ଜେଜେମା ଗାଳିରୁ ନାତିକୁ ହତ୍ୟା

ଜେଜେମା ଗାଳିର ଅପମାନ- ନାତିକୁ ମର୍ଡର କରି ପ୍ରତିଶୋଧ
ଜେଜେମାଆ ଗାଳିରେ କ୍ଷୁବ୍ଧ ହୋଇ ନାତିକୁ କଲେ ହତ୍ୟା। ଗୋପାଳ ଶର୍ମା ହତ୍ୟାକାଣ୍ଡ ପଛରେ ଏଭଳି ଅଜବ ଆଧାରର ଖୁଲାସା କରିଛି ପୁଲିସ। ଗ୍ରେଟର ନୋଏଡାର ଜେୱରର ଗୋପାଳ ଶର୍ମା ହତ୍ୟାକାଣ୍ଡରେ ସାମିଲ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଦୁଇ ଜଣଙ୍କୁ ହାଫ ଏନକାଉଣ୍ଟର ବି କରିଛି। ଗୋପାଳଙ୍କ ଜେଜେମା ଅଭିଯୁକ୍ତଙ୍କୁ ଗାଳିଗୁଲଜ କରିଥିଲେ। ଏହି ଅପମାନର ପ୍ରତିଶୋଧ ନେବାକୁ ଅଭିଯୁକ୍ତମାନେ ଗୋପାଳକୁ ମାରିଦେଲେ। ମେ ୨୧ର ଘଟଣା। ୧୫ ବର୍ଷୀୟ ଗୋପାଳ ଶର୍ମା ନିଖୋଜ ହୋଇଯାଇଥିଲେ। ମେ ୨୨ ରାତିରେ ଗୋପାଳଙ୍କ ଶବ ପଡ଼ୋଶୀ ରୋହି ଗାଁରେ ଏକ ଅର୍ଦ୍ଧନିର୍ମିତ ଘରୁ ଠାବ କରାଯାଇଥିଲା। ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବୁଧବାର ପୁଲିସ ସାବୌତା ଅଣ୍ଡରପାସ୍ ତଳେ ଯାଞ୍ଚ କରୁଥିଲା। ଏହାରି ଭିତରେ ଏକ ବାଇକରେ ୩ଜଣ ସନ୍ଦିଗ୍ଧଙ୍କୁ ଦେଖିଥିଲା। ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ସେମାନେ ନ ଅଟକି ପଳାଇଥିଲେ। ପୁଲିସ ଯେତେବେଳେ ପିଛା କଲା, ସେମାନେ ଫାୟାରିଂ କରିଥିଲେ। ଆଉ ପ୍ରତି ଜବାବରେ ପୁଲିସ ଫାୟାରିଂରେ ଦୁଇ ଅଭିଯୁକ୍ତ ଆହତ ହୋଇଥିଲେ। ଅଭିଯୁକ୍ତ ହେଲେ ନରେଶ, ଉମେଶ ଓ ମୋହିତ। ଅଭିଯୁକ୍ତଙ୍କ ପାଖରୁ ବିନା ନମ୍ୱରପ୍ଲେଟ ଲଗା ବାଇକ୍ ଜବତ ହୋଇଛି। ପୁଲିସ ଜେରାରୁ ଅଭିଯୁକ୍ତ କହିଥିଲେ ଯେ, ମାସକ ତଳେ ଗୋପାଳର ଜେଜେମା ସେମାନଙ୍କ ଘରକୁ ଆସି ଗାଳି କରିଥିଲେ। କୁଆଡ଼େ ଏମାନେ ତାଙ୍କ ନାତି ଗୋପାଳକୁ ହୁକ୍କା ପିଆଇ ଭୁଲ୍ ବାଟରେ ନେଉଛନ୍ତି। ଜେଜେ ମା ସର୍ବସମ୍ମୁଖରେ ଏଭଳି କହିବାରୁ ବେଶ୍ ଅପମାନିତ ହୋଇଥିଲେ ଏମାନେ। ଆଉ ଏହି ଅପମାନର ପ୍ରତିଶୋଧ ନେବାକୁ ସେ ଗୋପାଳକୁ ମାରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ଘଟଣା ଦିନ ଗୋପାଳ ସେମାନଙ୍କ ଘର ଆଡ଼େ ଆସିଥିଲା। ଆଉ ଅଭିଯୁକ୍ତମାନେ ହୁକ୍କାରେ ଅଧିକ ତମ୍ୱାକୁ ପକାଇ ତାକୁ ପିଆଇଥିଲେ। ଆଉ ଗୋପାଳର ମୁଣ୍ଡକୁ କାନ୍ଥରେ ପିଟି ମାରିଦେଇଥିଲେ। ମାରିଦେବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଗୋପାଳ ହତ୍ୟାକାଣ୍ଡକୁ ନେଇ ଗଲା ୫ ଦିନ ହେଲା ବେଶ୍ ରାଜନୀତିକ ତାତି ଜୋର୍ ଧରିଥିଲା। ଏ ଘଟଣାକୁ ନେଇ ସରକାରଙ୍କୁ କଟାକ୍ଷ କରିଥିଲା ସପା। ସପାର ଅନେକ ନେତା ପୀଡ଼ିତଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଇଥିଲେ। ଏହା ସହ ବ୍ରାହ୍ମଣ ସମାଜ ବି ଏ ଘଟଣାକୁ ନେଇ ଚିନ୍ତିତ ଥିଲା। ଲୋକଙ୍କ ଭିତରେ ଆକ୍ରୋଶ ତେଜିଥିଲା।
