ଧରାଛୁଆଁ ଦେଉନାହାନ୍ତି ସାଂସଦ

Spread the love

ଧରାଛୁଆଁ ଦେଉନାହାନ୍ତି ସାଂସଦ। ଗୃହପ୍ରବେଶ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରମିକଙ୍କୁ କାମରେ ଲଗାଇଲେ। ହେଲେ କାମ ସରିଗଲେ ତୁ କିଏ ନା ମୁଁ କିଏ। ବାରମ୍ୱାର ସାଂସଦଙ୍କ ପାଖକୁ ଧାଇଁ ପ୍ରାପ୍ୟ ନ ମିଳିବାରୁ ବାଧ୍ୟ ହୋଇ ଶ୍ରମିକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁହାରି କରିଛନ୍ତି। ସାଂସଦ ରବି କିଶନଙ୍କ ବିରୁଦ୍ଧରେ ଏଭଳି ଆରୋପ ଆସିଛି। ଶ୍ରମିକ ନିଜର ପ୍ରାପ୍ୟ ମାଗିବାରୁ ପ୍ରାପ୍ୟ ତ ଦେଲେନି। ପାଲଟା ଧରାଛୁଆଁ ଦେଉନାହାନ୍ତି ସାଂସଦ। ବହୁବାର ଦୌଡ଼ି ନିରାଶ ହେବା ପରେ ଶେଷରେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବା ସହ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି ଶ୍ରମିକ। ଗୋରଖପୁରରେ ଥିବା ଘରେ ଗୃହପ୍ରବେଶ ବେଳେ ଶ୍ରମିକଙ୍କୁ କାମରେ ନିୟୋଜିତ କରିଥିଲେ ସାଂସଦ। ଆଉ ମଜୁରୀ ପଇସା ମାଗିବାରୁ ଏହା ମିଳିଲାନି।

ଫଳରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାରରେ ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଆଗରେ ସାଂସଦଙ୍କ ଏଭଳି ଆଚରଣକୁ ନେଇ ଫେରାଦ୍ ହୋଇଛନ୍ତି ଶ୍ରମିକ। ଆଉ ଶ୍ରମିକଙ୍କ ଏହି ଅଭିଯୋଗକୁ ଗ୍ରହଣ କରି ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ମଜୁରୀ ବାବଦ ବାକି ପଇସା ମାଗିବାରୁ ଏହାକୁ ନିଜର ସହଯୋଗୀଙ୍କଠୁ ନେଇଯାଅ ବୋଲି ସାଂସଦ ରବି କିଶନ କହିଥିଲେ। ଆଉ ସାଂସଦଙ୍କ କଥା ଅନୁସାରେ ଯେତେବେଳେ ସହଯୋଗୀଙ୍କୁ ପ୍ରାପ୍ୟ ମାଗିବାକୁ ଯାଇଥିଲେ, ସେଠାରୁ ଧମକ ମିଳିଥିଲା। ବାକି ପାଉଣା ମାଗିଲେ ମାରିଦେବାକୁ ଧମକ ଦେଉଛନ୍ତି ସାଂସଦଙ୍କ ସହଯୋଗୀ। ତେବେ ଏହାକୁ ନେଇ ବବାଲ୍ ହେବା ପରେ ସାଂସଦ ରବି କିଶାନ କହିଛନ୍ତି, ଯାହାର ଯାହା କିଛି ବାକି ଅଛି, ସେ ତାଙ୍କ ପାଖକୁ ଆସି କଥାବାର୍ତ୍ତା କରନ୍ତୁ ଓ ନିଜର ପଇସା ନେଇଯାଆନ୍ତୁ।

ଗୋରଖପୁରର ନୌକାୟାନ ପାଖରେ ନୂଆ ଘର ତିଆରି କରିଛନ୍ତି। ଏହି ଘରେ ଜୁନ୍ ୧୧ରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଥିଲା। ଯେଉଁଠି ୧୫ରୁ ୨୦ ଶ୍ରମିକ କାମରେ ନିୟୋଜିତ ଥିଲେ। କିନ୍ତୁ ସେମାନଙ୍କ ପାଉଣା ଦେଇନଥିଲେ ସାଂସଦ। ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର କୁହାଯାଉଥିବା ରବି କିଶନ ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଗୋରଖପୁର ଲୋକସଭା ଆସନରୁ ୨୦୧୯ରେ ବିଜେପି ଟିକଟରେ ନିର୍ବାଚନ ଲଢି ସାଂସଦ ହୋଇଛନ୍ତି। କିନ୍ତୁ ଶ୍ରମିକଙ୍କୁ ଏଭଳି ଶୋଷଣକୁ ନେଇ ଏବେ ସାଂସଦ ରବି କିଶନ ଅଡ଼ୁଆରେ ପଡ଼ିଛନ୍ତି।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *