ଆମେରିକାର ନାଗରିକତା- ୧୯ଆଗରୁ ଜନ୍ମ କର

ଫେବୃଆରୀ ୧୯ ପରେ ଅଣ ଆମେରିକୀୟ ଅଭିଭାବକଙ୍କଠୁ ଜନ୍ମିତ ଶିଶୁଙ୍କ ନାଗରିକତା ଉଛେଦ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କିତ ଏକ କାର୍ଯ୍ୟନିର୍ବାହୀ ନିର୍ଦେଶାନାମାରେ ସ୍ୱାକ୍ଷର କରିବା ପରେ ବିଦେଶୀଙ୍କ ଭିତରେ ଭାଳେଣି ପଡ଼ିଛି। ଫେବୃଆରୀ ୧୯ ପୂର୍ବରୁ ଯେଉଁ ଶିଶୁ ଆମେରିକାରେ ଜନ୍ମ ନେବେ, ସେମାନେ ଆମେରିକାର ନାଗରିକତା ପାଇପାରିବେ। ବାର୍ଥରାଇଟ୍ ସିଟିଜେନସିପ୍ ନିରୋଧୀ ନିର୍ଦେଶାନାମା ଜାତୀୟ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ବୋଲି ଟ୍ରମ୍ପ୍ କହିଛନ୍ତି। ନାଗରିକତା ପାଇବାକୁ ଆମେରିକାରେ ଜନ୍ମଗ୍ରହଣ କରିଥିବା ପିଲାଙ୍କ ପିତାମାତାଙ୍କ ଭିତରୁ ଅତି କମ୍‌ରେ ଜଣେ ଆମେରିକୀୟ ନାଗରିକ ହୋଇଥିବେ। ଆଇନଗତ ସ୍ଥାୟୀ ବାସିନ୍ଦା ବା ଗ୍ରୀନ୍‌କାର୍ଡ ହୋଲଡର ହୋଇଥିବେ। କିମ୍ୱା ଆମେରିକା ସେନାର ଜଣେ ସଦସ୍ୟ ହୋଇଥିବା ଜରୁରୀ।

ଏଭଳି ନିଷ୍ପତ୍ତିରୁ ଆମେରିକାରେ ବସବାସ କରୁଥିବା ଅଣନାଗରିକ ଆସନ୍ନ ପ୍ରସବା ସି-ସେକ୍ସନ ବା ସିଜରିଆନ୍ ଲାଗି ମାଟର୍ନିଟି କ୍ଲିନିକରେ ଭିଡ଼ ଲଗାଇଲେଣି। ଏପରିକି ୭ ମାସର ଗର୍ଭବତୀ ବି ସିଜରିଆନ୍ ଲାଗି ଡାକ୍ତରଙ୍କୁ ଅନୁରୋଧ କଲେଣି। ତେବେ ଏଭଳି ଉପାୟରେ ଜନ୍ମିତ ଶିଶୁ ଓ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଡାକ୍ତର ଚିନ୍ତାପ୍ରକଟ କରିଛନ୍ତି। ଆଗୁଆ ଜନ୍ମିତ ପିଲା ଓ ତାହାର ମାଆ ଉଭୟଙ୍କ ସ୍ୱାସ୍ଥ୍ୟପ୍ରତି ବିପଦ ରହିଛି। ଏଭଳି କେସରେ ପିଲାଙ୍କ ଫୁସଫୁସ୍ ବିକଶିତ ହୋଇନଥାଏ। ମାଆଙ୍କ ସ୍ତନ୍ୟପାନରେ ଅସୁବିଧା, ପିଲାଙ୍କ ଓଜନ ହ୍ରାସ ସହ ସ୍ନାୟବିକ ଜଟିଳତା ଦେଖାଦେଇଥାଏ। ଅଣନାଗରିକ ପିତାମାତାଙ୍କଠୁ ଜନ୍ମିତ ପିଲାଙ୍କର ସ୍ୱୟଂ ନାଗରିକତା ହାସଲ ବ୍ୟବସ୍ଥା ବନ୍ଦ ବିରୁଦ୍ଧରେ ୨୨ଟି ରାଜ୍ୟରେ ଟ୍ରମ୍ପ୍‌ଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଏଭଳି ପ୍ରଶାସନିକ ନିଷ୍ପତ୍ତିରୁ ୧୨ ଲକ୍ଷରୁ ଅଧିକ ଭାରତୀୟ ବି ଚିନ୍ତିତ। ସେପଟେ ଟ୍ରମ୍ପଙ୍କ ଏହି ଆଦେଶାନାମା ଉପରେ ଲାଗିଛି ଅଦାଲତି ଅଙ୍କୁଶ। ଆମେରିକାର ଫେଡେରାଲ ଅଦାଲତ ଏହାକୁ ଆସାମ୍ୱିଧାନିକ ଦର୍ଶାଇବା ସହ ଆଦେଶ ଉପରେ ରହିତାଦେଶ ଲଗାଇଛନ୍ତି।ସିଟଲ ଜିଲ୍ଲା ଜଜ୍ ଜନ୍ କୌଗ୍ନେନୁର କହିଛନ୍ତି, ଆମେରିକାର ବ୍ୟବସ୍ଥିତ ଆଇନଗତ ଫ୍ରେମଓ୍ୱାର୍କର ଏହା ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି। ଦୀର୍ଘ ୪୦ ବର୍ଷ ହେଲା ବିଚାରପତି ଆସନରେ ବସିଥିବା ସତ୍ତ୍ୱେ କେବେ ବି ଏଭଳି ଅସାମ୍ୱିଧାନିକ ଆଦେଶ ଦେଖିନଥିଲେ। ଏହା ୧୪ତମ ସମ୍ୱିଧାନ ସଂଶୋଧନକୁ ଦୁର୍ବଳ କରୁଛି। ୧୪ ଦିନ ଯାଏ ଏହି ଆଦେଶ ଉପରେ ରହିତାଦେଶ ଲାଗିଛି। ଟ୍ରମ୍ପ୍ କହିଛନ୍ତି, ଏହି ଆଦେଶ ବିରୁଦ୍ଧରେ ସେ ଅପିଲ୍ କରିବେ।

ଟ୍ରମ୍ପଙ୍କ ଏଭଳି ପ୍ରଶାସନିକ ନିର୍ଦେଶାନାମାରୁ ଆମେରିକାରେ ପ୍ରତିବର୍ଷ  ଅଣନାଗରିକ ଆମେରିକୀୟଙ୍କଠୁ ଜନ୍ମିତ ପ୍ରାୟ ଅଢ଼େଇ ଲକ୍ଷ ଶିଶୁଙ୍କୁ ଏଠାକାର ନାଗରିକତ୍ୱରୁ ବଞ୍ଚିତ କରିବ। ରହିତାଦେଶ କେବଳ ୧୪ ଦିନ ଯାଏ କାଏମ ରହିବ।  ତାପରେ ଅଣଆମେରିକୀୟ ଦମ୍ପତ୍ତିଙ୍କଠୁ ଜନ୍ମିତ ଶିଶୁଙ୍କ ଭାଗ୍ୟ କଅଣ ହେବ, ତାକୁ ନେଇ ଚିନ୍ତା ଘାରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *