ଭାରତୀୟ କଫ ସିରଫ ଖାଇ ୧୮ ଶିଶୁଙ୍କ ମୃତ୍ୟୁ ପରେ ରାଜନୀତି

Spread the love

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଭାରତ ଉତ୍ପାଦିତ କଫ ସିରଫ ବ୍ୟବହାରରେ ୧୮ ପିଲାଙ୍କ ମୃତ୍ୟୁ ପରେ ତେଜିଛି ରାଜନୀତି। ଗୁରୁବାର କଂଗ୍ରେସ ପକ୍ଷରୁ ଭାରତକୁ ବିଶ୍ବ ଔଷଧ ବିପଣନ ପାଇଁ ଗର୍ବ କରିବା ବନ୍ଦ କରିବାକୁ ମୋଦି ସରକାରକୁ ନୀତିବାଣୀ ଦିଆଯାଇଛି।

ସେପଟେ ଏହାକୁ ନେଇ ଆକ୍ରାମକ ହୋଇଉଠିଛି ବିଜେପି।  ମୋଦି ସରକାର ପ୍ରତି ଘୃଣା କଂଗ୍ରେସକୁ ଅନ୍ଧ କରିଦେଇଛି, ଯେଉଁଥି ପାଇଁ କଂଗ୍ରେସ ଭାରତ ଓ ତାର ଔଦ୍ୟୋଗିକ ଆବେଗକୁ ଉପହାସ କରୁଛି। ଏହା ଉପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ବିଟ କରି ୭୦ ଜାମ୍ବିଆ ଶିଶୁଙ୍କ ମୃତ୍ୟୁ ଓ ଉଜବେକିସ୍ତାନର ୧୮  ପିଲାଙ୍କ ମୃତ୍ୟୁକୁ ଜୋଡିଛନ୍ତି।

ରମେଶ ଉଲ୍ଲେଖ କରିଛନ୍ତି କି, ଭାରତ ନିର୍ମିତ କଫ ସିରଫ ଜୀବନଘାତୀ ସାବ୍ୟସ୍ତ ହୋଲାପରି ମନେ ହଉଛି। ପୂର୍ବରୁ ଏହା ଜାମ୍ବିଆରେ ୭୦ ପିଲାଙ୍କ ମୃତ୍ୟୁର କାରଣ ହୋଇଥିବା ବେଳେ ଏବେ ଉଜବେକିସ୍ତାନର ୧୮ ଜଣଙ୍କ ଜୀବନ ନେଇଛି। ତେଣୁ ଏହାକୁ ନେଇ ମୋଦି ସରକାରକୁ ବିଶ୍ବସ୍ତରରେ ଔଷଧ କ୍ଷେତ୍ରରେ ଭାରତର ସଫଳତା ପାଇଁ ଗୌରବାନ୍ବିତ ନ ହୋଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।

ଏହା ଉପରେ ବିଜେପି ନେତା ଅମିତ ମାଲଭିୟ କହିଛନ୍ତି, ଜାମ୍ବିଆରେ ହୋଇଥିବା ଶିଶୁ ମୃତ୍ୟୁ ପାଇଁ ଭାରତ କଫ ସିରଫର କୌଣସି ଦେବା ନେବା ନାହିଁ। ଏହା ଜାମ୍ବିଆ କର୍ତ୍ତୃପକ୍ଷ ଓ ଡିସିଜିଆଇ ଦ୍ବାରା ସ୍ପଷ୍ଟ ହୋଇଛି। କିନ୍ତୁ ମୋଦି ସରକାର ପ୍ରତି ଥିବା ଘୃଣା କଂଗ୍ରେସକୁ ଏମିତି ଅନ୍ଧ କରି ଦେଇଛି କି, ସେମାନେ ଭାରତ ଓ ଭାରତୀୟ ଔଦ୍ୟୋଗିକ ସ୍ପିରିଟକୁ ଉପହାସ କରୁଛନ୍ତି।

ଉଜବେକିସ୍ତାନରେ କଫ ସିରଫ ବ୍ୟବହାର ଦ୍ବାରା ୧୮ ଶିଶୁଙ୍କଠାରେ ଶ୍ବାସ ଜନିତ ସମସ୍ୟା ଦେଖା ଦେବା ସହ ମୃତ୍ୟୁ ହୋଇଥିଲା। ଏଥିପାଇଁ ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କଫ ସିରଫ ପ୍ରସ୍ତୁତ କରୁଥିବା ଡକ ମାକ୍ସ ଫାର୍ମା କମ୍ପାନୀକୁ ଦାୟୀ କରାଯାଇଛି।

Leave a Reply

Your email address will not be published. Required fields are marked *