ପୁରୀ

ଭକ୍ତଙ୍କ ମନରେ ଉତ୍କଣ୍ଠା, ୨ବର୍ଷ ପରେ ବଡ ଦାଣ୍ଡରେ ଟାଣିବେ କାଳିଆର ରଥ

ଜୁଲାଇ ପହିଲାରେ ରଥଯାତ୍ରା । ଆଉ ଜୁନ ୧୪ ରେ  ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏହି ଦୁଇ ପ୍ରମୁଖ ଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ସେମାନଙ୍କ ଆକ୍ସନ ପ୍ଲାନ ପ୍ରଦାନ କରିଥିବା ବେଳେ ଏହାର କାର୍ଯ୍ୟକାରିତା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡର ସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଦୁଇଟି ପରିସ୍ଥିତିକୁ ନଜରରେ ରଖି ପ୍ରସ୍ତୁତି କରାଯାଉଛି । ସେପଟେ କୋଭିଡ ଯୋଗୁଁ ଗତ ଦୁଇ ବର୍ଷ ଧରି କଟକଣାରେ ରଥଯାତ୍ରା ଆୟୋଜନ କରାଯାଉଥିଲା । ତେବେ କଟକଣା କୋହଳ ହେବା ପରେ  ଚଳିତବର୍ଷ ଦେଢ଼ରୁ ଦୁଇଗୁଣା ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଥିବା କହିଛନ୍ତି ଜିଲ୍ଲପାଳ ।

ଗତ ଦୁଇବର୍ଷ ଧରି କୋଭିଡର ପ୍ରଭାବ ହେତୁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା । ଆଗାମୀ ରଥଯାତ୍ରାରେ କୋଭିଡର ପ୍ରଭାବ ବୃଦ୍ଧି ହେଲେ ଗତ ଦୁଇବର୍ଷ ଧରି ସମାନ ଢଙ୍ଗରେ ରଥଯାତ୍ରା କରାଯିବ । କୋଭିଡର ପ୍ରଭାବ ନ ରହିଲେ ଭକ୍ତଙ୍କ ସମାଗମକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି । ପାନୀୟ ଜଳ ଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ସୁବିଧା, ଆଲୋକୀକରଣ, ପାର୍କିଙ୍ଗ, ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରାଯିବାକୁ ବିଚାର କରାଯାଇଛି ।

ତେବେ ଚଳିତ ବର୍ଷ କୋଭିଡ ମହାମାରୀ ଏତେ ମାତ୍ରରେ ନଥିବା ଯୋଗୁଁ, ଭକ୍ତ ଏବଂ ଶ୍ରଦ୍ଧାଳୁ ରଥଯାତ୍ରାରେ ସାମିଲ ହେବା ନେଇ ବେସ ଉତ୍କଣ୍ଠିତ ।

Related Articles

Leave a Reply

Your email address will not be published.

Back to top button