ଦନ୍ତା ହାତୀ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର

Spread the love

ହରିଚନ୍ଦନପୁର : ଘର ଭାଙ୍ଗିଲା ଦନ୍ତା ହାତୀ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଉବନ୍ଧ ବନପାଳ ଅଧିନସ୍ଥ ପିଟାପିଟି ଗ୍ରାମ ପଞ୍ଚାୟତ କୁଆଝରଣ ଗାଁରେ ଦେଖିବାକୁ ମିଳିଛି ।

ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଗାଁ ମଧ୍ୟରେ ପଶି ଉପଦ୍ରବ କରିବା ସହ ସୋମବାରୀ ଜୁଆଙ୍ଗ(୭୦)ଙ୍କ ଘର ଭାଙ୍ଗି ଦେଇଛି । ଠିକ୍ ସେହି ସମୟରେ ଘର ଭିତରେ ଶୋଇଥିବା ଜ୍ୱାଇଁ ଇନ୍ଦ୍ରମଣି ଜୁଆଙ୍ଗ ଓ ତାଙ୍କ ସ୍ତ୍ରୀ ମୋହିନୀ ଜୁଆଙ୍ଗଙ୍କ ସହ ୨ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହାତୀ ଆକ୍ରମଣରେ ଘରର କାନ୍ଥ ଖସିପଡ଼ିଥିବା ବେଳେ ଘରର କବାଟ କଣରେ ଲୁଚି ରହିଥିବା ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ତେବେ ବୁଧବାର ଦିନ ସକାଳୁ ଖବର ପାଇ ଦେଉବନ୍ଧ ବନପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଜୁଆଙ୍ଗ ସମ୍ପ୍ରଦାୟର ପରିବାରଟି ଗରିବ ଶ୍ରେଣୀର ହୋଇଥିବାରୁ ବହୁ ଦୁଃଖ କଷ୍ଟରେ ପର ଦୁଆରେ ମୂଲ ମଜୁରୀ କଲେ ଘରେ ଚୁଲି ଜଳେ । ଗୋଟିଏ ଘର ଭିତରେ ରୋଷେଇ ଓ ଶୋଇବା ଆଦି ସମସ୍ତ କାମ କରୁଥିବା ବେଳେ ହାତୀ ଆକ୍ରମଣରେ ଘର ଭାଙ୍ଗି ଯାଇଥିବାରୁ ବର୍ତ୍ତମାନ ଏକ ପ୍ରକାର ପରିବାର ଲୋକେ ବାସହରା ହୋଇପଡିଛନ୍ତି । ଅନ୍ୟପଟେ ବର୍ଷା ଦିନ ଆସୁଥିବାରୁ ପରିବାର ଲୋକେ ନାହିଁନଥିବା ଅସୁବିଧାର ଶିକାର ହେବେ ବୋଲି କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଘଟଣା ପ୍ରତି ଦୃଷ୍ଟି ଦେଇ ଅସହାୟ ପରିବାର ପ୍ରତି ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *