ଉଦ୍ଧବଙ୍କୁ ଆଉ ଏକ ଝଟକା

Spread the love

ନୂଆଦିଲ୍ଲୀ: ପୁଣି ଉଦ୍ଧବ ଠାକରେଙ୍କୁ ଏକ ଝଟକା। ପୂର୍ବରୁ ନିର୍ବାଚନ କମିଶନର ଶିବସେନାର ନିର୍ବାଚନୀ ଚିହ୍ନ ଓ ଦଳର ନାମ ଏକନାଥ ସିନ୍ଧେ ଗୋଷ୍ଠୀକୁ ଦେଇଥିବା ବେଳେ ମଙ୍ଗଳବାର ସଂସଦ ଭବନରେ ଥିବା ଶିବସେନା ପାଇଁ ଉଦ୍ଦିଷ୍ଟ ୧୨୮ କୋଠରୀକୁ ସିନ୍ଧେଙ୍କୁ ମିଳିଛି। ଲୋକସଭା ସଚିବାଳୟ ୧୨୮ ନମ୍ବର କୋଠରୀକୁ ସିନ୍ଧେ ଗୋଷ୍ଠୀଙ୍କୁ ପ୍ରଦାନ କରିଛି। ଏନେଇ ପୂର୍ବରୁ ସିନ୍ଧେ ଗୋଷ୍ଠୀ ଲୋକସଭା ସଚିବାଳୟକୁ ଚିଠି କରି  ଶିବସେନା ସଂସଦୀୟ ଦଳର ଦପ୍ତର ତାଙ୍‌କୁ ଦେବାକୁ ଅନୁରୋଧ କରିଥିଲା।

ପୂର୍ବରୁ ନିର୍ବାଚନ ଆୟୋଗ ବାଲଠାକରେଙ୍କ ଦ୍ବାରା ପ୍ରତିଷ୍ଠିତ ଦଳର ନାମ ଓ ଚିହ୍ନକୁ ଏକନାଥ ଗୋଷ୍ଠୀକୁ ପ୍ରଦାନ କରିଛନ୍ତି। ତେବେ ଆୟୋଗଙ୍କ ଏହି ନିଷ୍ପତିକୁ ଉଦ୍ଧବ ଠାକରେ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଛନ୍ତି। ଏହି ମାମଲାର ଶୁଣାଣି ବୁଧବାର ହେବ। ଠାକରେଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ, କୃଷ୍ଣ ମୁରାରୀ ଓ ପି ଏସ ନରସିମ୍ହାଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରୁଥିବା ସୂଚନା ଦେଇଛନ୍ତି। ସିବଲ ଖଣ୍ଡପୀଠଙ୍କ ସମ୍ମୁଖରେ ମାମଲାର ତ୍ବରିତ ଶୁଣାଣି ପାଇଁ ଗୁହାର ଲଗାଇବା କାଳରେ କହିଥିଲେ କି, ନିର୍ବାଚନ ଆୟୋଗଙ୍କ ଆଦେଶ ଉପରେ ତୁରନ୍ତ ରୋକ ଲଗା ନ ଗଲେ ଚିହ୍ନ ଓ ବ୍ୟାଙ୍କ ଖାତା ଏକନାଥ ଗୋଷ୍ଠୀ ନିଜ କବଜାକୁ ନେଇ ଯିବେ। ତେବେ ମାମଲାକୁ ନେଇ ଅବଗତ ହେବାକୁ ଥିବାରୁ କୋର୍ଟ ଏହାର ଶୁଣାଣି ଆସନ୍ତା କାଲି ଅପରାହ୍ନରେ କରିବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି।  

ଏହି ମାମଲାରେ ଶିବଲ କହିଛନ୍ତି କି, ନିର୍ବାଚନ ଆୟୋଗଙ୍କୁ କିଛି କାଳ ଅପେକ୍ଷା କରିବାର ଥିଲା। କାରଣ ମାମଲା ଏବେ ସର୍ବୋଚ୍ଚ ନ୍ୟାୟାଳୟରେ। ଏଥିସହ ସ୍ପିକର ବିଧାୟକଙ୍‌କୁ ଅଯୋଗ୍ୟ ଘୋଷଣାର ମାମଲାର ମଧ୍ୟ ନିଷ୍ପତ୍ତି ନ ହେବା କାରଣରୁ ଚିହ୍ନ ଓ ନାମ ଉପରେ ଆୟୋଗ ନିର୍ଦ୍ଦେଶ ଦେବାର ନ ଥିଲା।

Leave a Reply

Your email address will not be published. Required fields are marked *