ପୁଣି ଚୀନର ରାଷ୍ଟ୍ରପତି ହେଲେ ଜିନପିଙ୍ଗ

Spread the love

ଚୀନ ରାଷ୍ଟ୍ରପତି ରଚିଲେ ଇତିହାସ। ତୃତୀୟ ଥର ପାଇଁ ଚୀନ ପରି ଶକ୍ତିଶାଳୀ ରାଷ୍ଟ୍ରର ସର୍ବଶକ୍ତିଶାଳୀ ନେତା ଭାବେ ନିଜ ସ୍ଥିତି ଜାହିର କଲେ ସି ଜିନପିଙ୍ଗ। ଚାଇନିଜ କମ୍ୟୁନିଷ୍ଟ ପାର୍ଟି ବା ସିସିପି ମହାସଚିବ ହୋଇଛନ୍ତି ଜିନପିଙ୍ଗ। ସିସିପି ପ୍ରତିଷ୍ଠାତା ମାଓତ୍ସେ ତୁଙ୍ଗଙ୍କ ପରେ ଜିନପିଙ୍ଗ ତୃତୀୟ ଥର ପାଇଁ ହେବାକୁ ଯାଉଛନ୍ତି ଚୀନର ରାଷ୍ଟ୍ରପତି। ତେବେ ଏହି ପଦ ହାସଲ କରିବାକୁ ଜିନପିଙ୍ଗଙ୍କୁ ନିଜ ଶକ୍ତିର ପ୍ରଦର୍ଶନ କରିବାକୁ ହୋଇଛି। ଅନ୍ୟପଟେ ଜିନପିଙ୍ଗ ପୁଣି ରାଷ୍ଟ୍ରପତି ହେବା ଅନେକ ରାଷ୍ଟ୍ରଙ୍କ ପାଇଁ ହୋଇଛି ମୁଣ୍ଡବ୍ୟଥାର କାରଣ।

ଦୁନିଆକୁ ଚୀନର ଆବଶ୍ୟକତା ରହିଛି। ଚୀନ ବିନା ବିଶ୍ୱର ବିକାଶ ଅସମ୍ଭବ। ଚୀନ ବିନା ଦୁନିଆ ଆଗକୁ ବଢିପାରିବ ନାହିଁ। ତୃତୀୟ ଥର ପାଇଁ ସିସିପି ମହାସଚିବ ହେବା ପରେ ରବିବାର ଦିନ ନିଜ ଅଭିଭାଷଣରେ ସି ଜିନପିଙ୍ଗ ଏପରି କହିଛନ୍ତି। ରବିବାର ପୁଣି ସି ଜିନପିଙ୍ଗ ହୋଇଛନ୍ତି ଚାଇନିଜ କମ୍ୟୁନିଷ୍ଟ ପାର୍ଟିର ମହାସଚିବ। ଅର୍ଥାତ୍ ତାଙ୍କ ରାଷ୍ଟ୍ରପତିତ୍ୱ କାଳ ଆଉ ୫ ବର୍ଷ ପାଇଁ ବୃଦ୍ଧି ପାଇବାକୁ ଯାଉଛି। ତୃତୀୟଥର ପାଇଁ ସେ ଚୀନର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ। ଏହା ପୂର୍ବରୁ ସିପିସି ପ୍ରତିଷ୍ଠାତା ମାଓତ୍ସେ ତୁଙ୍ଗ ଲଗାତର ତିନି ଦଶକ ଧରି ଦେଶର ସର୍ବୋଚ୍ଚ ପଦରେ ରହିଥିଲେ। ରବିବାର ସିସିପିର କେନ୍ଦ୍ରୀୟ କମିଟି ଦ୍ବାରା ୨୫ ସଦସ୍ୟ ବିଶିଷ୍ଟ ପୋଲିତ ବ୍ୟୁରୋର ନିର୍ବାଚନ କରାଯାଇଥିଲେ। ପୋଲିତ ବ୍ୟୁରୋ ସେଣ୍ଟ୍ରାଲ କମିଟିର ୭ ସଦସ୍ୟଙ୍କୁ ଚୟନ କରିଥିଲା। ଏହି କେନ୍ଦ୍ରୀୟ ସଦସ୍ୟମାନେ ତୃତୀୟ ଥର ପାଇଁ ଜିନପିଙ୍ଗଙ୍କୁ ଚୟନ କରିଥିଲେ ପାର୍ଟିର ମହାସଚିବ ଭାବେ।

Chinese President Xi Jinping waves after his speech as the new Politburo Standing Committee members meet the media following the 20th National Congress of the Communist Party of China, at the Great Hall of the People in Beijing, China October 23, 2022. REUTERS/Tingshu Wang – RC2S6X9LXP2K

