ଗୋଟିଏ ରାତିରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୫ ରୋଗୀଙ୍କ ମୃତ୍ୟୁ ଘଟଣାର ହେବ ତନାଘନା। ଏହାକୁ ନେଇ ଡିଏମଇଟି ଗଠନ କରିଛନ୍ତି ପାଞ୍ଚ ଜଣିଆ ଟିମ୍। କାରଣ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏମକେସିଜିରୁ ୩ ଓ ଏସସିବିରୁ ୨ଜଣିଆ ଟିମ୍ ମେଡିକାଲ କଲେଜ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ବୋଲି କହିଛନ୍ତି ଡିଏମଇଟି ନିର୍ଦେଶକ ସନ୍ତୋଷ ମିଶ୍ର। କୋରାପୁଟ ମେଡିକାଲ କଲେଜ ଡାକ୍ତର କହୁଛନ୍ତି, କୌଣସି ଅଲଗା ଇଞ୍ଜେକ୍ସନ ଦିଆଯାଇନି। ସେଥିଲାଗି ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଟିମ୍ କୋରାପୁଟ ଯିବ। ଗୁରୁବାର ସୁଦ୍ଧା ରିପୋର୍ଟ ଦେବ କମିଟି। ରାତିକ ଭିତରେ ହସ୍ପିଟାଲରେ ୫ ରୋଗୀଙ୍କ ମୃତ୍ୟୁ ପଛରେ ନର୍ସଙ୍କ ଭୁଲ୍ ଇଞ୍ଜେକ୍ସନକୁ ଦାୟୀ କରିଥିଲେ ମୃତକଙ୍କ ପରିବାରବର୍ଗ। ଆଇସିୟୁ ସର୍ଜରୀରେ ୩ ରୋଗୀ ଭଗବାନ ପରଜା, ଶୁକ୍ରା ମାଝୀ, ରୁକୁନି ପେଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା ବେଳେ ଓ୍ୱାର୍ଡରେ ଥିବା ଦୁଇ ମହିଳା ବତି ଖରା ଓ ଫୁଲମତି ମାଝୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ମେଡିକାଲ କଲେଜ ପରିସରରେ ଚାପା ଉତ୍ତେଜନା ଲାଗିଥିଲା। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଅଧିକ ପୁଲିସ ମୁତୟନ କରାଯାଇଛି। ମେଡିକାଲ ସୁପରିଟେଣ୍ଡେଣ୍ଟ ସୁଶାନ୍ତ କୁମାର ସାହୁ କହିଛନ୍ତି, ପୂର୍ବରୁ ରୋଗୀଙ୍କ ଅବସ୍ଥା ଖରାପ ଥିଲା। ତେବେ ଏକାଥରେ ୫ ରୋଗୀଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣର ତଦନ୍ତ ହେବ। ଏହା ସହ ଆଉ ଜଣେ ରୋଗୀଙ୍କ ବି ଜୀବନ ଯାଇଛି। ଜିଲ୍ଲାପାଳ ଭୀ.କାର୍ତି ଭାସନ କହିଛନ୍ତି, ରୋଗୀ ମୃତ୍ୟୁ ଘଟଣାର ତଦନ୍ତ କମିଟି କରିବ। ରିପୋର୍ଟ ଆସିଲା ପରେ ସବୁ ସ୍ପଷ୍ଟ ହେବ। କୋରାପୁଟ ମେଡିକାଲରେ ରୋଗୀ ମୃତ୍ୟୁକୁ ନେଇ ରାଜନୀତି ବି ତେଜିଛି। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ସରକାରଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ଆୟୁଷ୍ମାନ ଯୋଜନା ଶ୍ମଶାନ ହୋଇଗଲାଣି। ସେଥିଲାଗି ଏଭଳି ଘଟଣା ସାମ୍ନାକୁ ଆସିଛି। ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। କଂଗ୍ରେସ କହିଛି, ଚିକିତ୍ସା ଅବହେଳାରୁ ଏଭଳି ଘଟିଛି। ଆଉ କେତେ ରୋଗୀଙ୍କ ଜୀବନ ଗଲେ ସରକାର ଚେତିବେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଭୁଲ୍ ଇଞ୍ଜେକ୍ସନ ଦେଇ ରୋଗୀଙ୍କୁ ହତ୍ୟା କରିଛନ୍ତି ସରକାର। ମୃତ ବ୍ୟକ୍ତିଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ଭୁଲ୍ ଇଞ୍ଜେକ୍ସନ ଦେଇଥିବା ବ୍ୟକ୍ତି ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରି କଠୋର ଦଣ୍ଡ ଦିଆଯାଉ। ନହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ। ବିଜେପି ବିଧାୟକ ପ୍ରକାଶ ସୋରେନ୍ କହିଛନ୍ତି, ତଦନ୍ତ ସମ୍ପୂର୍ଣ୍ଣ ହେଲା ଯାଏ ଅପେକ୍ଷା କରିବାକୁ ପଡ଼ିବ। ରିପୋର୍ଟ ଆଧାରରେ ଆକ୍ସନ ନିଆଯିବ। ୨୪ ଘଣ୍ଟା ଭିତରେ ୬ ରୋଗୀଙ୍କ ଜୀବନ ଗଲା। ଭୁଲ୍ ଇଞ୍ଜେକ୍ସନରୁ ଜୀବନ ଯାଇଛି କି। ଚିକିତ୍ସାରେ ଗୁରୁତର ଅବହେଳା ହୋଇଥିଲା କି। ଏ ତମାମ ପ୍ରଶ୍ନର ଉତ୍ତର ଶବବ୍ୟବଛେଦ ରିପୋର୍ଟ ସହ ନମୂନା ସଂଗ୍ରହ କରି ଟିମ୍ ରିପୋର୍ଟ ଦେବା ପରେ ସ୍ପଷ୍ଟ ହେବ।


Naxatra News is now on Whatsapp
Join and get latest news update delivered to you via whatsapp
Join Now