ବିଭିନ୍ନ ନଦୀର ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ସାମାଜିକ ସଂଗଠନ। ଭୁବନେଶ୍ୱରରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଗଙ୍ଗୁଆ, ଦୟା ଓ ଚିଲିକା ବଞ୍ଚାଅ ସମ୍ମିଳନୀ ହୋଇଥିଲା ବେଳେ ବ୍ରହ୍ମପୁରରେ ଋଷିକୁଲ୍ୟା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଦକ୍ଷିଣାଞ୍ଚଳ ଆରଡିସି ଅଫିସ ଆଗରେ ଗଣଧାରଣା ଦିଆଯାଇଥିଲା। ଗଙ୍ଗୁଆ, ଦୟା ଓ ଚିଲିକା ସୁରକ୍ଷା ଲାଗି ସମ୍ମିଳନୀରେ ଅନେକ ପ୍ରସ୍ତାବ ଉପସ୍ଥାପନ ହୋଇଛି। ଦୟା ନଦୀର ପ୍ରଦୂଷିତ ଜଳରୁ କଣାସ ଅଞ୍ଚଳରେ ଝାଡ଼ାବାନ୍ତିରେ ଅନେକ ଲୋକଙ୍କ ଜୀବନ ଗଲା। ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ୨ଶହରୁ ବେଶୀ ଗାଁ ଲୋକଙ୍କ ପାଣିର ସକଳ ଆବଶ୍ୟକତାକୁ ପୂରଣ କରେ ଦୟା। କିନ୍ତୁ ଦୟାର ଜଳ ଏବେ ଜହର। ଦୟାକୁ ଏମିତି ଅବସ୍ଥାରେ ପରିଣତ କରିବା ପଛରେ ଗଙ୍ଗୁଆ ହିଁ ଦାୟୀ। ଭୁବନେଶ୍ୱରର ସମସ୍ତ ନାଳନର୍ଦ୍ଦମାର ପାଣି ଓ ବର୍ଜ୍ୟବସ୍ତୁ ଗଙ୍ଗୁଆ ଦେଇ ଦୟାରେ ଛଡ଼ାଯାଉଛି। ଗଙ୍ଗୁଆ ନାଳ ନୁହେଁ, ଏହା ନଦୀ ଥିଲା। ଗଙ୍ଗୁଆର ପୁନରୁଦ୍ଧାର ସକାଶେ ସରକାର ଯତ୍ନବାନ୍ ହୁଅନ୍ତୁ। ଯେଉଁ ଶିଳ୍ପ ସଂସ୍ଥା, ଅନୁଷ୍ଠାନ, ଆପାର୍ଟମେଣ୍ଟ ଓ ବ୍ୟକ୍ତିବିଶେଷ ଗଙ୍ଗୁଆକୁ ପ୍ରଦୂଷଣ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ହେଉ। ଗଙ୍ଗୁଆକୁ ପ୍ରଦୂଷଣମୁକ୍ତ ଲାଗି ହୋଇଥିବା ଏସଟିପି ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଉ। ଦୟା ନଦୀର ପ୍ରଦୂଷଣର ମାତ୍ରା ନିୟମିତ ଯାଞ୍ଚ ହେଉ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାର ତଦାରଖ ବେଳେ କମିଟିରେ ନାଗରିକ ସମାଜ ଓ ବିଶେଷଜ୍ଞଙ୍କୁ ସାମିଲ୍ କରୁ। ଦୟା ସମେତ ଯେଉଁ ନଦୀ ଚିଲିକାରେ ମିଶିଛି, ସେ ସବୁର ପୁନରୁଦ୍ଧାର ଲାଗି ସାମଗ୍ରିକ ସଂସ୍କାର ଯୋଜନା କାର୍ଯ୍ୟକାରୀ କର। ଚିଲିକା ସୁରକ୍ଷା ନେଇ ଆଖିଦୃଶିଆ ପଦକ୍ଷେପ ନେବା ବଦଳରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପଙ୍ଗୁ ପାଲଟିଗଲେଣି। ଏହି ସମ୍ମିଳନୀରେ ଚିଲିକା, ଦୟା ନଦୀ କୂଳିଆ ଲୋକଙ୍କ ସହ ଭୁବନେଶ୍ୱରର ବୁଦ୍ଧିଜୀବି ସାମିଲ୍ ହୋଇଥିଲେ। ଦଳମତ ନିର୍ବିଶେଷରେ ଏହି ସମସ୍ୟାର ମୁକାବିଲା ଲାଗି ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି।
ସେପଟେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ଋଷିକୁଲ୍ୟା ନଦୀ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ଗଣଧାରଣା ଦେଇଥିଲା।ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କାରେ ଡ୍ୟାମ୍ ହେବାକୁ ଯାଉଛି। ପିପଳପଙ୍କା ଡ୍ୟାମ୍ ଜରିଆରେ ନଦୀର ପାଣିକୁ ଶହେ କିଲୋମିଟର ଲମ୍ୱା ପାଇପଲାଇନରେ ଗୋପାଳପୁର ଓ ଛତ୍ରପୁରରେ ଥିବା କମ୍ପାନୀଙ୍କୁ ଦିଆଯିବ। ଏହି ଡ୍ୟାମ୍ ହେଲେ ମୂଲ୍ୟବାନ ଘଞ୍ଚଜଙ୍ଗଲ ସହ ୨୩ଟି ଗାଁର ଚାଷଜମି ଜଳମଗ୍ନ ହେବ। ଏମିତିରେ ଘୋଡ଼ାହାଡ଼, ବଡ଼ନଦୀ ଆଦି ଉପନଦୀର ଉପରମୁଣ୍ଡରେ ଡ୍ୟାମ୍ ଓ ଅବାଧ ବାଲି ଚାଲାଣ ଲାଗି ବର୍ଷର ୧୦ ମାସ ଶୁଖିଲା ଧାରରେ ପରିଣତ ହେଉଛି ଋଷିକୁଲ୍ୟା। ଉପରମୁଣ୍ଡରେ ଡ୍ୟାମ୍ ହେଲେ ଜାନିବିଲି ବ୍ୟାରେଜକୁ ପାଣିର ପ୍ରବାହ କମିଲେ ବ୍ରହ୍ମପୁର ସହରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା ରହିଛି। ସେଥିଲାଗି ନଦୀର ସୁରକ୍ଷା ଲାଗି ଏହି ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ବାତିଲ୍ ଲାଗି ଗଣଧାରଣାରେ ସାମିଲ୍ ହୋଇଥିଲେ ଚାଷୀ, ମତ୍ସ୍ୟଜୀବି, ଆଦିବାସୀ ସଂଗଠନ ସମେତ ପରିବେଶବିତ୍ ଓ ସଚେତନ ବୁଦ୍ଧିଜୀବି। ଆରଡିସିଙ୍କ ଜରିଆରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି।
ବିଭିନ୍ନ ନଦୀର ସୁରକ୍ଷା ନେଇ ଆଗେଇ ଆସିଛନ୍ତି ସାମାଜିକ ଓ ନାଗରିକ ସଂଗଠନ। ଦେଖିବାର କଥା, ଗଠନମୂଳକ ପ୍ରସ୍ତାବକୁ ସରକାର କେତେଦୂର ସକରାତ୍ମକ ଭାବେ ଗ୍ରହଣ କରି ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now