ଘରଚଟିଆ ପାଇଁ ବ୍ରହ୍ମପୁରରୁ ଆମେରିକା

Spread the love

() ଘରଚଟିଆ ପାଇଁ ବ୍ରହ୍ମପୁରରୁ ଆମେରିକା ପର୍ଯ୍ୟନ୍ତ ଯାତ୍ରା । ଆମେରିକା ସରକାରଙ୍କ ପକ୍ଷରୁ ହେବାକୁ ଥିବା ଆନ୍ତର୍ଜାତୀୟ ନେତୃତ୍ବ ପରିଦର୍ଶକ କାର୍ଯ୍ୟକ୍ରମରେ ନିମନ୍ତେ ମନୋନୀତ ହୋଇଛନ୍ତି ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧର ସାଗର କୁମାର ପାତ୍ର । ସାଗର ଆସନ୍ତା ମାର୍ଚ୍ଚ ମାସ ୧୦ ତାରିଖରେ ଆମେରିକା ଅଭିମୁଖେ ବାହାରିବେ । କିଭଳି ଭାବେ ନିଜ ଅଞ୍ଚଳରେ ଘରଚଟିଆର ସୁରକ୍ଷା ଓ ଏହାର ବଂଶବୃଦ୍ଧି ଦିଗରେ କାମ କରୁଛନ୍ତି ସେ ନେଇ ନିଜର ଅଭିଜ୍ଞତା ଆମେରିକାରେ ବାଣ୍ଟିବେ ।

ଲୋପପ୍ରାୟ ହୋଇଥିବା ଘରଚଟିଆକୁ ପୁନଃ ଗାଁ ଗାଁରେ ପହଞ୍ଚାଇବା କ୍ଷେତ୍ରରେ ତାଙ୍କର ରହିଥିଲା ବଡ଼ ଭୂମିକା । କିଛି ଯୁବକଙ୍କୁ ନେଇ ଏକ ଟିମ ଗଠନ କରି ଘରଚଟିଆ ମାନଙ୍କ ନିମନ୍ତେ କୃତ୍ରିମ ଘର ସହିତ ଖାଦ୍ୟପାନୀୟର ବ୍ୟବସ୍ଥା କରିଥିଲେ । ଯାହାଫଳରେ ବର୍ତ୍ତମାନ ଘରଚଟିଆ ମାନଙ୍କର ବଂଶବୃଦ୍ଧି ହୋଇପାରିଛି । ଆଉ ଏହି ସଫଳତାକୁ ନେଇ ବ୍ରହ୍ମପୁରରୁ ଆମେରିକା ଯିବେ ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧର ସାଗର କୁମାର ପାତ୍ର । ଆମେରିକା ସରକାରଙ୍କ ପକ୍ଷରୁ ସାଗରକୁ ଡ଼ାକରା ହୋଇଛି । ମାର୍ଚ୍ଚ ୧୦ରେ ସାଗର ଆମେରିକା ଅଭିମୁଖେ ବାହାରିବେ । ୧୩ରୁ ୩୧ ଯାଏ ଆମେରିକାରେ ଆନ୍ତର୍ଜାତୀୟ ନେତୃତ୍ବ ପରିଦର୍ଶକ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସଂରକ୍ଷଣ ଶୀର୍ଷକ ଆଲୋଚନାଚକ୍ରରେ ନିଜର ମତ ରଖିବେ । ନିଜ ଅଞ୍ଚଳରେ କିଭଳି ଘରଚଟିଆର ସୁରକ୍ଷା ସହିତ ବଂଶବୃଦ୍ଧି କରିବାରେ ସଫଳତା ପାଇଛନ୍ତି ସେ ନେଇ ସେଠାରେ ଉପସ୍ଥିତ ଲୋକ ମାନଙ୍କୁ ଜଣାଇବେ । ଏହାଛଡ଼ା ଆଉ କଣ ସବୁ କରାଗଲେ ପ୍ରକୃତିକୁ ଆମେ କିଭଳି ଭାବେ ସୁରକ୍ଷା ଦେଇପାରିବା ସେ ନେଇ ଜ୍ଞାନ ଆହରଣ କରିବା ପରେ ତାହାକୁ ନିଜ ଅଞ୍ଚଳର ଗାଁ ଓ ସହର ମାନଙ୍କରେ କାର୍ଯ୍ୟକାରୀ କରିପାରିବା ବୋଲି କହିଛନ୍ତି ସାଗର ।

ଦିନ ଥିଲା ଘରଚଟିଆ ମାନଙ୍କର କିଚିରି ମିଚିରି ଶବ୍ଦରେ ଗାଁ ଫାଟି ପଡ଼ୁଥିଲା । କାରଣ ଗାଁରେ ଥିଲା ଚାଳଛପର ଘର ଓ ମାଟିର ରାସ୍ତା । କିନ୍ତି ଧିରେ ଧିରେ ମାଟି ରାସ୍ତା କଂକ୍ରିଟରେ ପରିବର୍ତ୍ତନ ହୋଇଥିବା ବେଳେ ମାଟି ଘର ଆଉ ନାହିଁ ଗାଁ ଗୁଡ଼ିକରେ । ଯେଉଁଥିପାଇଁ ଘରଚଟିଆ ମାନଙ୍କର ସଂଖ୍ୟା ମଧ୍ୟ କମିଯାଇଥିଲା । ତେଣୁ ଏହି ଘରଚଟିଆ ମାନେ କିଭଳି ଗାଁ ପରିବେଶକୁ ପୁଣି ଫେରିବେ ସେ ନେଇ ସାଗର ଗତ ୨୦୧୧ ମସିହାରେ ଗୁଣ୍ଠବନ୍ଧରେ ସ୍ଥାନୀୟ କିଛି ଯୁବକ ମାନଙ୍କୁ ନେଇ ଆଞ୍ଚଳିକ ବିକାଶ ପରିଷଦ ଗଠନ କରିଥିଲେ । ସାଗରଙ୍କ ସମେତ ପରିଷଦର ଅନ୍ୟାନ୍ୟ ଯୁବକ ମାନେ ଗାଁ ଗାଁ ବୁଲି ଘରଚଟିଆ ମାନଙ୍କ ନିମନ୍ତେ କୃତ୍ରିମ ଘର ସହିତ ଖାଦ୍ୟପାନୀୟର ବ୍ୟବସ୍ଥା କରିଥିଲେ । ଯାହାଫଳରେ ଆଜି ଜିଲ୍ଲାର ୨୨ଟି ବ୍ଳକରେ ପ୍ରାୟ ୩୦ଟି ଗାଁରେ ଘରଚଟିଆ ମାନଙ୍କର ଉପସ୍ଥିତି ରହିଛି ।

ପ୍ରାଥମିକ ପର୍ଯ୍ୟାୟରେ କୁକୁଡ଼ାଖଣ୍ଡି ବ୍ଳକର ଗୁଣ୍ଠବନ୍ଧ, ବାଘଝରି, ଲାଞ୍ଜିଆ, ବିରିବାଡ଼ିଆ ଭଳି କିଛି ଗାଁରେ ଘରଚଟିଆ ମାନଙ୍କ ନିମନ୍ତେ କୃତ୍ରିମ ଘର ଓ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯିବା ପରେ ଜିଲ୍ଲାର ଅନ୍ୟ ବ୍ଳକ ଓ ସହରରେ ଏଭଳି ଘରଚଟିଆ ମାନଙ୍କ ନିମନ୍ତେ ବ୍ୟବସ୍ଥା କରିଛି ଏହି ପରିଷଦ । ଆମେରିକା ଯାଇ ଆହୁରି ଅନେକ ବିଷୟ ଶିକ୍ଷା ଲାଭ କରି ପୁଣି ଗାଁକୁ ଫେରି ଘରଚଟିଆ ମାନଙ୍କ ନିମନ୍ତେ ଭଲ କାମ କରିବ ଏବଂ ନିଜ ଗାଁ ପିଲା ଏଭଳି ମହତ କାମ କରି ଆମେରିକା ଯିବା ଗାଁ ପାଇଁ ଗର୍ବର କଥା ବୋଲି କହିଛନ୍ତି ସାଗରଙ୍କ ଗାଁର ଗ୍ରାମବାସୀ ।

ଆମେରିକାରେ ହେବାକୁ ଥିବା ଏହି କାର୍ଯକ୍ରମ୍ରରେ ଓଡ଼ିଶାରୁ ୬ ଜଣ ମନୋନୀତ ହୋଇଥିବା ବେଳେ ସେଥିମଧ୍ୟରେ ରହିଛନ୍ତି ସାଗର ପାତ୍ର ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *