ମହାକୁମ୍ଭ ଫେବୃଆରୀ ୨୬ ଅର୍ଥାତ୍ ଶିବରାତ୍ରୀ ଯାଏ ଜାରି ରହିବ। ଶ୍ରଦ୍ଧାଳୁଙ୍କ କଲ୍ୟାଣ ଓ ସମୃଦ୍ଧି ସୁନିଶ୍ଚିତ କରିବା ମେଳାର ଲକ୍ଷ୍ୟ ବୋଲି କୁହାଯାଇଛି। ୧୯୫୪ ଫେବୃଆରୀ ୩ରେ ପ୍ରୟାଗ କୁମ୍ଭମେଳାରେ ଦଳାଚକଟାରେ ୫ଶହ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ସ୍ନାନ କରୁଥିବା ଶ୍ରଦ୍ଧାଳୁଙ୍କ ଉପରେ ହେଲିକେପ୍ଟରରୁ ଫୁଲ ବର୍ଷା ହୋଇଥିଲା। ଗଲା ବୁଧବାର ମହାକୁମ୍ଭ ଦଳାଚକଟା ପଛରେ କୌଣସି ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ମୌନି ଅମାବାସ୍ୟାରେ ଦଳାଚକଟାରୁ ୩୦ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣା ଦିନ ତ୍ରିବେଣୀ ସଙ୍ଗମରେ ସକ୍ରିୟ ଥିବା ୧୬ହଜାରରୁ ଅଧିକ ମୋବାଇଲ ନମ୍ୱରର ତଥ୍ୟକୁ ବିଶ୍ଳେଷଣ କରାଯାଉଛି। ସେପଟେ ସଂସଦରୁ ନେଇ ସୁପ୍ରିମକୋର୍ଟ ଯାଏ, ମହାକୁମ୍ଭ ଦଳାଚକଟା ଘଟଣାର ସ୍ୱର ଦେଖିବାକୁ ମିଳିଛି। ଲୋକସଭାରେ ଏହାକୁ ନେଇ କଂଗ୍ରେସ ନୋଟିସ୍ ଦେଇଥିଲା। ନୋଟିସ୍ ଅଗ୍ରାହ୍ୟ ହେବାରୁ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ଏହି ପ୍ରସଙ୍ଗରେ ହଙ୍ଗାମା କରିବାରୁ ଗୃହକୁ ବାରମ୍ୱାର ମୁଲତବୀ କରିବାକୁ ପଡ଼ିଥିଲା। ରାଜ୍ୟସଭାରେ କକ୍ଷତ୍ୟାଗ କରିଛନ୍ତି ବିରୋଧୀ। ଭିଆଇପି ଫୋକସ୍ ଓ ତୃଟିପୂର୍ଣ୍ଣ ପରିଚାଳନାକୁ ଦାୟୀ କରିଥିଲେ ବିରୋଧୀ। ଶାସକ ଦଳ କହିଛି, ଦଳାଚକଟା ଘଟଣାରେ ହିନ୍ଦୁଙ୍କ ଭିତରେ ବିଭେଦ କରି ବିରୋଧୀ ରାଜନୀତିର ରୋଟି ସେକୁଛନ୍ତି। କୁମ୍ଭମେଳାର ସଫଳ ଆୟୋଜନରେ ବିରୋଧୀ ବିଚଳିତ।

ମୌନି ଅମାବାସ୍ୟାରେ ଦଳାଚକଟା ଘଟଣା ପରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁନିଶ୍ଚିତ ନେଇ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣୀ ସୁପ୍ରିମକୋର୍ଟରେ ହୋଇଛି। ଆଇନଜୀବି ବିଶାଳ ତିଓ୍ୱାରୀଙ୍କ ଦ୍ୱାରା ଆଗତ ପିଆଇଏଲର ଶୁଣାଣୀ କରି ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ କହିଛନ୍ତି ଯେ, ୟୁପି ସରକାରଙ୍କ ବିରୁଦ୍ଧରେ ଆଗତ ଜନସ୍ୱାର୍ଥ ମାମଲାରେ ସେ ଶୁଣାଣୀ କରିବେନି।  ଦଳାଚକଟାରୁ ମୃତାହତ ପ୍ରସଙ୍ଗ ଦୁର୍ଭାଗ୍ୟଜନକ ଘଟଣା।  ଏହା ଚିନ୍ତାର ବି ବିଷୟ ବୋଲି କହି ଆବେଦନକାରୀ ଆହ୍ଲାବାଦ ହାଇକୋର୍ଟ ଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।  କାରଣ ୟୁପି ସରକାର ଏ ନେଇ ନ୍ୟାୟିକ କମିଶନ ଗଠନ କରିସାରିଛନ୍ତି।

ସିଦ୍ଧି ଓ ଶୁଦ୍ଧିର ଆଶୀର୍ବାଦ ନେଇ ସଙ୍ଗମରୁ ବାହୁଡ଼ିଛନ୍ତି ଶ୍ରଦ୍ଧାଳୁ। ଆଉ ସନାତନ ଧର୍ମକୁ ଅକ୍ଷୁର୍ଣ୍ଣ ରଖିବାରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାର ମାହାତ୍ମ୍ୟକୁ ଶ୍ରଦ୍ଧାଳୁଙ୍କ ଭିତରେ ବିଶ୍ୱାସର ମଞ୍ଜି ବୁଣିଛନ୍ତି ସନ୍ଥ ଓ ସନ୍ୟାସୀ। ଏହାରି ଭିତରେ ଦଳାଚକଟା, ଟେଣ୍ଟ୍ ପୋଡ଼ି, ଅନେକ ଶ୍ରଦ୍ଧାଳୁ ନିଖୋଜ ଭଳି ଅନେକ ଅଘଟଣ ବି ସାକ୍ଷୀ ରହିଗଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *