ଓଡ଼ିଶା

ଜିଲ୍ଲାରେ ଅଜଣା ରୋଗରେ ୭ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଅଜଣା ରୋଗରେ ୭ଜଣଙ୍କ ମୃତ୍ୟୁ ପରେ ଏକ ରକମ ଆତଙ୍କ ଖେଳିଯାଇଛି। ଗ୍ରାମରେ ଡାକ୍ତରୀ ଟିମ ଏବଂ ଅବକାରୀ ବିଭାଗ ପହଞ୍ଚି ରୋଗର କାରଣ ଏବଂ ନିରାକରଣ ଦିଗରେ ଅନୁଧ୍ୟାନ କରୁଥିବା ଜଣା ପଡ଼ିଛି। ଗ୍ରାମବାସୀ ମାନେ ଡାକ୍ତରୀ ଟିମ ଉପରେ ଭରସା ନକରି କ୍ୱାକ୍ ଏବଂ ଗୁଣିଆ ଉପରେ ଭରସା କରୁଛନ୍ତି। ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନତା କରାଯାଉଛି। ଜଣେ କ୍ୱାକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ମାଲକାନଗିରି ଜିଲ୍ଲା  ମାଥିଲି ବ୍ଲକ୍ ହଳଦୀକୁଣ୍ଡ ଗାଁରେ ଅଜଣା ରୋଗର ଆତଙ୍କ। ଲୋକଙ୍କ ଗୋଡ଼ ହାତ ଫୁଲିବା ସହ ପେଟ ଫୁଲିବା ପରେ ଜ୍ୱର ହେଉଛି। ୨ରୁ ୩ ଦିନ ରୋଗରେ ପଡ଼ିବା ପରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଲୋକେ। ଗଲା ୧୦ ଦିନ ଭିତରେ ୭ ଜଣଙ୍କ ଜୀବନ ନେଲାଣି ଅଜଣା ରୋଗ। ତେହେ ହସ୍ପିଟାଲ ନୁହେଁ, ଗୁଣିଆ ପାଖକୁ ଗଲେ ରୋଗ ଭଲହେଇଯିବ ବୋଲି ବିଶ୍ୱାସ କରୁଛନ୍ତି ଲୋକେ। ଆମେ ଏହି ଖବର ସଂଗ୍ରହ କରିବାକୁ ଗାଁରେ ପହଞ୍ଚିଲା ବେଳକୁ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟିପଡୁଥିଲା। କାରଣ ଅଜଣା ରୋଗରେ ଆଉ ଜଣଙ୍କର ଜୀବନ ଯାଇଥିଲା। ମୃତକଙ୍କ ପରିବାରର କହିବା କଥା, ଗାଁରେ ଅନ୍ୟମାନେ ଯେଉଁ ରୋଗରେ ପଡ଼ି ମରିଛନ୍ତି, ତାଙ୍କ ଲୋକ ବି ସେଇ ରୋଗରେ ପଡ଼ି ଚାଲିଗଲେ। ତେବେ ଫଟୋ ଉଠାଇବାକୁ ବାରଣ କରିଥିଲେ ପରିବାରବର୍ଗ।  

ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ହଳଦୀକୁଣ୍ଡ,କଟଳିଗୁଡା ଏବଂ ବାମାନଗୁଡା ଗ୍ରାମରେ ରୋଗୀଙ୍କ ଚିକିତ୍ସା ଜାରି ରଖିଛନ୍ତି। ଆଜି ଜଣେ ଭେଷଜ ବିଶେଷଜ୍ଞ ଏବଂ ମାଇକ୍ରୋ ବାଇଲଜିଷ୍ଟଙ୍କ ସମେତ ଏକ ଟିମ ଯାଇ ରକ୍ତ ନମୁନା ଓ ପାଣି ସଂଗ୍ରହ କରିଛନ୍ତି। ଜଣଙ୍କର ମାଥିଲି ଡାକ୍ତରଖାନାରେ କିଡନୀ ଜନିତ ରୋଗରେ ମୃତ୍ୟୁ ହୋଇଥିବା ବେଳେ ଗ୍ରାମରେ ୬ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କହିଛନ୍ତି ସିଡିଏମଓ।  ପ୍ରାଥମିକ ରିପୋର୍ଟ ଅନୁଯାୟୀ ଦେଶୀ ମଦ କାରଣରୁ ମୃତ୍ୟୁ ହେଉଥିବା ଡାକ୍ତରୀ ଟିମ ସନ୍ଦେହ କରୁଛି। ସେଥିଲାଗି ଅବକାରୀ ବିଭାଗର ଏକ ଟିମ ଗାଁକୁ ଯାଇ ତଦନ୍ତ କରୁଛି। ଅଙ୍ଗନବାଡି ଏବଂ ଆଶାକର୍ମୀ ଲୋକଙ୍କୁ ସଚେତନ କରୁଛନ୍ତି। ଅନୁଧ୍ୟାନ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସିଡିଏମଓ କହିଛନ୍ତି।

ଏହାରି ଭିତରେ ଜଣେ କ୍ୱାକଙ୍କୁ ଗିରଫ କରି ମାଥିଲି ପୁଲିସ କୋର୍ଟ ଚାଲାଣ କରିଛି।

ସନ୍ତୋଷ ନାଗଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button