ଆପାର୍ଟମେଣ୍ଟ ମାଲିକ ଓ ଆବଣ୍ଟନଗ୍ରାହୀ ସଂଘର କେମିତି ହେବ ସ୍ୱାର୍ଥ ରକ୍ଷା?

Spread the love

() ଏଣିକି ଆପାର୍ଟମେଣ୍ଟ ମାଲିକ ଓ ଆବଣ୍ଟନଗ୍ରାହୀ ସଂଘର କେମିତି ସ୍ୱାର୍ଥ ରକ୍ଷା ହେବ। ଯାହାକୁ ନେଇ କ୍ୟାବିନେଟ୍ ମୋହର ଲଗାଇଛି। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ରେ ସଂଶୋଧନ ଆଣିବାକୁ କ୍ୟାବିନେଟ୍ ପ୍ରଚଳିତ ଆଇନରେ ସମ୍ପୂର୍ଣ୍ଣ ସଂଶୋଧନ ଆଣିବା ବଦଳରେ ନୂଆ ନିୟମ ପ୍ରଣୟନ ଲାଗି ପ୍ରସ୍ତାବ ଦେଇଛି। ଏହି ମାମଲାକୁ ନେଇ ହାଇକୋର୍ଟ ଯାଇଥିବା ଆବେଦନକାରୀ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଥିଲା ବେଳେ ବିଡ଼ମ୍ୱନା, ନଗର ଉନ୍ନୟନ ମନ୍ତ୍ରୀ କ୍ୟାବିନେଟ୍ ନିଷ୍ପତ୍ତି ବାବଦରେ କିଛି ଜାଣିନଥିବା କହିଥିଲେ।

ଗଲା ବର୍ଷ ଅଗଷ୍ଟରେ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ ଗଠନ ଲାଗି ନୂଆ ସଂଶୋଧିତ ଆଇନ ଆଣିବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ। ଆସନ୍ତା ୪ ସପ୍ତାହ ଭିତରେ ଏହା ଆଣିବାକୁ କହିଥିଲେ ଅଦାଲତ। ଆପାର୍ଟମେଣ୍ଟ ଓନରସିପ୍ ଆଇନ ନ ଆସିବା ଯାଏ କୌଣସି ଫ୍ଲାଟର ପଞ୍ଜୀକରଣ କରାଯାଇପାରିବନି ବୋଲି ହାଇକୋର୍ଟ କଟକଣା ବି ଜାରି କରିଥିଲେ। ଆଉ ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ସରକାର ଏହାକୁ କ୍ୟାବିନେଟରେ ପକାଇ ଏ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ରେ ସଂଶୋଧନ ଆଣିବାକୁ କ୍ୟାବିନେଟ୍ ପ୍ରଚଳିତ ଆଇନରେ ସମ୍ପୂର୍ଣ୍ଣ ସଂଶୋଧନ ଆଣିବା ବଦଳରେ ନୂଆ ନିୟମ ପ୍ରଣୟନ ଲାଗି ପ୍ରସ୍ତାବ ଦେଇଛି।

୧୯୮୨ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ପ୍ରଣୟନ ହୋଇଥିଲା।  ଦୀର୍ଘ  ୩୩ ବର୍ଷ ପରେ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା। ୨୦୧୭ରେ ରେରା ଆଇନ ଅନୁସାରେ ଆପାର୍ଟମେଣ୍ଟରେ ଫ୍ଲାଟ୍ କିଣୁଥିବା ବ୍ୟକ୍ତି ବୁକିଂ ପରେ ଆସୋସିଏସନ ଗଠନ କରିପାରିବେ। ଯଦି ଫ୍ଲାଟ୍ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଂଘନ ହୁଏ, ତେବେ ଏଭଳି ଆସୋସିଏସନ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ। ଏହି ଆଇନ ବଳରେ ୧୯୯୨ ଆଇନରେ ସଂଶୋଧନ କରିଥିଲେ ସରକାର। ଆପାର୍ଟମେଣ୍ଟର ଅତି କମରେ ୮ଟି ଫ୍ଲାଟ୍ ବିକ୍ରି ପରେ ଆପାର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ କରିହେବ ବୋଲି ନୂଆ ସଂଶୋଧିତ ନିୟମରେ ସ୍ପଷ୍ଟ କରାଯାଇଥିଲା। ତେବେ ୨୦୨୧ର ସଂଶୋଧିତ ନିୟମାବଳୀ ରେରା ଆଇନର ବିରୁଦ୍ଧାଚରଣ କରୁଛି ଓ ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥ ବିରୋଧୀ ଦର୍ଶାଇ ଆବେଦନକାରୀ ଅଦାଲତକୁ ଯାଇଥିଲେ। ଆପାର୍ଟମେଣ୍ଟର କମନ ଏରିଆ ବି ମାଲିକମାନଙ୍କୁ ନେଇ ଗଠିତ ଆସୋସିଏସନ ନାଁରେ ପଞ୍ଜୀକୃତ ହେବା କ୍ଷେତ୍ରରେ ସଂଶୋଧିତ ନିୟମାବଳୀ ବାଧା ସୃଷ୍ଟି କରୁଥିଲା।

ସେପଟେ କ୍ୟାବିନେଟ ବି ହୃଦବୋଧ କରିଛି ଯେ, ଅପିଲ ଅଥୋରିଟି, ଆପାର୍ଟମେଣ୍ଟ ମାଲିକ, ଆବଣ୍ଟନଗ୍ରାହୀମାନଙ୍କ ସଂଘ ଗଠନ, ପ୍ରକଳ୍ପ ଜମିର ମାଲିକାନା ଆଦି ବାବଦରେ ସ୍ପଷ୍ଟ ପ୍ରାବଧାନ ନଥିଲା। ଆଉ ସମ୍ପୂର୍ଣ୍ଣ ସଂଶୋଧନ ଆଣିବା ବଦଳରେ ନୂଆ ନିୟମ ପ୍ରଣୟନ ଲାଗି ପ୍ରସ୍ତାବ ଦେଇଛି କ୍ୟାବିନେଟ୍। ହେଲେ ନଗର ଉନ୍ନୟନ ମନ୍ତ୍ରୀ ଏ ବାବଦରେ ଜାଣନ୍ତିନି। ଆଉ ବିଭାଗୀୟ ସଚିବଙ୍କୁ ପଚାରି ଯାହା କହିବି ବୋଲି କହିବାରୁ ଏହାକୁ ନେଇ ବିରୋଧୀ କଟାକ୍ଷ କରିଛନ୍ତି। କ୍ୟାବିନେଟ ନିଷ୍ପତ୍ତି ବାବଦରେ ମନ୍ତ୍ରୀ ଜାଣୁନାହାନ୍ତି। ତା ହେଲେ ଏ ସରକାର କେମିତି ଚାଲିଛି। ଆଉ ସାଧାରଣ ସ୍ୱାର୍ଥରେ କେତେ ଆନ୍ତରିକତା ବୋଲି ଅଙ୍ଗୁଳି ଉଠାଇଛନ୍ତି।

ବିଳମ୍ୱରେ ହେଲେ ବି ଆପାର୍ଟମେଣ୍ଟ ନିୟମାବଳୀର ବୈଧତାକୁ ନେଇ ଅଦାଲତରେ ଚ୍ୟାଲେଞ୍ଜ ଓ ଏହାର ଶୁଣାଣୀ ଭିତରେ ସରକାର ବିଚାରବିମର୍ଶ କରି କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଛନ୍ତି। କେବଳ ଅପେକ୍ଷା ଏହା କେବେ ସୁଦ୍ଧା ଆଇନରେ ପରିଣତ ହେଉଛି।

ନବକିଶୋରଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *