ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଆର୍. ଅଶ୍ୱିନୀ। ୩୮ ବର୍ଷରେ ହିଁ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଶ୍ୱିନୀ। ବର୍ଡର ଗାଭାସ୍କର ଟ୍ରଫି- ୨୦୨୫ ମ୍ୟାଚ୍ ଭିତରେ ହିଁ ରିଟାୟାରମେଣ୍ଟ ଘୋଷଣା କରିଛନ୍ତି ଏହି ଅଫ୍ ସ୍ପିନର୍। ଅବସର ଘୋଷଣା ପରେ ଡ୍ରେସିଂ ରୁମରେ ଥିବା ବିରାଟ କୋହଲି ତାଙ୍କୁ ଭାବବିହ୍ୱଳ ହୋଇ କୁଣ୍ଢାଇ ପକାଇଥିଲେ। ଅଶ୍ୱିନୀଙ୍କ ଲାଗି ଏଭଳି ମୂହୂର୍ତ୍ତ ଭାବପ୍ରବଣତାରୁ କିଛି କମ୍ ନଥିଲା। ପ୍ରେସମିଟରେ ଅଶ୍ୱିନୀ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଆଜି ତାଙ୍କର ଶେଷ ଦିନ ଥିଲା। ଏଣିକି ସେ ସିନା ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଖେଳିବେନି। କିନ୍ତୁ କ୍ରିକେଟ ସହ ସେ ଜଡ଼ିତ ହୋଇ ରହିବେ। ଘରୋଇ ଓ ଆଇପିଏଲ ମ୍ୟାଚ୍ ଜାରି ରଖିବେ ଅଶ୍ୱିନୀ। ଡିସେମ୍ୱର ୧୯ ସୁଦ୍ଧା ସେ ଭାରତ ଫେରିଯିବେ। ଗାଭାସ୍କର ସିରିଜରେ ବାକି ଥିବା ମ୍ୟାଚରେ ସେ ଉପସ୍ଥିତ ରହିବେନି। ରୋହିତ, ବିରାଟ,ଆଜିଙ୍କ୍ୟ, ପୂଜାରାଙ୍କୁ ତାଙ୍କ ସଫଳତାର ଜଣେ ଜଣେ ଆଧାର ବୋଲି ଦର୍ଶାଇଛନ୍ତି ଅଶ୍ୱିନୀ।
ଅଶ୍ୱିନୀଙ୍କ କ୍ରିକେଟ କ୍ୟାରିଅର ଉପରେ ନଜର ପକାନ୍ତୁ। ୨୮୭ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି ଆର୍. ଅଶ୍ୱିନୀ। ଏଥିରୁ ୧୦୬ଟି ଟେଷ୍ଟରେ ମୋଟ୍ ୫୩୭ ଓ୍ୱିକେଟ୍ ନେଇଛନ୍ତି। ଭାରତର ଦ୍ୱିତୀୟ ସର୍ବୋଚ୍ଚ ଓ୍ୱିକେଟଧାରୀ ଭାବେ ଅଶ୍ୱିନୀଙ୍କ ବିରଳ ରେକର୍ଡ ରହିଛି। ୬ଟି ସେଞ୍ଚୁରୀ ବି ମାରିଛନ୍ତି ଅଶ୍ୱିନୀ। ଅଲରାଉଣ୍ଡର ଭାବେ ଅଶ୍ୱିନୀ ଟେଷ୍ଟ କ୍ରିକେଟରେ ୧୫୧ ମ୍ୟାଚରେ ୩ହଜାର୫୦୫ ରନ୍ କରିଛନ୍ତି। ଏଥିରେ ୬ଟି ସେଞ୍ଚୁରୀ ଓ ୧୪ଟି ଅର୍ଦ୍ଧଶତକ ସାମିଲ୍। ବେଷ୍ଟ ସ୍କୋର୍ ଥିଲା ୧୨୪ ରନ୍। ୨ଶହ ଥର ବୋଲିଂ କରିବାକୁ ମଉକା ପାଇଥିଲେ ଅଶ୍ୱିନୀ। ୩୭ଥର ୫ଟି ଓ୍ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ୮ଟି ମ୍ୟାଚରେ ୧୦ ଟି ଓ୍ୱିକେଟ୍ ନେବାରେ ସଫଳତା ପାଇଛନ୍ତି ଅଶ୍ୱିନୀ। ୧୧୬ଟି ଏକଦିବସୀୟ ମ୍ୟାଚ୍ ଖେଳି ୧୫୬ ଓ୍ୱିକେଟ୍ ନେଇଛନ୍ତି ଅଶ୍ୱିନୀ। କିନ୍ତୁ ଓ୍ୱାନ-ଡେ କ୍ରିକେଟରେ କେବେ ବି ୫ଟି ଓ୍ୱିକେଟ ନେଇପାରିନାହାନ୍ତି। ଟ୍ୱେଣ୍ଟି-ଟ୍ୱେଣ୍ଟି କ୍ରିକେଟରେ ୬୫ ମ୍ୟାଚରୁ ୭୨ ଓ୍ୱିକେଟ ଦଖଲ କରିଛନ୍ତି।
୨୦୧୧ ଦିନିକିଆ ବିଶ୍ୱକପ୍ ବିଜେତା ଟିମ୍ର ସଦସ୍ୟ ଥିଲେ ଅଶ୍ୱିନୀ। ୨୦୧୬ରେ ଆଇସିସି କ୍ରିକେଟର ଅଫ ଦି ଇଅର ଏବଂ ଆଇସିସି ଟେଷ୍ଟ କ୍ରିକେଟର ଅଫ ଦି ଇଅର ବିବେଚିତ ହୋଇଥିଲେ। ଅଲରାଉଣ୍ଡ ପରଫର୍ମର ଭାବେ ସାର୍ ଗାରଫିଲ୍ଡ ସୋବର୍ସ ଟ୍ରଫି ଜିତିବାରେ ତୃତୀୟ ଭାରତୀୟ ଅଟନ୍ତି ଅଶ୍ୱିନୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now