ସେପ୍ଟେମ୍ୱରକୁ ସିଫ୍ଟ ହେବ IPL!

୨୦୨୮ ଆଇପିଏଲ- ସେପ୍ଟେମ୍ୱରକୁ ସିଫ୍ଟ କରିବ ବିସିସିଆଇ!
IPL କୁ ସେପ୍ଟେମ୍ବରକୁ ସ୍ଥାନାନ୍ତର କରିବା ନେଇ ଚାଲିଛି ଚର୍ଚ୍ଚା। କୁଆଡ଼େ BCCI ଏହା ଉପରେ ମାନସମନ୍ଥନ କରୁଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଆଗାମୀ ଦିନରେ Indian Premier League (IPL) କୁ ଗ୍ରୀଷ୍ମକାଳୀନ ସମୟ (ମାର୍ଚ୍ଚ–ମେ)ରୁ ସେପ୍ଟେମ୍ୱର–ଅକ୍ଟୋବର ମାସକୁ ସ୍ଥାନାନ୍ତର କରିବା ସମ୍ଭାବନା ଉପରେ ଚର୍ଚ୍ଚା କରୁଛି। ଏହି ପ୍ରସ୍ତାବ ଏଯାବତ୍ ଅନୌପଚାରିକ ଅବସ୍ଥାରେ ରହିଛି, କୌଣସି ଅନ୍ତିମ ସିଦ୍ଧାନ୍ତ ହୋଇନାହିଁ। ତେବେ ଆଇପିଏଲ ସମୟ ବଦଳାଇବାକୁ କାହିଁକି ଚାହୁଁଛି ବିସିସିଆଇ। କୁହାଯାଉଛି, ବିଶେଷ କରି ୪ଟି ଦିଗକୁ ନେଇ ତର୍ଜମା କରୁଛି ବିସିସିଆଇ। ଗଲା କିଛି ବର୍ଷ ହେଲା ଦେଶରେ ଅସହ୍ୟ ଗରମ ଦେଖାଯାଉଛି। ଖେଳାଳୀଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି। ଖେଳାଳିଙ୍କ ଫିଟନେସ୍ ଉପରେ ଅଧିକ ଚାପ ପଡ଼ୁଛି। ଦର୍ଶକ ଷ୍ଟାଡିୟମ୍ରେ ଅସୁବିଧା ଅନୁଭବ କରୁଛନ୍ତି। ମ୍ୟାଚ୍ ସମୟସୂଚୀ ପରିଚାଳନା ବି କଠିନ ହେଉଛି। ଏ ସବୁ ସମସ୍ୟା ଦେଖ BCCI ବିକଳ୍ପ ସମୟ ସ୍ଲଟ୍ ଉପରେ ଚିନ୍ତା କରୁଛି। ମାର୍ଚ୍ଚ–ମେ ବଦଳରେ ସେପ୍ଟେମ୍ବର–ଅକ୍ଟୋବର ମାସରେ ଆୟୋଜନ କଲେ ଏ ସମୟରେ ତାପମାତ୍ରା କମ୍ ଥାଏ। ଯାହା ଖେଳାଳୀ ଓ ଦର୍ଶକଙ୍କ ଲାଗି ଉତ୍ତମ ହୋଇପାରେ। ହେଲେ ସମାନ୍ତରାଳ ଭାବେ ସମସ୍ୟା ବି ରହିଛି। କାରଣ ସେପ୍ଟେମ୍ବର–ଅକ୍ଟୋବରରେ ବର୍ଷା ଋତୁର ପ୍ରଭାବ ରହିପାରେ। ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ ସହ ତାରିଖ ମେଳ ଖାଇବନି। ଏହା ସହ ବିଦେଶୀ ଖେଳାଳୀ ସେହି ସମୟରେ ଉପଲବ୍ଧ ହେବେ କି ନାହିଁ। ସେଥିଲାଗି ଅନ୍ତିମ ସିଦ୍ଧାନ୍ତ ନେବା ଆଗରୁ BCCI ଏହି ବିଷୟକୁ ଏବେ ଖାଲି ଆଲୋଚନା ସ୍ତରରେ ରଖିଛି। ଆସନ୍ତା IPL ସିଜନ୍ ପାଇଁ ପୁରୁଣା ସମୟସୂଚୀ ହିଁ ଚାଲୁ ରହିବ ବୋଲି ଆଶା କରାଯାଉଛି। ୨୦୨୮ ଆଇପିଏଲ ବେଳକୁ ଏହା ଲାଗୁ ହେବ କି ନାହିଁ, କୌଣସି ସଠିକତା ନାହିଁ। ନିକଟରେ ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମାଲ କହିଥିଲେ, ଏହା ଉପରେ ବିଚାରବିମର୍ଶ ଚାଲିଛି। ୨୦୨୮ ଆଇପିଏଲରେ ୭୪ ମ୍ୟାଚ୍ ବଦଳରେ ଏହାକୁ ୯୪କୁ ବୃଦ୍ଧି କରିବାକୁ ଯୋଜନା କରିଛି ବିସିସିଆଇ। ଏଥିଲାଗି ଇଣ୍ଟରନାସନାଲ କ୍ରିକେଟ କ୍ୟାଲେଣ୍ଡରରେ ଲମ୍ୱା ସମୟ ଦରକାର। କମର୍ସିଆଲ ପଏଣ୍ଟରୁ ଦେଖିଲେ, ଦିପାବଳୀ ଋତୁ ପୂର୍ବରୁ ଆଇପିଏଲ ଆସିଲେ, ଅଧିକରୁ ଅଧିକ ବିଜ୍ଞାପନ ବି ମିଳିବ।