ରବିବାର ମହାସଚିବ ଭାବେ ନିର୍ବାଚିତ ହେବା ପରେ ସେ ତାଙ୍କ କିଛି ନିକଟତମ ପାର୍ଟି ସହଯୋଗୀଙ୍କୁ ପଦୋନ୍ନତି ଦେଇଛନ୍ତି।  ସିସିପିର ମହାସଚିବ ନିର୍ବାଚିତ ହେବା ପରେ ବିଶ୍ୱ ବିକାଶରେ ଚୀନର ଭୂମିକାକୁ ଗୁରୁତ୍ୱ ଦେବା ସହ ଅନ୍ୟ ଦେଶମାନଙ୍କ ସହ ମିଳିମିଶି କାମକରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଜିନପିଙ୍ଗ। ଜିନପିଙ୍ଗ ଆହୁରି କହିଛନ୍ତି, ଲଗାତର ୪୦ ବର୍ଷର ଅଦମ୍ୟ ପ୍ରୟାସ ଦ୍ୱାରା ଆମେ ଦୁଇଟି ଚମତ୍କାର କରିଛୁ। ଆମର କଠିନ ପରିଶ୍ରମ ଓ ଉନ୍ନତ ଜ୍ଞାନକୌଶଳ ଦ୍ୱାରା ଅର୍ଥନୈତିକ ବିକାଶ ଓ ଦୀର୍ଘକାଳୀନ ସାମାଜିକ ସ୍ଥିରତା ଆଣିବାରେ ଚୀନବାସୀ ସଫଳ ହୋଇଛନ୍ତି। ମୁଁ ନିଜ ପାର୍ଟି ଓ ଦେଶବାସୀଙ୍କ ବିଶ୍ୱାସଭାଜନ ହୋଇଥିବାରୁ କର୍ତ୍ତବ୍ୟ ପ୍ରଦର୍ଶନ କ୍ଷେତ୍ରରେ ନିଷ୍ଠାର ସହ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ।

