ନରଓ୍ୱେ ଚେସରେ ଚମକିଲେ ଭାରତୀୟ

ନରଓ୍ୱେରେ ଚମକିଲେ ଭାରତୀୟ ଖେଳାଳୀ
ନରଓ୍ୱେ ଚେସ ଟୁର୍ଣ୍ଣାମେଣ୍ଟରେ ଭାରତୀୟଙ୍କ ଦମଦାର ପ୍ରଦର୍ଶନ। ଗୁକେଶ, ପ୍ରଜ୍ଞାନନ୍ଦ କଲେ କମାଲ୍। ଦିବ୍ୟା ବିଶ୍ୱ ଚାମ୍ପିଅନଙ୍କୁ ହରାଇଲେ। ନରଓ୍ୱେ ଚେସ୍ ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ଚାମ୍ପିଅନ ଡି. ଗୁକେଶ ଓ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର.ପ୍ରଜ୍ଞାନନ୍ଦଙ୍କ ଆରମ୍ଭ ବେଶ୍ ଭଲ ରହିଲା। ଏହି ଦୁହେଁ ଖେଳାଳୀ ଟ୍ରାଇବ୍ରେକରେ ନିଜ ନିଜର ମୁକାବିଲା ଜିତିଛନ୍ତି। ସେପଟେ ବିଶ୍ୱର ଏକ ନମ୍ୱର ଖେଳାଳୀ ମ୍ୟାଗନ୍ସ କାର୍ଲସନଙ୍କୁ ପ୍ରଥମ ଦୌଡ଼ରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ୧୪୪ ଚାଲର ମୁକାବିଲା ପରେ ଆର୍ମାଗେଡନରେ ଜିତ୍ ହାସଲ କରି ୧.୫ ପଏଣ୍ଟ ହାସଲ କରିଥିଲେ। ଯେବେକି ପ୍ରତିପକ୍ଷ କିମରଙ୍କୁ କ୍ଲାସିକାଲ ଲଢ଼େଇରେ ୧ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ସେହିଭଳି ପ୍ରଜ୍ଞାନନ୍ଦ ଓ ଆମେରିକୀୟ ଗ୍ରାଣ୍ଡମାଷ୍ଟର ବେସଲି ସୋଙ୍କ ଭିତରେ କ୍ଲାସିକାଲ ମୁକାବିଲା ଡ୍ର ରହିଥିଲା। କିନ୍ତୁ ଟାଇବ୍ରେକରେ ଜିତିଗଲେ ପ୍ରଜ୍ଞାନନ୍ଦ। ଏଭଳି ଭାବରେ ଗୁକେଶ-ପ୍ରଜ୍ଞାନନ୍ଦ ସଂଯୁକ୍ତ ଭାବେ ୧.୫ ପଏଣ୍ଟ ଲେଖାଏଁ ହାସଲ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବଡ଼ କଥା ହେଲା, ବିଶ୍ୱ ଚାମ୍ପିଅନ କାର୍ଲସନ ନିଜ ଖାତା ଖୋଲିପାରିନାହାନ୍ତି। ସେପଟେ ମହିଳା ଓ୍ୱାର୍ଲଡ ଚାମ୍ପିଅନ ଜୁ ବେନଜୁନଙ୍କୁ ଭାରତର ଦିବ୍ୟା ଦେଶମୁଖ ଡ୍ର କରି ଅଟକାଇଦେଇଥିଲେ। ଆଉ ପରେ ଆର୍ମାଗେଡନରେ ଜିତ୍ ହାସଲ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଦିବ୍ୟା। ନରଓ୍ୱେ ଚେସ୍ ମହିଳା ଟୁର୍ଣ୍ଣାମେଣ୍ଟରେ ନିଜର ଡେବ୍ୟୁ ମ୍ୟାଚରେ ଦିବ୍ୟାଙ୍କ ଦମଦାର ପ୍ରଦର୍ଶନ ବିଶ୍ୱ ଚାମ୍ପିଅନ ବେନଜୁନଙ୍କୁ ହତଚକିତ କରିଦେଲା।
