ଆପାର୍ଟମେଣ୍ଟ କିଣାବିକା ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ। ରେରା ଆସିବା ଆଗରୁ ଯେଉଁ ଆପାର୍ଟମେଣ୍ଟ ଚାଲିଥିଲା, ସେ ସବୁ ଉପରୁ ପ୍ରତିବନ୍ଧକ ଲଗାଇବାର କୌଣସି କାରଣ ନଥିଲା କହି ନଗର ଉନ୍ନୟନ ବିଭାଗ ଏହା ଉପରୁ କଟକଣା ହଟାଇଦେଇଥିଲା। ୨୦୧୭ ଫେବୃଆରୀ ୨୫ ତାରିଖ ପୂର୍ବରୁ ଯେଉଁ ସବୁ ଆପାର୍ଟମେଣ୍ଟ ସମ୍ପୂର୍ଣ୍ଣ ହୋଇଛି, ସେ ସବୁ ପଞ୍ଜୀକରଣ ହୋଇପାରିବ। ଏ ନେଇ ନଗର ଉନ୍ନୟନ ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ସହ ରାଜସ୍ୱ ବିଭାଗକୁ ଅବଗତ କରାଇଥିଲା। ଆଉ ଏ ସନ୍ଦର୍ଭରେ ରାଜସ୍ୱ ବିଭାଗ ବି ସମସ୍ତ ସବ-ରେଜିଷ୍ଟ୍ରାରଙ୍କୁ ଚିଠି କରିଥିଲା। କିନ୍ତୁ କିଛିଟା କେଁ ରହିଥିଲା। ଯେଉଁମାନେ ୨୦୧୬ରେ ପ୍ଲାନ୍ ନେଇ ଆପାର୍ଟମେଣ୍ଟ କରିଛନ୍ତି। କିନ୍ତୁ ରେରା ଆସିବା ପରେ ଆଉ ଓସି ପାଇପାରୁନାହାନ୍ତି। ସେମାନେ ଉଭୟ ଆଇନ ମଝିରେ ଫସିରହିଛନ୍ତି। କ୍ରେତା ଥରେ ଫ୍ଲାଟ୍ କିଣିବ ଓ ପରେ କମନ୍ ଏରିଆ କିଣିବ। ଏଭଳି ଦୁଇ ଦୁଇ ଥର ପଞ୍ଜୀକରଣ ଲାଗି କ୍ରେତା ଖର୍ଚ୍ଚାନ୍ତ ହେବ। ଯାହାକୁ ନେଇ ଆଲଟି ଆସୋସିଏସନ ବିରୋଧ କରିଥିଲା। ରାଜସ୍ୱ ମନ୍ତ୍ରୀ କହିଥିଲେ, ଏ ନେଇ ଖୁବ୍ ଶୀଘ୍ର ସ୍ପଷ୍ଟତା ଆସିବ। ରେଜିଷ୍ଟ୍ରେସନ ଫି ଦୁଇ ଥର ନ ହୋଇ ଥରେ ହେବ। ଏହା କେଉଁସ୍ତରରେ ହେବ ପରୀକ୍ଷା କରାଯାଉଛି। ଦୀର୍ଘ ବର୍ଷ ଧରି ଅରାଜକତା ଚାଲିଥିଲା। ବିଭାଗ ବିଭାଗ ଭିତରେ ସମନ୍ୱୟ ଅଭାବରୁ ଅଭାବନୀୟ ପରିସ୍ଥିତି ଥିଲା। ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ, ରେରା ପରିଧି ଭିତରକୁ ହିଁ ଏ ସବୁ ଆପାର୍ଟମେଣ୍ଟକୁ ଆଣିବାର କୌଣସି ଯଥାର୍ଥତା ନଥିଲା। ଏମିତି କରି ଉଭୟ କ୍ରେତା ଓ ବିକ୍ରେତା ହଇରାଣ ହେଉଥିଲେ। ବିଲଡର କ୍ଷତି ସହୁଥିଲେ। ସରକାରଙ୍କର ବି ରାଜସ୍ୱ ହାନୀ ହେଉଥିଲା।
ତେବେ ରେରା ଆକ୍ଟିଭିଷ୍ଟ ବିମଳେନ୍ଦୁ ପ୍ରଧାନ ଏଭଳି ନିର୍ଦେଶାନାମା ବିରୁଦ୍ଧରେ ହାଇକୋର୍ଟ ଯାଇଥିଲେ। ରେରାକୁ ଗୌଣ କରି କାହା ସ୍ୱାର୍ଥରେ ସରକାର ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ହାଇକୋର୍ଟରେ ମାମଲା ହୋଇଥିଲା। ନଗର ଉନ୍ନୟନ ସଚିବ ଏଭଳି ଏକଜିକ୍ୟୁଟିଭ ଅର୍ଡର ଜାରି କରିବାର ଅଧିକାର ଉପରେ ପ୍ରଶ୍ନ ଉଠିଥିଲା। ଏହା ଆଇନର ବିରୁଦ୍ଧାଚରଣ କରୁଛି। ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି,ଆପାର୍ଟମେଣ୍ଟ କିଣାବିକା ଓ ରେରାକୁ ନେଇ ହାଇକୋର୍ଟ କେଉଁ ପରିପ୍ରେକ୍ଷୀରେ ନିର୍ଦେଶ ଦେଇଛନ୍ତି, ଏହାକୁ ତର୍ଜମା କରି କୋର୍ଟରେ ପକ୍ଷ ରଖିବେ ସରକାର।
ପୁଣି ଝୁଲିଲା ପୁରୁଣା ଆପାର୍ଟମେଣ୍ଟ କିଣାବିକା। ଅଦାଲତଙ୍କ ରହିତାଦେଶ ପରେ ସରକାର ଏ ଦିଗରେ କି ଉତ୍ତର ରଖୁଛନ୍ତି, ତା ଉପରେ ନିର୍ଭର କରୁଛି ଆଗକୁ ଆପାର୍ଟମେଣ୍ଟ କିଣାବିକାର ଭବିଷ୍ୟତ। ୨୦୧୭ ପୂର୍ବରୁ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର ବା ଓସି ହାସଲ କରିଥିବା ଆପାର୍ଟମେଣ୍ଟଗୁଡିକୁ ପଞ୍ଜୀକୃତ କରାଯିବ ବୋଲି ନଗର ଉନ୍ନୟନ ବିଭାଗ ଏ ନେଇ ବିଜ୍ଞପ୍ତି ଜାରି ପରେ ଫ୍ଲାଟ୍ କିଣାବିକା ଲାଗି ବାଟ ଫିଟିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now