ଜିନପିଙ୍ଗ ତୃତୀୟଥର ସିସିପି ମହାସଚିବ ହେବା ଅର୍ଥ ସେ ଆଉ ୫ ବର୍ଷ ପାଇଁ ରାଷ୍ଟ୍ରପତି ହେବେ। ତେବେ ଏହା କରିବାକୁ ସେ ୪ ଦଶକ ପୁରୁଣା ନିୟମ ମଧ୍ୟ ଭାଙ୍ଗିଛନ୍ତି। ୧୯୮୨ରେ ଦେଶର ସର୍ବୋଚ୍ଚ ପଦରେ ୧୦ ବର୍ଷ ପର୍ଯ୍ୟନ୍ତ ସର୍ବାଧିକ କାଳୀନ କାର୍ଯ୍ୟକରିବାର ନିୟମ ହୋଇଥିଲା। ଜିନପିଙ୍ଗ ୧୦ ବର୍ଷ ରାଷ୍ଟ୍ରପତି ଭାବେ କାର୍ଯ୍ୟ ସମ୍ପାଦନ କରିସାରିଛନ୍ତି। ଏବେ ଏହି ନିୟମକୁ ଭାଙ୍ଗି ତୃତୀୟଥର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଏହା ବ୍ୟତୀତ ଚାଇନିଜ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ ସମିତି ନେତାଙ୍କ କାର୍ଯ୍ୟକାଳ ଦୁଇ ଥରରୁ ଅଧିକ ହୋଇନଥାଏ। ଏଥିରେ ସମସ୍ୟଙ୍କ ଅବସରର ବୟସ ସୀମା ୬୮ ରଖାଯାଇଛି। କିନ୍ତୁ ଜିନପିଙ୍ଗଙ୍କୁ ୬୯ ବର୍ଷ ହୋଇଥିଲେ ମଧ୍ୟ ପୂର୍ବ ନିୟମ ଉଲ୍ଲଙ୍ଘନ କରି ସତ୍ତାକୁ ଜାବୁଡି ଧରିଛନ୍ତି ଜିନପିଙ୍ଗ।  ଦେଶର ସମସ୍ତ ସଂସ୍ଥା ଉପରେ ରହିଛି ଜିନପିଙ୍ଗଙ୍କ ଅଘୋଷିତ କବ୍‌ଜା। କ୍ଷମତା ବଳରେ ଜିନପିଙ୍ଗ ବିରୋଧୀଙ୍କୁ ବିଭିନ୍ନ ଦୁର୍ନୀତି ମାମଲାରେ ସଂଶ୍ଳିଷ୍ଟ କରି କାରାଦଣ୍ଡ ଦେଇଆସିଛନ୍ତି। ଅନେକଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ହୋଇଛି। ଖାଲି ସେତିକି ନୁହେଁ, ଜିନପିଙ୍ଗଙ୍କ ରାସ୍ତାରେ ଯିଏ ବାଧକ ସାଜିଲା ସେ ସେମାନଙ୍କୁ କଠୋରତା ସହ ରାସ୍ତାରୁ ବାହାର କରିଚାଲିଛନ୍ତି। ଶନିବାର ଦିନ ପାର୍ଟିର ୨୦ ତମ କଂଗ୍ରେସ ମିଟିଂ ସମୟରେ ଜିନପିଙ୍ଗଙ୍କ ହୃଦୟ ହୀନତାର ଦୃଶ୍ୟ ଦେଖିଛି ବିଶ୍ୱ। ବେଜିଂରେ ଗ୍ରେଟ ହଲ ଅଫ ଦ ପିପୁଲରେ ମହା ସମ୍ମିଳନୀ ହେଉଥିଲା। ଏହି ସମୟରେ ଜିନପିଙ୍ଗଙ୍କ ପାଖ ସିଟରେ ୭୯ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି ହୁ ଜିନତାଓ ବସିଥିଲେ। ହଠାତ୍ ଦୁଇ ଜଣ ବ୍ୟକ୍ତି ଆସି ହୁଙ୍କ ହାତ ଧରି ସେଠାରୁ ତାଙ୍କୁ ବାହାରକୁ ନେଇଯାଇଥିଲେ। ହୁ ଏହାକୁ ବିରୋଧ କରିଥିଲେ। ସେ ଜିନପିଙ୍ଗଙ୍କୁ ମଧ୍ୟ କିଛି କହିଥିଲେ ହୁ। କିନ୍ତୁ ଜିନପିଙ୍ଗ ତାଙ୍କୁ ସେଠାରୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ବୈଠକରେ ଜିନପିଙ୍ଗ ଅଧ୍ୟକ୍ଷତାରେ କରିଥିଲେ। ହୁ ଜିନତାଓ ସେହି ବ୍ୟକ୍ତି ଯିଏ ନିଜ ଅସୁସ୍ଥତା କାରଣରୁ ଖୁସି ଖୁସି ଜିନପିଙ୍ଗଙ୍କ ହାତକୁ ୨୦୧୨ରେ କ୍ଷମତା ହସ୍ତାନ୍ତର କରିଥିଲେ। ତେବେ ନିଜ ଦଳର ନେତାଙ୍କ ମଧ୍ୟରେ ଜିନପିଙ୍ଗଙ୍କର ରହିଛି ବେଶ ପ୍ରଭାବ। ତୃତୀୟ ଥର ଚୟନ ପୂର୍ବରୁ ପାର୍ଟି ସଦସ୍ୟଙ୍କୁ ଜିନପିଙ୍ଗଙ୍କ ସମ୍ୱୋଧନ ଦେଖି ଆଶ୍ଚର୍ଯ୍ୟ ଚକିତ ରହିଯାଇଥିଲେ ବିଶ୍ବର ରାଜନୈତିକ ବିଶେଷଜ୍ଞ। ଜିନପିଙ୍ଗ ମାଓତ୍ସେଙ୍କ ପଥରେ ଆଗେଇ ଯାଉଥିବା ମତ ପ୍ରକାଶ ପାଇଛି। ମାଓତ୍ସେ ଆଧୁନିକ ବିଶ୍ବରେ କମ୍ୟୁନିଜିମର ସବୁଠାରୁ ବଡ ନାୟକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ରାଜନୈତିକ ବିଶେଷଜ୍ଞ ଆଧୁନିକ ଚୀନ ନିର୍ବାତା ମାଓତ୍ସେ ତୁଙ୍ଗଙ୍କ ସହ ଜିନପିଙ୍ଗଙ୍କୁ ତୁଳନା କରିଛନ୍ତି। ଶକ୍ତି,ଲୋକପ୍ରିୟତା, କୂଟନୀତି କ୍ଷେତ୍ରରେ ଜିନପିଙ୍ଗ ଆଗରେ ରହିଛନ୍ତି। ଲୋକଙ୍କ ନେତା ଭାବେ ଏଯାବତ୍ ପରିଚିତ ମାଓତ୍ସେଙ୍କ ଉପାଧିରେ ଜିନପିଙ୍ଗଙ୍କ ଦଳ ଏବେ ଜିନପିଙ୍ଗଙ୍କୁ ଅବତାରଣା କରୁଛି।  

ମାଓତ୍ସେଙ୍କ ଶିଷ୍ୟ ସି ଜିନପିଙ୍ଗ ଏବେ ଗୁରୁଙ୍କ ପଥରେ ଆଗେଇ ଯାଉଛନ୍ତି। ୨୦୧୨ରେ ଦଳର ନେତୃତ୍ୱ ନେବା ପରେ ପ୍ରଥମେ ସେ ସୈନ୍ୟ ଶକ୍ତିକୁ ନିଜ କବଜାକୁ ନେଇଥିଲେ। ସେଣ୍ଟ୍ରାଲ ମିଲିଟାରୀ କମିଶନର ଅଧ୍ୟକ୍ଷ ହୋଇଥିଲେ ଜିନପିଙ୍ଗ। କିନ୍ତୁ  ଜିନପିଙ୍ଗ ଜଣେ କଠୋର, କ୍ରୁର ଶାସକ ଭାବେ ମଧ୍ୟ ପରିଚିତ।

  • ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *