ଶିବକୁମାରଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ ପ୍ରତ୍ୟାହାର!

କଂଗ୍ରେସ ନେତା ତଥା କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ବଡ଼ ଆଶ୍ୱସ୍ତି। ଦୁର୍ନୀତି ମାମଲାରେ ଶିବକୁମାରଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତକୁ ପ୍ରତ୍ୟାହାର ନେଇଥିବା ନିଷ୍ପତ୍ତି ଉପରେ ମୋହର ଲଗାଇଲେ କର୍ଣ୍ଣାଟକ ହାଇକୋର୍ଟ। ସିବିଆଇ ଓ ବିଜେପି ବିଧାୟକ ବି.ପାଟିଲ ୟାଟନାଲ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। କିନ୍ତୁ ଉଭୟ ସିବିଆଇ ଓ ବିଜେପି ବିଧାୟକଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ଅଦାଲତ। ଜଷ୍ଟିସ୍ କେ.ସୋମାଶେଖର ଓ ଉମେଶ ଆଦିଗାଙ୍କ ଖଣ୍ଡପୀଠ କହିଛନ୍ତି, ସିବିଆଇ ତଦନ୍ତରେ ସାମିଲ୍ ହେବା ଦିନଠୁ ଏହା କେନ୍ଦ୍ର-ରାଜ୍ୟ ବିବାଦ ଭାବେ ଉଭା ହୋଇଛି। ସେଥିଲାଗି ଏହାର ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ। ବେଆଇନ ସମ୍ପତ୍ତି ଠୁଳ ମାମଲାରେ ନଭେମ୍ୱର ୨୮, ୨୦୨୩ରେ ଶିବକୁମାରଙ୍କ ବିରୁଦ୍ଧରେ ତଦନ୍ତକୁ ପ୍ରତ୍ୟାହାର କରିଥିଲେ କଂଗ୍ରେସ ସରକାର। ଆଉ ଡିସେମ୍ୱର ୨୬, ୨୦୨୩ରେ ଏହାର ତଦନ୍ତ ଲାଗି କର୍ଣ୍ଣାଟକ ଲୋକାୟୁକ୍ତଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା। ଶୁଣାଣୀରେ ଶିବକୁମାରଙ୍କ ଲାଗି ଲଢ଼ିଥିଲେ ବରିଷ୍ଠ ଆଇନଜୀବି କପିଲ ଶିବଲ ଓ ଅଭିଷେକ ମନୁ ସିଂଘଭି। ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରି ବିନା ରାଜ୍ୟ ସରକାରଙ୍କ ଅନୁମତିରେ ସିବିଆଇ ଏହି ମାମଲାର ତଦନ୍ତ ଲାଗି ପଶିଥିଲା। ସେପ୍ଟେମ୍ୱର ୨୫, ୨୦୧୯ରେ ତତ୍କାଳୀନ ବିଜେପି ସରକାର ଶିବକୁମାରଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ ଲାଗି ନିଷ୍ପତ୍ତି ନେଇଥିଲେ। ହାଇକୋର୍ଟଙ୍କ ରାୟ ଆସିବା ପରେ ଶିବକୁମାର କହିଛନ୍ତି, ସର୍ବୋଚ୍ଚ ଅଦାଲତଙ୍କ ଯାହା ରାୟ ଆସିବ, ସେ ଏହାକୁ ଭଗବାନଙ୍କ ନିଷ୍ପତ୍ତି ଭାବି ମାନିନେବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *