ଭାଗ ଚାଷୀଙ୍କ ଆତ୍ମହତ୍ୟା

କ୍ଷତିଗ୍ରସ୍ତ ଧାନକୁ ନେଇ ଶେଷରେ ଆତ୍ମହତ୍ୟା କଲା ଭାଗ ଚାଷୀ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବଡମାଧପୁରର ପଞ୍ଚାୟତର ବରଙ୍ଗ ଗାଁରେ । ବରଙ୍ଗ ଗାଁର ବନମାଳୀ ପେଣ୍ଠେଇ ଭାଗ ଚାଷୀ ହୋଇଥିବା ବେଳେ ୨୫ ଏକର ଚାଷ ଜମିରେ ଧାନ ଚାଷ କରିଥିଲେ । ଅଦିନିଆ ବର୍ଷାରେ ଧାନ ଗୁଡ଼ିକ ପାଣିରେ ବୁଡ଼ି ହୋଇ ରହିଥିଲା। ୨୫ ଏକର ଧାନ ଚାଷର ଏଭଳି ସ୍ଥିତିକୁ ଦେଖି ଦୁଃଖରେ ଭାଙ୍ଗି ପଡିଥିଲେ ବନମାଳୀ । ଚାଷ ଜମିରୁ ସିଧା ନିଜ ଘରକୁ ଯାଇ ଘରର ଶୌଚାଳୟରେ ଆତ୍ମହତ୍ୟା କରିଥିଲେ । ତେବେ ବନମାଳୀଙ୍କ ଚାରି ଝିଅ ଥିବା ବେଳେ ଗୋଟିଏ ପୁଅ ରହିଛି । ସେ ଭାଗ ଚାଷ କରି ନିଜ ଚାରି ଝିଅକୁ ବିବାହ କରିଥିବା ବେଳେ ପୁଅ ମୁମ୍ବାଇରେ ରହି କାମ କରୁଛି । ବିଭିନ୍ନ ସ୍ଥାନରୁ ୨ ଲକ୍ଷ ଟଙ୍କା ଋଣ ନେଇଥିଲେ ବନମାଳୀ । ଯେହେତୁ ଚାଷ ଜମି ନଷ୍ଟ ହୋଇଯାଇଛି, ସେଥିପାଇଁ ଋଣ ପରିଶୋଧ କରିବା ଚିନ୍ତାରେ ବନମାଳୀ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ଝିଅ ।

ଖବର ପାଇ ଛତ୍ରପୁର ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲକୁ ପଠାଇଥିଲେ । ଭାଗ ଚାଷୀ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ଛତ୍ରପୁର ତହସିଲଦାର, ଅତିରିକ୍ତ ତହସିଲଦାର, ଆରଆଇ ପହଞ୍ଚି ତଦନ୍ତ କରିଥିଲେ । ବନମାଳୀଙ୍କ କେତେ ଚାଷ ଜମି ଥିଲା ଓ କିଭଳି ରହିଛି ଚାଷ ଜମିର ଅବସ୍ଥା ସେ ନେଇ ତାଙ୍କ ପରିବାର ଲୋକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।  ଏନେଇ ଜିଲ୍ଲାପାଳଙ୍କୁ ଜଣାଇବା ପରେ ପ୍ରାଥମିକ ପର୍ଯ୍ୟାରେ ରେଡକ୍ରସ ପକ୍ଷରୁ ବନମାଳୀଙ୍କ ପରିବାରକୁ ୬୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ତହସିଲଦାର।

 ବନମାଳୀ ପେଣ୍ଠେଇ ଭାଗ ଚାଷୀ ହୋଇଥିବା ବେଳେ ଚାଷ ନଷ୍ଟକୁ ନେଇ ସେ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ଜିଲ୍ଲା ପ୍ରଶାସନ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *