ପ୍ରଖ୍ୟାତ କ୍ରୀଡା ପ୍ରଶାସକ ରଣଧୀର ସିଂଙ୍କ ନିଧନ

ପରଲୋକରେ ରଣଧୀର ସିଂ
ପରଲୋକରେ ରାଜା ରଣଧୀର ସିଂ। ଭାରତର ଜଣେ ପ୍ରସିଦ୍ଧ କ୍ରୀଡ଼ାବିତ୍ ତଥା କ୍ରୀଡ଼ା ପ୍ରଶାସକ ଥିଲେ। ୭୯ ବର୍ଷ ବୟସରେ ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ସେ ଦୀର୍ଘ ସମୟ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ତାଙ୍କ ପରଲୋକରେ କ୍ରୀଡ଼ା ଜଗତରେ ଶୋକର ଲହରି ଖେଳିଯାଇଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଦାଦା ପୁଅ ଭାଇ ହେଉଛନ୍ତି ରଣଧୀର। ସେ ଭାରତର ପ୍ରଥମ ଏସିଆନ୍ ଗେମ୍ସ ସୁଟିଂ ସ୍ୱର୍ଣ୍ଣ ପଦକ ବିଜେତା ଥିଲେ। ଅଲମ୍ପିକରେ ୫ଥର ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ୧୯୬୮ ମେକ୍ସିକୋରୁ ନେଇ ୧୯୮୪ ଲସ୍ ଆଞ୍ଜେଲ୍ସ ପର୍ଯ୍ୟନ୍ତ ଲଗାତାର ୫ ଅଲମ୍ପିକ ଖେଳରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସୁଟିଂରେ ସ୍ୱର୍ଣ୍ଣିମ ଇତିହାସ ରଚିଥିଲେ। ସେ ବେଶ ଦକ୍ଷ ଟ୍ରାପ୍ ଓ ସ୍କିଟ୍ ସୁଟର ଥିଲେ। ୧୯୭୮ରେ ବ୍ୟାଙ୍କକ ଏସିଆଡ୍ ଖେଳରେ ଟ୍ରାପ ସୁଟିଂରେ ସ୍ୱର୍ଣ୍ଣପଦକ ଜିତି ଇତିହାସ ରଚିଥିଲେ। ଏସିଆଡ ଖେଳରେ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ଥିଲେ। ମୈଦାନ ବାହାରେ ବି ତାଙ୍କର ଯୋଗଦାନ ଅତୁଳନୀୟ ଥିଲା। ସେ ଲମ୍ୱା ସମୟ ଧରି ଭାରତୀୟ ଅଲମ୍ପିକ ସଂଘର (IOA) ମହାସଚିବ ଥିଲେ। ଏହା ବ୍ୟତୀତ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି (IOC)ର ସଦସ୍ୟ ଥିଲେ। ଅଲମ୍ପିକ କାଉନସିଲ ଅଫ ଏସିଆ (OCA)ର ଅଧ୍ୟକ୍ଷ ଭଳି ସର୍ବୋଚ୍ଚ ପଦରେ ବସିଥିଲେ। ୧୯୭୯ରେ ଖେଳରେ ଉତ୍କୃଷ୍ଟ ଯୋଗଦାନ ସକାଶେ ତାଙ୍କୁ ଅର୍ଜୁନ ପୁରଷ୍କାରରେ ସମ୍ମାନିତ କରାଯାଇଥିଲା। କ୍ରିକେଟର ହେବାକୁ ଚାହୁଁଥିଲେ ରଣଧୀର। ପଟିଆଲା ରାଜ ପରିବାର ସହ ତାଙ୍କର ସମ୍ପର୍କ ଅଛି। ଅକ୍ଟୋବର ୧୮, ୧୯୪୬ରେ ବ୍ରିଟିଶ ଶାସନ ଅନ୍ତର୍ଗତ ପଞ୍ଜାବ ପ୍ରାନ୍ତର ପଟିଆଲାରେ ଜନ୍ମଗ୍ରହଣ କରିଥିଲେ। ସେ ପଟିଆଲା ମହାରାଜା ଭୁପିନ୍ଦର ସିଂଙ୍କ ସାନ ଭାଇ ଭାଲିନ୍ଦ୍ର ସିଂଙ୍କ ପୁଅ। ତାଙ୍କ ବାପା ଭାଲିନ୍ଦ୍ର ସିଂ ୧୯୪୭ରୁ ୧୯୯୨ ଯାଏ ଇଣ୍ଟରନାସନାଲ ଅଲମ୍ପିକ ସମିତିର ସଦସ୍ୟ ଥିଲେ। ୧୯୬୦ରୁ ୧୯୭୫ ଓ ୧୯୮୦ରୁ ୧୯୮୪ ଯାଏଁ ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷ ଥିଲେ। ୧୯୮୨ରେ ଏସିଆଡ୍ ଖେଳକୁ ଦିଲ୍ଲୀ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ରଣଧୀର ସିଂଙ୍କ ଦାଦା ୟାଦବେନ୍ଦ୍ର ସିଂ ପଟିଆଲାର ଶେଷ ରାଜା ଥିଲେ।
