ସୁଖବୀର ସିଂ ବାଦଲଙ୍କୁ ଆଟାକ୍

ସ୍ୱର୍ଣ୍ଣ ମନ୍ଦିରରେ ସଜା କାଟୁଥିଲା ବେଳେ ଗୁଳି ମାଡ଼ରୁ ଅଳ୍ପକେ ବର୍ତ୍ତିଲେ ସୁଖବୀର ସିଂ ବାଦଲ। ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ମନ୍ଦିର ବାହାରେ ସେବାରେ ନିୟୋଜିତ ଥିଲା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି କରିବାକୁ ଉଦ୍ୟମ କରିଥିଲା। ଡେରା ସଚ୍ଚା ସୌଦା ରାମରହିମଙ୍କୁ କ୍ଷମା ଦେବାକୁ କେନ୍ଦ୍ର କରି ଶିଖ୍ ସମ୍ପ୍ରଦାୟର ସର୍ବୋଚ୍ଚ ଅଦାଲତ ତାଙ୍କୁ ଦୁଇ ଦିନ ଧରି ସ୍ୱର୍ଣ୍ଣ ମନ୍ଦିରର ଶୌଚାଳୟ ଧୋଇବା ସହ ବାସନ ସଫା କରିବାକୁ ଦଣ୍ଡ ଦେଇଥିଲେ।

ତେବେ ଆଦେଶ ମୁତାବକ ସୁଖବୀର ସେବାଦାର ଭାବେ ସ୍ୱର୍ଣ୍ଣ ମନ୍ଦିରରେ କାମ ଆରମ୍ଭ କରିବାକୁ ଯିବା ବେଳେ ଜଣେ ଆକ୍ରମଣକାରୀ ତାଙ୍କ ଉପରକୁ ଅତର୍କିତ ଗୁଳି କରିଥିଲା। କିନ୍ତୁ ସୌଭାଗ୍ୟବଶତଃ ସୁଖବୀରଙ୍କ ଦେହରେ ଏହା ଲାଗିନଥିଲା। ମନ୍ଦିରର କାନ୍ଥରେ ଲାଗିଥିଲା ଗୁଳି। ଆକ୍ରମଣକାରୀ ଗୁଳି କରି ଫେରାର୍ ହେବାକୁ ବସିଥିଲା ବେଳେ ସାଦା ପୋଷାକରେ ନିୟୋଜିତ ସୁରକ୍ଷାକର୍ମୀ ତାକୁ ତୁରନ୍ତ କାବୁ କରିନେଇଥିଲେ। ସୁଖବୀରଙ୍କୁ ତୁରନ୍ତ ସୁରକ୍ଷା ଘେରକୁ ନିଆଯାଇଥିଲା। ମନ୍ଦିର ବାହାରେ ବି ସୁରକ୍ଷା କଡ଼ାକଡ଼ି କରିଦିଆଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରି ତନାଘନା ଜାରି ରଖିଛି ପୁଲିସ।

ସୁଖବୀରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ହେଉଛନ୍ତି ନାରାୟଣ ସିଂ ଚୌହରା। ନାରାୟଣ ସିଖ୍ ସଂଗଠନ ଦଳ ଖାଲସାର ମେମ୍ୱର ଅଟନ୍ତି। ଅଭିଯୁକ୍ତ ମନ୍ଦିର ଆଗରେ ପ୍ରଣାମ କରିବା ବାହାନାରେ ପହଞ୍ଚି ନିଜ ଜ୍ୟାକେଟରେ ରଖିଥିବା ବନ୍ଧୁକରୁ ସୁଖବୀରଙ୍କୁ ଗୁଳି କରିବାକୁ ଉଦ୍ୟମ କରିଥିଲା। ୧୯୮୪ ଆତଙ୍କବାଦ କାର୍ଯ୍ୟକଳାପରେ ସକ୍ରିୟ, ଚଣ୍ଡିଗଡ଼ ବୁଡୈଲ ଜେଲ ଭାଙ୍ଗିବା ଭଳି ସଙ୍ଗୀନ ମାମଲାରେ ସଂପୃକ୍ତି ଥିଲା ନାରାୟଣ। ଅକାଳୀ ଦଳ ନେତା ଦଲଜିତ୍ ଚିମା ତ ସାଙ୍ଘାତିକ ଆରୋପ ଲଦିଛନ୍ତି। ଏହା ପଛରେ କଂଗ୍ରେସର ହାତ ଥିବା ଆରୋପ ଲଦିଛି ଅକାଳୀ ଦଳ। କଂଗ୍ରେସ ସାଂସଦ ସୁଖଜିନ୍ଦର ରନ୍ଧାଓ୍ୱାଙ୍କ ବନ୍ଧୁ ମାର୍କେଟ କମିଟିର ଅଧ୍ୟକ୍ଷ ଅଛନ୍ତି। ଆଉ ଗୁଳି କରିଥିବା ବ୍ୟକ୍ତି ଅଧ୍ୟକ୍ଷଙ୍କ ସାଙ୍ଗର ଭାଇ। ଏଭଳି ଆକ୍ରମଣକୁ ଦଳମତ ନିର୍ବିଶେଷରେ ନିନ୍ଦା କରାଯାଇଛି।

ସୁଖବୀରଙ୍କୁ ସୋମବାର ଅକାଳ ତଖତ ପକ୍ଷରୁ ସଜା ଦିଆଯାଇଥିଲା। ମନ୍ଦିର ଆସି ବାସନ ଧୋଇବା, ଜୋତା ଧୋଇବା ସହ ଶୌଚାଳୟ ସଫା ଲାଗି ଦଣ୍ଡ ଶୁଣାଯାଇଥିଲା। ଏହା ସହ ୨୦୦୭ରୁ ୨୦୧୭ ଯାଏ ପଞ୍ଜାବ ସରକାରର କ୍ୟାବିନେଟରେ ଥିବା ୧୭ ମନ୍ତ୍ରୀଙ୍କୁ ବି ସଜା ଦିଆଯାଇଥିଲା। ଡେରା ସଚ୍ଚାସୌଦା ମୁଖ୍ୟ ରାମରହିମଙ୍କୁ ୨୦୦୭ରେ ଇଶାନନ୍ଦ ମାମଲାରେ କ୍ଷମା ସହ ଏହା ଜଡ଼ିତ ଥିଲା। ସୁଖବୀରଙ୍କ ବାପା ପ୍ରକାଶ ସିଂ ବାଦଲଙ୍କ ନେତୃତ୍ୱାଧୀନ ସରକାର ସେତେବେଳେ ରାମରହିମଙ୍କୁ କ୍ଷମା ଦେଇଥିଲେ। ଏହା ଭୁଲ୍ ଥିଲା ଓ ଏଥିଲାଗି ଧାର୍ମିକ ସଜା ସୋମବାର ମିଳିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *