ଚୋର କହିବାରୁ କରିଦେଲା ମର୍ଡର

ଚୋର କହିବାରୁ ହତ୍ୟାକାରୀ ସାଜିଲା!
ଚୋର କହି ଲୋକେ ତାଙ୍କୁ ଉପହାସ କରୁଥିଲେ। ଶେଷରେ ଜଣେ ନିର୍ଦ୍ଦୋଷକୁ ହତ୍ୟା କରି ସାଜିଲା ହତ୍ୟାକାରୀ। ୟୁପିର ସାହାରନପୁରରୁ ଏକ ବ୍ଲାଇଣ୍ଡ ମର୍ଡର ମାମଲାର ରାଜ୍ ଖୋଲିଛି ପୁଲିସ। ଲୋକେ ତାକୁ ଚୋର ବୋଲି ଡାକୁଥିବାରୁ ଏଥିରେ କ୍ଷୁବ୍ଧ ଥିଲା। ନିଜ ସାଙ୍ଗ ସହ ମିଶି ରାସ୍ତାରେ ଯାଉଥିବା ଜଣେ ଲୋକକୁ ଇଟାରେ ପିଟି ମାରିଦେଲା। ଆଉ ଶବକୁ ନାଳରେ ଫିଙ୍ଗିଦେଲା। ମାସକ ତଳର ପୁରୁଣା ମାମଲା। ଆଉ ମାସେ ପରେ ଅଭିଯୁକ୍ତ ବିଶାଳ ଓ ଗଗନକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ବିଶାଳ ଉପରେ ଲାଗିଥିବା ଚୋରର ଥପ୍ପା ହଟାଇବା ଓ ଲୋକଙ୍କ ଭିତରେ ଭୟର ମାହୋଲ ସୃଷ୍ଟି କରିବାକୁ ଏପ୍ରିଲ ୨୯ ରାତିରେ ଏଭଳି କାଣ୍ଡ ଭିଆଇଥିଲା। ଏପ୍ରିଲ ୨୯ ରାତିରେ ସାଙ୍ଗ ଗଗନ ସହ ମିଶି ରାସ୍ତାରେ ଯାଉଥିବା ପିଣ୍ଟୁଙ୍କୁ ଅଟକାଇଥିଲା। ଆଗ ତା ତଣ୍ଟି ଚିପିଦେଇଥିଲା। ପରେ ଗହମ କ୍ଷେତକୁ ନେଇ ଇଟାରେ ମୁଣ୍ଡକୁ ପ୍ରହାର କରିଥିଲା ଆଉ ନିର୍ମମ ଭାବେ ହତ୍ୟା କରିଥିଲା। ମୃତକ ପିଣ୍ଟୁ ମୁଜାଫରନଗର ନିବାସୀ ଥିଲା। ଲୁଟ୍ ମାମଲାରେ ପୂର୍ବରୁ ଜେଲ ଯାଇସାରିଛି ବିଶାଳ। କିଛି ଦିନ ତଳେ ଏହି ମାମଲାରେ ତାରିଖ ପଡ଼ିବା ପରେ ମୁଜାଫରନଗର କୋର୍ଟରେ ପହଞ୍ଚିଥିଲା। ହେଲେ ସେଠାରେ ବାଇକ୍ ଖରାପ ହେବାରୁ ସେଠାରେ ଛାଡ଼ି ଦେଇଥିଲା। ଘରକୁ ଫେରିବା ପରେ ସେ କାଳେ ବାଇକ୍ ବିକିଦେଇଛି କହି ତା ବାପା ଗାଳିଗୁଲଜ କରିବା ସହ ଚୋର କହି ପିଟିଥିଲେ। ଏହା ପରେ ଆଖପାଖ ଲୋକ ବି ତାକୁ ଛିଛାକର କରିଥିଲେ। ଏଥିରେ ରାଗି ଯାଇଥିଲେ ବିଶାଳ। ଆଉ ଅଜଣା ଲୋକକୁ ହତ୍ୟା କରିବାକୁ ଯୋଜନା କରିଥିଲା। ମେ ୩ରେ ନାଳରୁ ପିଣ୍ଟୁର ଶବ ଜବତ ହୋଇଥିଲା। ମୃତକ ପିଣ୍ଟୁର ଭାଇ ଏପ୍ରିଲ ୩୦ରେ ନିଖୋଜ ଏତଲା ଦେଇଥିଲେ। ତଦନ୍ତ ବେଳେ ବିଶାଳ ଓ ଗଗନ ଉପରେ ପୁଲିସର ସନ୍ଦେହ ଥିଲା। ହତ୍ୟାରେ ବ୍ୟବହୃତ ଇଟା, ରକ୍ତ ଲଗା ସାର୍ଟ, ମୃତକର ଆଧାର ଓ ପ୍ୟାନ୍ କାର୍ଡ ପୁଲିସ ଜବତ କରିଛି।
